Home ଓଡ଼ିଶା ଶ୍ରୀଜିଉଙ୍କର ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ନୀତି ସଂପନ୍ନ

ଶ୍ରୀଜିଉଙ୍କର ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ନୀତି ସଂପନ୍ନ

163

ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଚଳିତବର୍ଷ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ରହିଥିବା ବେଳେ କୌଣସି ଧାର୍ମିକ କାର୍ଯ୍ୟ ବାହାରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଥିବା ଯୋଗୁଁ ଚଳିତବର୍ଷ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ କରାନଯାଇ ସ୍ଥାନ ପରିବର୍ତ୍ତନ କରି ମନ୍ଦିର ପରିସର ଭିତରେ କରାଯିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଆଜି ଚନ୍ଦନଯାତ୍ରାର ସମସ୍ତ ନୀତି ଶ୍ରୀମନ୍ଦିର ପରିସରରେ ଥିବା ମୁକ୍ତମଣ୍ଡପ ନିକଟରେ ଦୁଇଟି କୁଣ୍ଡରେ ଜଳକ୍ରୀଡା ଉତ୍ସବ ପାଳନ କରାଯାଇଥିଲା। ଏହି କୁଣ୍ଡରେ ଦୁଇଟି ସ୍ୱତନ୍ତ୍ର ଡଙ୍ଗାମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ଡଙ୍ଗାରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ ଓ ରାମକୃଷ୍ଣ ଜଳକ୍ରୀଡା କରିଥିବା ବେଳେ ଅନ୍ୟ ଗୋଟିଏ ଡଙ୍ଗାରେ ପଂଚ ପାଣ୍ଡବ ଶ୍ରୀଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ମାର୍କଣ୍ଡେୟ ଓ ନୀଳକଣ୍ଠେଶ୍ୱର ଜଳକ୍ରୀଡା କରିଥିଲେ। ନରେନ୍ଦ୍ର ପୁଷ୍କରିଣୀରେ ଯେଉଁ ସବୁ ଚାପ ନୀତି କରାଯାଇଥାଏ ସେ ସମସ୍ତ ନୀତି ଓ ବିଧି ଅନୁଯାୟୀ ଏଠାରେ ମଧ୍ୟ କରାଯାଇଥିଲା। ଲକ୍ଷ୍ମୀଙ୍କ ମନ୍ଦିରର ରୋଷଘରେ ମାଣ୍ଡୁଅ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଭୋଗ ଲଗାଯାଇଥିଲା।

ରଥକାଠ ଅନୁକୂଳ :- ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀଜିଉ ମାନଙ୍କର ରଥ ନିର୍ମାଣ ନିମନ୍ତେ ଅକ୍ଷୟତୃତୀୟା ଦିନ ରଥକାଠ ଅନୁକୂଳ ବିଧି ରହିଛି। ସେହିଅନୁଯାୟୀ ଆଜି ମନ୍ଦିର ବେଢାରେ ଥିବା ସ୍ନାନମଣ୍ଡପ ନିକଟରେ ବନଯାଗ ନୀତି ଅନୁଯାୟୀ ତିନୋଟି ରଥ ପାଇଁ ୩ଟି ଧଉରା କାଠ ପାରମ୍ପରିକ ରୀତି ନୀତି ଅନୁଯାୟୀ ଅନୁକୂଳ କରାଯାଇଥିଲା। ବେଢା ପରିସରରେ ଥିବା ଚାହାଣୀ ମଣ୍ଡପରେ ମନ୍ଦିର ପୁରୋହିତ ଓ ବ୍ରାହ୍ମଣ ହୋମ ଯଜ୍ଞ କରିବା ପରେ ରଥକାଠ ଅନୁକୂଳ କରାଯାଇଥିଲା। ପରମ୍ପରା ଅନୁଯାୟୀ ତିନିବାଡର ତିନି ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଠାରୁ ତିନୋଟି ଆଜ୍ଞାମାଳ ନେଇ ରଥକାଠ ନିକଟରେ ପଂହଚିଥିଲେ। ତା ପରେ ରଥ ନିର୍ମାଣରେ ନିୟୋଜିତ ତିନିଜଣ ମୁଖ୍ୟ ବିଶ୍ୱକର୍ମା ସେବକଙ୍କୁ ମଥାରେ ଶାଢୀ ବନ୍ଧା ଯାଇଥିଲା। ଏହି ବିଧି ସଂପନ୍ନ ପରେ ରଥକାଠର ଆଜି ଅନୁକୂଳର ଶୁଭାରମ୍ଭ କରାଯାଇଛି।ଏହି ସମୟରେ ମନ୍ଦିର ପୁରୋହିତ, ବ୍ରାହ୍ମଣ ଓ ରାଜଗୁରୁ ଉପସ୍ଥିତ ଥିଲେ। ତିନି ତାରିଖ ଦିନ ଲକଡାଉନ ଉଠିବା ପରେ ରଥ ନିର୍ମାଣ ସଂପର୍କରେ ନିଷ୍ପତି ନିଆଯିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.