Home ଜିଲ୍ଲା ପରିକ୍ରମା ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

12

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏହି ଜିଲାର ଧାମନଗର ବ୍ଲକ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ସରକାରଙ୍କର ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ, ବାତ୍ୟାରେ ଯେପରି କାହାରି ଜୀବନ ନ ଯିବ ଓ ସବୁ ଲୋକ ସୁରକ୍ଷିତ ରହିବେ, ସେ ଦିଗରେ ପଦକ୍ଷେପ ନେଇଛି ପ୍ରଶାସନ। । ପ୍ରଭାବିତ ହେବାକୁ ଥିବା ଅଂଚଳ, ତଳିଆ ଅଂଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରକୁ ସେ ଜୋର ଦେଇଛନ୍ତି। ସେହିପରି ପ୍ରଭାବିତ ଅଂଚଳରେ ଗୋ ଖାଦ୍ୟ ମହଜୁଦ୍ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପ୍ରସୂତି, ଗର୍ଭବତୀ ଓ ପିଲାଙ୍କ ଖାଦ୍ୟ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ହସ୍ପିଟାଲରେ ଆଣି ଭର୍ତି କରିବାକୁ ପଦକ୍ଷେପ ନିଆଯାଇଛି। ବାତ୍ୟା ଓ ବର୍ଷା ସମୟରେ ସାପ କାମୁଡ଼ା ଭୟ ଥିବାରୁ ଏହାର ମୁକାବିଲା କରିବାକୁ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ। ଧାମନଗର ଅଂଚଳରେ ଥିବା ସମସ୍ତ ପ୍ରମୁଖ ଡାକ୍ତରଖାନାରେ ସାପ କାମୁଡ଼ା ଇଂଜେକ୍ସନ, ବ୍ଲିଚିଂ ପାଉଡର ଓ ହାଲୋଜେନ୍ ଟାବଲେଟ ଗଛିତ ରଖାଯାଇଚି। ଏହାସହ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଲୀ, ନିରାପଦ ଆଶ୍ରୟସ୍ଥଳୀ ଓ ଉଚ୍ଚ କୋଠାଘର ବା ନିକଟସ୍ଥ ସ୍କୁଲ ଘରେ ବ୍ଲିଚିଂ ପାଉଡର ଏବଂ ହାଲୋଜେନ୍ ଟାବଲେଟ ରଖିବାକୁ ସେ ସ୍ଥାନୀୟ ପ୍ରଶାସନକୁ କହିଛନ୍ତି। ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ନିରାପଦ ଆଶ୍ରୟସ୍ଥଳୀ ଓ ସ୍କୁଲ ଘର ବୁଲି ଦେଖିଛନ୍ତି। ପ୍ରଭାବିତ ଅଂଚଳର ଲୋକ, କଚା ଘରେ ରହୁଥିବା ଲୋକଙ୍କୁ ଏହିସବୁ ଆଶ୍ରୟସ୍ଥଲୀକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନକୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଯେଉଁଠି ଯାହା ଆବଶ୍ୟକ ତାହା ଜରୁରୀକାଳୀନ ଭିତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବାତ୍ୟା ଆଶ୍ୟସ୍ଥଳୀରେ ଜେନେରେଟର ନାହିଁ ସେଠାରେ ଭଡ଼ାରେ ଆଣି ଲଗାଇବାକୁ କହିଛନ୍ତି। ସେହିପରି ପାନୀୟ ଜଳର ନିରନ୍ତର ବ୍ୟବସ୍ଥା କରିବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି। କେବଳ ପ୍ରାଶାସନିକ ତଥ୍ୟ ଉପରେ ଭରସା ନ କରି କେଉଁ ସ୍ଥାନରେ କେତେ ପରିମାଣର ଜରି ପାଲ, ଶୁଖିଲା ଖାଦ୍ୟ ଅଛି ତାହା ନିଜେ ପହଂଚି ଅନୁଧ୍ୟାନ କରିଥିଲେ। ପଂଚାୟତ ଗୋଦାମ, ପଣ୍ୟାଗାର ମଧ୍ୟ ବୁଲି ଦେଖିଛନ୍ତି ମନ୍ତ୍ରୀ। ସେପଟେ ଧାମନଗର ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇଛି। ଆସ୍କା ଲାଇଟ୍‌, କଟର, ଲାଇଫ ଜାକେଟ, ପାୱାର ବୋଟ୍ ଆଦି ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ପରେ ପରେ ଅଗ୍ନିଶମ ଟିମ୍ ପହଂଚି ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.