ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକର ଏକ ବୈଠକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଆସନ୍ତା ୨୦୨୨ ମସିହା ‘ନେତ ଉତ୍ସବ’ ପାଳନ ନିମନ୍ତେ ସ୍ଥାନ ନିରୂପଣ କରାଯିବା ସଂକ୍ରାନ୍ତରେ ଆଲୋଚନା କରାଯାଇ ଏହା ଆଗାମୀ ବୈଠକରେ ସ୍ଥିର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପୁରୀ ଶ୍ରୀକ୍ଷେତ୍ର ଧାମରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠାକୁ ବିରୋଧ କରାଯିବା ସହିତ ଏ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗପତ୍ରକୁ ବୈଠକରେ ଅନୁମୋଦନ କରାଯାଇଥିଲା । ସରକାରଙ୍କୁ ଏ ବାବଦରେ ଆଉ ଏକ ସ୍ମାରକପତ୍ର ଦେବାକୁ ମଧ୍ୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସମିତିର ମୁଖପତ୍ର ‘ନୀଳ କନ୍ଦର’ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ଶ୍ରୀଶ୍ରୀ ଗଜପତି ମହରାଜ, ମହାମହିମ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କ ଠାରୁ ଆଣିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ସମିତିର ମୁଖ୍ୟ ସେବକ ଆବାହକ ଶରତ କୁମାର ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି ଆଲୋଚନାରେ ରଘୁନାଥ ଦାଶ, ନାରାୟଣ ଚନ୍ଦ୍ର ପ୍ରଧାନ, ସନେଇ ଶିଅଳ, ପ୍ରଶାନ୍ତ କୁମାର ଦେ, କାହ୍ନୁ ଚରଣ ଦାଶ, ମହାପାତ୍ର ପ୍ରଫୁଲ୍ଲ କୁମାର ସାହୁ, ବଳାରାମ ମହାନ୍ତି, ବାବୁଲାଲ ଦାସ, ଲକ୍ଷ୍ମୀଧର ଖଟୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଆବାହକ ଶ୍ରୀଯୁକ୍ତ ସାହୁ ବିବରଣୀ ଉପସ୍ଥାପନ କରିଥିଲେ ।








