ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ ବିରୋଧୀ ୪ ଟି ଶ୍ରମକୋର୍ଡ ବାତିଲ କରିବା, ନିର୍ମାଣ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ଦେବା, ନିର୍ମାଣ ଶ୍ରମିକ ମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା କୁ ବୃଦ୍ଧି କରିବା,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାକୁ ଅସଂଗଠିତ ଶ୍ରମିକ ବୋର୍ଡ ରେ ମିଶାଇବା ବଂଦ କରିବା, ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜୀକରଣ ର ପ୍ରକ୍ରିୟା ର ସରଳୀକରଣ କରିବା, ବଂଦ ହୋଇ ରହିଥିବା ନିର୍ମାଣ ଶ୍ରମିକ ମାନଙ୍କ ପିଲା ମାନଙ୍କ ପାଠପଢା ଖର୍ଚ୍ଚ ଓ ମେଧା ବୃତିରାଶି ତୁରନ୍ତ ପୈଠ କରିବା, ନିର୍ମାଣ ଶ୍ରମିକ ମାନଙ୍କ ଝିଅ ବିଭାଘର ପାଇଁ ମିଳୁଥିବା ଆର୍ôଥକ ବକେୟା ଅନୁଦାନ ତୁରନ୍ତ ମିଳିବା ଆଦି ଦାବି ନେଇ ଓଡିଶା ନିର୍ମାଣ ଶ୍ରମିକ ସଂଘ, ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଲାଲ୍ ଶୋଭାଯାତ୍ରା ଭଦ୍ରକ ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲା ଶ୍ରମ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଶ୍ରମ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିଆଇଟିୟୁ ଜିଲ୍ଲା ଉପସଭାପତି ମଳୟ ଭୋଇ, ରାଧାନାଥ ଦାସ , ବିଷ୍ଣୁ ଦାଶ, ନିର୍ମାଣ ଶ୍ରମିକ ସଂଘ ଯୁବ ନେତା ଅକ୍ଷୟ ସେଠୀ, ଅମୀୟ ନାୟକ, ମହେଶ୍ୱର ନାୟକ,ସେକ୍ କମର, ସନାତନ ଯେନା, ମହିଳା ନେତ୍ରୀ ସୀତା ଦାସ, ଈନ୍ଦୁଲତା ଦାସ, ଗଙ୍ଗାଧର ମହାଳିକ, ଫକୀର ସ୍ୱାଇଁ, ଧାମରା ବନ୍ଦର ଶ୍ରମିକ ସଂଘ ନେତା ସୁବ୍ରତ ସାମଲ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ରେ ଚାଲିଥିବା ଡବଲ୍ ବିନାଶ ସରକାର ଙ୍କୁ ତୀବ୍ର ନିନ୍ଦା କରିଥିଲେ । ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗତ ରାଜ୍ୟ ବଜେଟ୍ ରେ ଅର୍ଥ କାଟ କରାଯାଇଥିବାରୁ ଶ୍ରମିକ ସଂଘ ର ନେତୃତ୍ୱ ତୀବ୍ର ନିନ୍ଦା କରିଥିଲେ । ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବିରୁଦ୍ଧରେ ଆସନ୍ତା ମେ ୨୦ ରେ ଆମ ଦେଶରେ ସଂଗଠିତ ହେବାକୁ ଥିବା ସର୍ବଭାରତୀୟ ଶ୍ରମିକ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଶ୍ରମିକ ନେତୃତ୍ୱ ଆହ୍ୱାନ ଜଣାଇଥିଲେ । ଶେଷରେ ଏକ ପ୍ରତିନିଧି ଦଳ ଜିଲ୍ଲା ଶ୍ରମ କମିଶନର ଙ୍କୁ ଭେଟି ଦାବି ସଂପର୍କରେ ଆଲୋଚନା କରିଥିଲେ । ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଜିଲ୍ଲା କମିଶନର ଶ୍ରମିକ ନେତୃବୃନ୍ଦ ଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଶତାଧିକ ଶ୍ରମିକ ଯୋଗଦେଇଥିଲେ ।