Home ଜିଲ୍ଲା ପରିକ୍ରମା ଶୁଖିଲା ପଡିଛି ଧାମନଗରର ଜୀବନରେଖା ରେବ ନଦୀ , ଅଧାପନ୍ତରିଆ ଶଯ୍ୟା ଖନନ ଯୋଜନାରେ ଖର୍ଚ୍ଚ...

ଶୁଖିଲା ପଡିଛି ଧାମନଗରର ଜୀବନରେଖା ରେବ ନଦୀ , ଅଧାପନ୍ତରିଆ ଶଯ୍ୟା ଖନନ ଯୋଜନାରେ ଖର୍ଚ୍ଚ ହେଲାଣି ୯ କୋଟି

27

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗରବାସୀଙ୍କ ଜୀବନରେଖା ରେବ ନଦୀ ଏବେ ତାର ପୂର୍ବ ସ୍ଥିତି ହରାଇ ଶୁଖିଲା ପଡିଛି।ଏହି ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ରେବର ଖନନ କାର୍ଯ୍ୟ ପାଇଁ ଏ ଯାବତ “ନଦୀ ସଂସ୍କାର” ଯୋଜନାରେ ପ୍ରାୟ ୯ କୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟ ହୋଇ ଥିଲେବି ତାହା ଅଧାପନ୍ତରିଆ ଅବସ୍ଥାରେ ମୃତବତ ଭାଗ୍ୟକୁ ନିନ୍ଦୁଛି। ଫଳରେ ନଦୀ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। ମତ୍ସ୍ୟଜୀବୀଙ୍କ କୁଳ ବେଉସା ମଧ୍ୟ ବୁଡ଼ିଯିବାକୁ ବସିଲାଣି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦାରୁ ଅଂଚଳରୁ ଛୋଟିଆ ନାଳ ଭଳି ବାହାରିଥିବା ରେବ ନଦୀଟି ବନ୍ତ, ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଧାମନଗର ବ୍ଲକ୍‌ର ଦଲପୁରରେ ପ୍ରବେଶ କରିଛି। ପାଖାପାଖି ୨୨ କିମି ଧାମନଗର ବ୍ଲକ୍‌ରେ ପ୍ରବାହିତ ହେବାପରେ ତିହିଡ଼ି ବ୍ଳକ୍ ଶ୍ୟାମସୁନ୍ଦରପୁର ଦପାନାୟକାଣିରେ ଗେଙ୍ଗୁଟି ନଦୀରେ ମିଶିଛି।ଉକ୍ତ ନଦୀର ଦୈର୍ଘ୍ୟ ପ୍ରାୟ ୫୨ କିମି ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍‌ର ପ୍ରାୟ ୯ ଶହ ଗାଁର ଲୋକେ ଏହା ଉପରେ ନିର୍ଭର କରନ୍ତି। ଧାମନଗର ବ୍ଲକର ଦଇପୁର, ଚୁଡ଼ାକୁଟି, କଲ୍ୟାଣୀ, ଗୋବିନ୍ଦପୁର, ଅସୁରାଳି, ଫତେପୁର, କାଶିନ୍ଦପୁର ଆଦି ପଂଚାୟତର ପ୍ରାୟ ୧୦ରୁ ଅଧିକ ଗ୍ରାମର ୫ ହଜାର ଚାଷୀ ଏହାର ଜଳ ଉପରେ ନିର୍ଭର କରନ୍ତି। ନଦୀର ଉଭୟ ପାର୍ଶ୍ୱରେ ପ୍ରାୟ ୭ ଶହ ହେକ୍ଟରରୁ ଅଧିକ ଜମିରେ ଧାନ, ମୁଗ, ବିରି ସମେତ ରବି ଋତୁରେ ପନିପରିବା ଚାଷ ହୋଇଥାଏ । ମାତ୍ର ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ଏହି ନଦୀ ଶୁଖିବାକୁ ବସିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ନିଜ ଚାଷକୁ କେମିତି ବଂଚାଇ ରଖିବେ, ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅନ୍ୟପକ୍ଷରେ, ନଦୀ ସଂସ୍କାର ଯୋଜନାରେ ପ୍ରାୟ ୧୨ ବର୍ଷ ପୂର୍ବେ ରେବ ନଦୀ ଶଯ୍ୟା ଖନନ କରାଯାଇଥିଲା । ଏନେଇ ପ୍ରାୟ ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ସେବେଠାରୁ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାରୁ ଅଧିକାଂଶ ସ୍ଥାନରେ ଘାସ, ଦଳ, ଆବର୍ଜନା ଜମି ରହି ନଦୀଗର୍ଭ ପୋତି ହୋଇଗଲାଣି।ନଦୀ ଖନନ ସମୟରୁ ଆଡ଼ିବନ୍ଧ ମୁକୁଳା ପଡ଼ିଛି। ଫଳରେ ବର୍ଷାଦିନେ ବନ୍ୟା ପାଣି ଗୋବିନ୍ଦପୁର, କଲ୍ୟାଣୀ, ଚୁଡାକୁଟି, ଅସୁରାଳି, ଦଇପୁର ଆଦି ପଂଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛି। ସେହିପରି କାକୁଡ଼ିଗଡ଼ିଆରେ ରେବ ନଦୀରେ ଏକ ଚେକ୍‌ଡ୍ୟାମ୍ ନିର୍ମାଣ ହେଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।ଏ ନେଇ ଭଦ୍ରକ ଜଳ ନିଷ୍କାସନ (ଡ୍ରେନେଜ୍‌) ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ଖୁବ୍‌?ଶୀଘ୍ର କ୍ଷେତ୍ରୀୟ ତଦନ୍ତ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.