Home ଜିଲ୍ଲା ପରିକ୍ରମା ଶିଶୁ ପାଇଁ ଦିନଟିଏ – ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ, ୧୯୨ଟି...

ଶିଶୁ ପାଇଁ ଦିନଟିଏ – ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ, ୧୯୨ଟି ଗ୍ରାମ ପଞ୍ଚାୟତରେ ଶିଶୁ ସୁରକ୍ଷା କମିଟି ଗଠିତ

33

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ଜିଲ୍ଲା ଟାସ୍କ ଫୋର୍ସର ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଜିଲ୍ଲା ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବାଲ୍ୟ ବିବାହ ନିଷେଧ, ଶିଶୁ ଶ୍ରମିକ ଉଚ୍ଛେଦ, କିଶୋରୀ ସଶକ୍ତିକରଣ, ଚାଇଲ୍‌ଡ ଲାଇନ୍ ଉପଦେଷ୍ଟା ମଣ୍ଡଳୀ ସମ୍ବନ୍ଧୀୟ କାର୍ଯ୍ୟଧାରା ସମୀକ୍ଷା କରାଯାଇଥିଲା। ଜିଲ୍ଲା ସୁରକ୍ଷା ଅଧିକାରୀ ବିଜୟ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ୍‌, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସିମ ଅମିତାଭ ଦାସ ଗତ ଜୁଲାଇ ମାସରୁ ଅଦ୍ୟାବଧି ଶିଶୁ ସୁରକ୍ଷା ଅଭିଯାନ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ସୂଚନାଯୋଗ୍ୟ କି ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ଗତ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଶାନୁରୂପ କାର୍ଯ୍ୟକ୍ରମ କରାଯାଇ ପାରିନାହିଁ। ତଥାପି ଉକ୍ତ ଅବଧି ପୂର୍ବରୁ ଆୟୋଜିତ ହୋଇଥିବା ସଚେତନତା ମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ଜିଲ୍ଲାର ୨୧୮ଟି ଗ୍ରାମପଞ୍ଚାୟତରୁ ୧୯୨ଟିରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା କମିଟି ବୈଠକ ଗଠିତ ହୋଇଛି। କିଶୋରୀ ମାନଙ୍କ ଜୀବନୀ ଶୈଳୀ ସମ୍ବନ୍ଧୀୟ ଶିକ୍ଷା ସଚେତନତା ନେଇ ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଥିବା ଏ.ଡି.ଭି.ଆଇ.କେ.ଏ. ଆପରେ ଜିଲ୍ଲାର ୨୦୦୦ ଜଣଙ୍କୁ ମୋବାଇଲ୍‌ରେ ଯୋଡ଼ାଯାଇପାରିଛି।

ଆଇ.ସି.ଡି.ଏସ୍‌. କର୍ମଚାରୀ ୭୮ ଜଣ ସୁପରଭାଇଜର ଓ ୭ ଜଣ ସି.ଡି.ପି.ଓ.ମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଆଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ବି.ଡି.ଓ. ମାନଙ୍କ ଅଧ୍ୟକ୍ଷତାରେ ୬ଟି ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟି ମଧ୍ୟ ଗଠନ କରାଯାଇଛି। ସ୍କୁଲ ଡ୍ରପ୍‌ଆଉଟ୍ ସମସ୍ୟାକୁ ପ୍ରତିରୋଧ କରାଯିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ମିଟିଂ କରାଯାଇଛି। ୧୩ଟି ବାଲ୍ୟ ବିବାହକୁ ବାଦ କରାଯାଇ ପିତାମାତାଙ୍କ ଠାରୁ ଅଣ୍ଡରଟେକିଂ ଆଣି ସି.ଡବ୍ଲ୍ୟୁ.ସି.କୁ ପ୍ରଦାନ କରାଯାଇଛି। “ଏଠାରେ ବାଲ୍ୟ ବିବାହ କରାଯାଏ ନାହିଁ” ବୋଲି ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚରେ ଲେଖାଯିବା ପାଇଁ ଚିଠି ଦ୍ୱାରା ଅବଗତ କରାଯାଇଛି। ବାଲ୍ୟ ବିବାହ ନିଷେଧ ନେଇ ସ୍କୁଲ କଲେଜ ସ୍ତରୀୟ ଟ୍ରେନିଂରେ ପ୍ରାୟ ୭୦୦ କିଶୋରୀ ମାନଙ୍କୁ ସାମିଲ କରାଯାଇଛି। ଭଦ୍ରକ, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ର ୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷକରି ଚିହ୍ନଟ କରାଯାଇଛି। ମୂସଲମାନ ସମ୍ପ୍ରଦାୟରେ ଏହି ସଚେତନତା ବୃଦ୍ଧି ପାଇଁ ପ୍ରତି ଶୁକ୍ରବାର ଅନୁଷ୍ଠିତ ହେଉଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କାଜି, ମୌଲବୀ ମାନଙ୍କୁ ବାର୍ତ୍ତା ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଧରପଗଡ଼ ଅପେକ୍ଷା ସଚେତନତାର ବେଶୀ ଆବଶ୍ୟକ ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିବା ସହିତ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ “ଏଠାରେ ଶିଶୁ ଶ୍ରମିକ ନାହାନ୍ତି” ବୋଲି ସମ୍ମୁଖରେ ଲେଖିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ। ଆଗାମୀ ଜାନୁୟାରୀ ୧୬ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଏ ଦିଗରେ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ସି.ଡି.ପି.ଓ., ଜିଲ୍ଲା ଶ୍ରମ ଅଧିକାରୀ, ଏ.ଡି.ଇ.ଓ. ଦୀପକ ପାଢ଼ୀ, ଏଚ୍‌.ଆର୍‌.ପି.ସି.ର ସବ୍‌ଇନିସ୍‌ପେକ୍ଟର ମନ୍ଦାକିନୀ ମହାନ୍ତ. ଜି. ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.