Home ଅନୁଗୁଳ ଶ୍ରଦ୍ଧାଳୁଙ୍କ ବିନା ନିରାଡମ୍ବର ଭାବରେ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରମ୍ଭ

ଶ୍ରଦ୍ଧାଳୁଙ୍କ ବିନା ନିରାଡମ୍ବର ଭାବରେ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରମ୍ଭ

132

ତାଳଚେର,୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜିଠାରୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ନବଦିନ ବ୍ୟାପି ବାର୍ଷିକ ଯାତ୍ରା ଗୋପାଳ ପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ନିରାଡମ୍ବର ଭାବରେ ଆରମ୍ଭ ହୋଇଛି । ଚଳିତ ବର୍ଷ ମହାମାରୀ କୋରୋନା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯାତ୍ରାସ୍ଥଳୀକୁ ଶ୍ରଦ୍ଧାଳୁମାନଙ୍କୁ ନଆସିବା ପାଇଁ ପୂର୍ବରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯିବା ସହ ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହାସହିତ ମା ଙ୍କ ପୂଜକ କିଶୋର ଚନ୍ଦ୍ର ଦେହୁରୀ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଥିବା କଟକଣାକୁ ମାନିବା ସହ ନିଜ ଘର ସମ୍ମୁଖରେ ପଣା,ଝୁଣା, ଧୂପ,ଦୀପ ଦେଇ ମା ଅଗ୍ନିରୂପାଙ୍କୁ ପୂଜା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅଗ୍ନିରୂପୀ ମା’ ହିଙ୍ଗୁଳା ଚଳିତବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିିଶହ ମିଟର ଦୂରରେ ଥିବା ଅରା ବାଉଁଶବଣ ପଡିଆରେ ଆର୍ବିଭାବ ହୋଇଛନ୍ତି । ମା ହିଙ୍ଗୁଳା ଆଜିଠାରୁ ନବଦିନ ବ୍ୟାପି ଅଗ୍ନି ରୂପରେ ଆବିର୍ଭାବ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ଚତୁଃପାଶ୍ୱର୍ ସହ ବିଭିନ୍ନ ଛକ ଓ ରାସ୍ତାରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି । ମା’ଙ୍କ ମନ୍ଦିର ତଥା ଉଭାସ୍ଥଳକୁ କୌଣସି ଶ୍ରଦ୍ଧାଳୁଙ୍କୁ ପୋଲିସ ନ ଛାଡିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଫଳରେ ସମଗ୍ର ମନ୍ଦିର ପରିସର ସହ ଉଭାସ୍ଥଳ ଭକ୍ତମାନଙ୍କ ଅନୁପସ୍ଥିତିରେ ଶୁନ୍‌ଶାନ୍ ରହିଛି । ତେବେ ମା’ଙ୍କ ପୂଜାକାର୍ଯ୍ୟ ଯଥାବିଧି ସମ୍ପନ୍ନ ହୋଇଛି ।

ଆଜି ସକାଳେ ମା ହିଙ୍ଗୁଳାଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିବା ବେଳେ ଅପରାହ୍ନ ସାଢେ ତିନିଟା ବେଳେ ମା ହିଙ୍ଗୁଳା ଓ କରଡେଇଙ୍କ ଚଳନ୍ତି ପ୍ରତିମା ଆଲମକୁ ଦିଅଁ ଘରୁ ମୁଖ୍ୟ ପୂଜକ ଏକ ଭାର ମାଧ୍ୟମରେ ଆଣିଥିଲେ । ଢୋଲ,ମହୁରୀ ଆଦି ପାରମ୍ପରିକ ବାଦ୍ୟର ତାଳେ ତାଳେ ଅଳ୍ପ କେତେଜଣ ସେବାୟତଙ୍କ ଉପସ୍ଥିତିରେ ଯଥେଷ୍ଟ ସାମାଜିକ ଦୂରତା ଅବଲମ୍ବନ କରି ମାଆ ଅଗ୍ନିରୂପାଙ୍କୁ ବଡ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ଦୁଇ ଆଲମକୁ ନାନା ସ୍ୱର୍ଣ୍ଣ ଆଭୂଷଣ ଓ ବସ୍ତ୍ରରେ ସଜ୍ଜିତ କରାଯାଇ ପୂଜା କରାଯାଇଥିଲା । ଏହି ପୂଜାକୁ ମା ହିଙ୍ଗୁଳାଙ୍କ ଆଲମପିନ୍ଧା ନାମରେ ଜଣାଯାଏ । ବିଧି ମୁତାବକ ଏହାପରେ ପାଇକମାନେ ପତିଆରଙ୍କ ଘରକୁ ଯାଇ ବଡମଣ୍ଡପକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ପତିଆର ନିକଟସ୍ଥ ପୁଷ୍କରଣୀରେ ସ୍ନାନ ଶେଷ କରି ମା ହିଙ୍ଗୁଳାଙ୍କ ପୀଠକୁ ଆସିଥିଲେ । ସେଠାରେ ମୁଖ୍ୟ ପୂଜକ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପରିଧାନ କରିବାକୁ ଦେଇଥିଲେ । ନୂତନ ବସ୍ତ୍ର ପିନ୍ଧି ସାରିଲା ପରେ ପତିଆରଙ୍କୁ ବଡମଣ୍ଡପର କୁଟେଇଶୁଣୀ ପୀଢରେ ଷୋଡଶ ଉପଚାର ବିଧି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ପତିଆର ମା ହିଙ୍ଗୁଳାଙ୍କ ଉଭାସ୍ଥଳୀକୁ ଗମନ କରିଥିଲେ । ସେଠାକୁ ଦେହୁରୀ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ ଧରି ତାଳଚେର ରାଜାଙ୍କ ପ୍ରଦତ ରାଜଭୋଗକୁ ମା ଅଗ୍ନିରୂପାଙ୍କୁ ଅର୍ପଣ କରିଥିଲେ । ତାଳଚେର ରାଜାଙ୍କ ପ୍ରତିନିଧି ହିସାବରେ ରାଜେନ୍ଦ୍ର ସିଂ ଉପସ୍ଥିତ ରହିଥିଲେ । ସ୍ଥାନୀୟ ପୋଲିସ,ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି । ଚଳିତ ବର୍ଷ ଛୋଟ ଶିଶୁମାନଙ୍କର ମୁଣ୍ଡନ କାର୍ଯ୍ୟ ହେବ ନାହିଁ ବୋଲି ପୂର୍ବରୁ ମନ୍ଦିର ପ୍ରଶାସନରୁ ସ୍ପଷ୍ଟ ମନା କରାଯାଇଥିବା ବେଳେ ଆଜି ମା ଙ୍କ ପୀଠରେ ମଧ୍ୟ କୌଣସି ମୁଣ୍ଡନ କାର୍ଯ୍ୟ ହୋଇ ନଥିଲା । ତେବେ ତାଳଚେରର ସମସ୍ତ ପୁରପଲ୍ଲୀରେ ମହିଳା ଶ୍ରଦ୍ଧାଳୁମାନେ ନିଜ ଘର ସମ୍ମୁଖରେ ଗୋବରରେ ଲିପା ପୋଚ୍ଛା କରି ଗୁଡ,ଧୂପ,ଦୀପ,ପୁଷ୍ପ,ପଣା ଆଦି ଦେଇ ମା ହିଙ୍ଗୁଳାଙ୍କୁ ପୂଜା କରୁଥିବାର ଲକ୍ଷ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.