Home ଜିଲ୍ଲା ପରିକ୍ରମା ଶୁଭ ଉଦ୍‌ଘାଟନ ପୂର୍ବରୁ ନୂତନ ଜିଲା ହସ୍‌ପିଟାଲ ପରିଦର୍ଶନ କଲେ ଭଦ୍ରକ ବିଧାୟକ, ଡିଏଚ୍‌ଏଚ୍ କ୍ୟାମ୍ପସରେ...

ଶୁଭ ଉଦ୍‌ଘାଟନ ପୂର୍ବରୁ ନୂତନ ଜିଲା ହସ୍‌ପିଟାଲ ପରିଦର୍ଶନ କଲେ ଭଦ୍ରକ ବିଧାୟକ, ଡିଏଚ୍‌ଏଚ୍ କ୍ୟାମ୍ପସରେ ବେସରକାରୀ ହସ୍‌ପିଟାଲ ନିର୍ମାଣ ଜନିତ ଦେୟଯୁକ୍ତ ସ୍ୱାସ୍ଥ୍ୟସେବାକୁ କ୍ରିୟାନୁଷ୍ଠାନ କମିଟିର ବିରୋଧ

6

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗେଲପୁର ଠାରେ ନିର୍ମାଣ ହୋଇଥିବା ନୂତନ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍‌ଘାଟନ ପୂର୍ବରୁ ଏହାର ଶେଷ ପର୍ଯ୍ୟାୟ କାର୍ଯ୍ୟର ଆଜି ନିରୀକ୍ଷଣ କରିଛନ୍ତି ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାବାସୀଙ୍କର ଦୀର୍ଘଦିନର ସ୍ୱପ୍ନ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଏବେ ସାକାର ହେବାକୁ ଯାଉଛି। ତେବେ ପୂର୍ବ ସରକାରଙ୍କ ସମୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ସ୍ୱପ୍ନରେ ରହିଯାଇଥିବାବେଳେ ଜିଲାବାସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗେଲପୁର ଠାରେ ୩ ଶହ ଶଯ୍ୟା ବିଶିଷ୍ଟ ଏହି ନୂତନ ଜିଲା ହସ୍‌ପିଟାଲ ସହିତ ପବ୍ଲିକ୍ ପ୍ରାଇଭେଟ୍ ବ୍ୟବସ୍ଥାରେ ଏକ ସୁପର ସ୍ପେଶିଆଲିଷ୍ଟ ପ୍ରତିଷ୍ଠାର ଘୋଷଣା କରିଥିଲେ। ଯାହାକି ଜୟଯୁକ୍ତ ହୋଇଥିଲେ ମଧ୍ୟ ସୁଲଭ ମୂଲ୍ୟରେ ଲୋକଙ୍କୁ ଉଚ୍ଚର ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି କୁହାଯାଇଛି। ତେବେ ଜଟିଳ ରୋଗ ଚିକିତ୍ସା ପାଇଁ ଲୋକଙ୍କୁ କେତେ ଅର୍ଥ ସୁଲଭ ମୂଲ୍ୟରେ ଦେବାକୁ ପଡିବ, ତାହା ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହେଲେ ଜଣାପଡିବ। ଏହି ହସ୍‌ପିଟାଲ ପାଇଁ ଯେଉଁ ସ୍ଥାନ ନିରୂପଣ ହୋଇଛି, ତାକୁ ନେଇ ଏବେ ଜିଲାର ଚିନ୍ତାଶୀଳ ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ନୂଆ ଜିଲା ହସ୍‌ପିଟାଲ କ୍ୟାମ୍ପସ ଭିତରେ ପ୍ରାୟ ୨ଏକର ଜମିରେ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ହସ୍‌ପିଟାଲ ଏବଂ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ ଆରମ୍ଭ ହୋଇଥିବାବେଳେ ନିକଟସ୍ଥ ଗେଲପୁର ମୌଜାର ପ୍ରାୟ ୭୦ ଡିସିମିଲ୍ ଜମି ଉପରେ ହସ୍‌ପିଟାଲ, ହଷ୍ଟେଲ ନିର୍ମାଣର ପରିକଳ୍ପନା କରାଯାଇଛି। କୁହାଯାଇଛି ପିପି ମୋଡରେ ନିର୍ମାଣ ହେବାକୁ ଯାଉଥିବା ଏହି ହସ୍‌ପିଟାଲ ପାଇଁ ସରକାର ନିର୍ମାଣକାରୀ ସଂସ୍ଥାନଙ୍କୁ ମାଗଣା ଜମି ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେଇଛନ୍ତି। ତେବେ ଭଦ୍ରକ ଆରୋଗ୍ୟ କେୟାର ହସ୍‌ପିଟାଲ ନାମରେ ଏହି ସୁପର ସ୍ପେଶିଆଲିଷ୍ଟ ହସ୍‌ପିଟାଲ ସରକାର (ଜିଲା ସ୍ୱାସ୍ଥ୍ୟ ବିଭାଗ) ସହ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ନୂତନ ଡିଏଚ୍‌ଏଚ୍ କ୍ୟାମ୍ପସରେ ଏହି ହସ୍‌ପିଟାଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୫ ତାଲା ବିଶିଷ୍ଟ ଏହି ହସ୍‌ପିଟାଲ ନିର୍ମାଣ ପାଇଁ ଯୋଜନା ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ଟାଉନ୍ ପ୍ଲାନିଂ ନିର୍ଦ୍ଦେଶାଳୟକୁ ପଠାଯାଇଛି। ଚୂଡାନ୍ତ ପ୍ଲାନ୍ ଅନୁମୋଦନ ହୋଇନଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ୨୦୨୬ ସୁଦ୍ଧା ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ। ତେବେ ଜିଲାବାସୀଙ୍କୁ ଏକ ପୂର୍ଣ୍ଣାଙ୍ଗ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଯେଉଁ ଦାବି ରହିଥିଲା, ସେଥିରେ ଜିଲାବାସୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଜଟିଳ ରୋଗର ଚିକିତ୍ସା ମିଳିପାରିଥାଆନ୍ତା। ମାତ୍ର ତାହା କରାନଯାଇ ଘରୋଇ ସ୍ୱାସ୍ଥ୍ୟ ସେବାକାରୀ ସଂସ୍ଥାକୁ ସରକାରୀ ସୁବିଧା ସୁଯୋଗ ଦେଇ ଦେୟଯୁକ୍ତ ସେବା ଯୋଗାଇ ଦିଆଯିବାର ପ୍ରାସଙ୍ଗିକତାକୁ ନେଇ ଭଦ୍ରକ ଜିଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା ମୂଳେ ସ୍ୱାସ୍ଥ୍ୟକାର୍ଡ ଥିବା ଲୋକଙ୍କୁ ବଡ ବଡ ଘରୋଇ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରୁଛି। ଏପରି ସ୍ଥଳେ ସରକାରୀ ସୁବିଧା ସୁଯୋଗ ଦେଇ ସୁଲଭ ମୂଲ୍ୟରେ ଦେୟଯୁକ୍ତ ସୁପର ସ୍ପେଶିଆଲିଷ୍ଟ ହସ୍‌ପିଟାଲ ପ୍ରତିଷ୍ଠା କରାଯିବାର କୌଣସି ଯଥାର୍ଥତା ନାହିଁ। ଏହାଫଳରେ ଜିଲାବାସୀ ନୁହଁନ୍ତି, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଘରୋଇ ଡାକ୍ତରଖାନା ଲାଭାନ୍ୱିତ ହେବେ। ଅନୁରୂପ ଜିଲାର ସବୁ ଲୋକଙ୍କର ସରକାରୀ ସ୍ୱାସ୍ଥ୍ୟ କାର୍ଡ ନାହିଁ। ବିନା କାର୍ଡଧାରୀ ଲୋକେ ଜଟିଳ ରୋଗର ଚିକିତ୍ସା ପାଇଁ ଘରୋଇ ହସ୍‌ପିଟାଲ ହୁଅନ୍ତୁ କି ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ସୁପର ସ୍ପେଶିଆଲିଷ୍ଟ ହସ୍‌ପିଟାଲର ଶୋଷଣର ଶୀକାର ହେବା ନିଶ୍ଚିତ। ଏଣୁ ସରକାର ଜିଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ପୂର୍ଣ୍ଣାଙ୍ଗ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ଦାବି କରିଛି। କାରଣ ଲୋକଙ୍କୁ ଦେୟଯୁକ୍ତ ନୁହେଁ ସଂପୂର୍ଣ୍ଣ ମାଗଣାରେ ଯେଉଁ ଉଚ୍ଚତର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି, ଯାହା କେବଳ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠାରେ ସମ୍ଭବ ହୋଇପାରିବ। ତେବେ ଜିଲାରେ ୩ ଶହ ଶଯ୍ୟା ବିଶିଷ୍ଟ ଯେଉଁ ଅତ୍ୟାଧୁନିକ ସୁବିଧା ଓ ଉପକରଣ ସହ ଏସ୍‌ଡିୟୁ, ଆଇସିୟୁ ସେମି ଆଇସିୟୁ ସୁବିଧା ଯୁକ୍ତ ନୂତନ ହସ୍‌ପିଟାଲ ନିର୍ମାଣ ହୋଇଛି, ତାହା ଜିଲାର ସ୍ୱାସ୍ଥ୍ୟସେବା ଦିଗରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ବିଧାୟକ ଶ୍ରୀ ମହାପାତ୍ର ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଲୋକାର୍ପଣ ହେବାକୁ ଯାଉଥିବା ଏହି ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ଜିଲାପାଳ ଦିଲ୍ଲୀପ ରାଉତରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଧାଂଶୁ ଶେଖର ବଳ ଓ ବିଭାଗୀୟ ଅଧିକାରୀଙ୍କ ସହ ପରିଦର୍ଶନ ଓ ଆଲୋଚନା କାଳରେ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.