Home ଜିଲ୍ଲା ପରିକ୍ରମା ଶ୍ରାବଣ ମାସର ପ୍ରଥମ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆ

ଶ୍ରାବଣ ମାସର ପ୍ରଥମ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆ

11

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସ ପ୍ରଥମ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି । ଗତକାଲି ମଧ୍ୟରାତ୍ରରୁ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ କାଉଡିଆ ବନ୍ଧୁମାନେ ବ୍ୟାରିକେଡ୍‌ରେ ଆସି ଶୃଙ୍ଖଳିତ ଭାବେ ଜଳଲାଗି କରିଥିଲେ । ସେମାନଙ୍କ ବୋଲବୋମ, ହର ହର ବୋମ ଧ୍ୱନିରେ ସମଗ୍ର ପୀଠ ପ୍ରକମ୍ପିତ ହୋଇଉଠିଥିଲା । ଏଥିସହ ସେମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ଜଳପଥରେ ଆସୁଥିବା କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାଶ୍ୱର୍ରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ମଣିବାବାଙ୍କର ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସଂପନ୍ନ କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା । ପରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯିବା ପରେ ପହଡ ଖିଆ ଅନ୍ନ ନୀତିଭୋଗ, ଯୋଗୀ ବେଶ, ବଡ ଅନ୍ନନୀତି ଭୋଗ ଓ ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.