Home ଜିଲ୍ଲା ପରିକ୍ରମା ଶିଶୁଯତ୍ନ ଅନୁଷ୍ଠାନ ଉପରେ ସରକାରଙ୍କ କଟକଣା, ସଂପାଦକଙ୍କ ମହଲରେ ଭାଳେଣି, ପୁନଃ ବିଚାର ପାଇଁ ଜିଲାପାଳଙ୍କୁ...

ଶିଶୁଯତ୍ନ ଅନୁଷ୍ଠାନ ଉପରେ ସରକାରଙ୍କ କଟକଣା, ସଂପାଦକଙ୍କ ମହଲରେ ଭାଳେଣି, ପୁନଃ ବିଚାର ପାଇଁ ଜିଲାପାଳଙ୍କୁ ନିବେଦନ

15

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ କେବଳ ପିତୃମାତୃ ହୀନ ପିଲା (୦ ରୁ ୧୮ ବର୍ଷ) ରହିବେ। ଏହାବ୍ୟତୀତ ଯେଉଁ ଶିଶୁଯତ୍ନ ଅନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ଜାତି ଓ ଜନଜାତିର ଶିଶୁ ଅନ୍ତେବାସୀ ଅଟନ୍ତି, ସେମାନଙ୍କୁ ଜିଲାରେ ଥିବା ଏସ୍‌ସି/ଏସ୍‌ଟି ଆବାସିକ ବିଦ୍ୟାଳୟକୁ ପଠାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମାରେ ଆହୁରି ନିର୍ଦ୍ଦେଶ ରହିଛି ଯେ ଏକକ ପିତାମାତା ଥିବା ସନ୍ତାନ କିମ୍ବା ସନ୍ତାନଟିକୁ ଯେଉଁ ଶିଶୁଯତ୍ନ ଅନୁଷ୍ଠାନ ରଖିଛନ୍ତି, ସେମାନଙ୍କୁ ପାରିବାରିକ ସୁରକ୍ଷା ଦେବାପାଇଁ ତାଙ୍କ ବାପା-ମା’ ଙ୍କ ନିକଟକୁ ପଠାଇ ଦେବାପାଇଁ କୁହାଯାଇଛି। ଏହାବ୍ୟତୀତ ଅନ୍ତେବାସୀଙ୍କୁ ନେବାପାଇଁ ଯଦି ସଂପୃକ୍ତ ପିତାମାତା ରାଜି ନହୁଅଁନ୍ତି, ତେବେ ଅନ୍ତେବାସୀମାନଙ୍କୁ ପୋଷ୍ୟ ସନ୍ତାନ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଯେଉଁମାନଙ୍କର ପାରିବାରିକ ଅବସ୍ଥା ଶୋଚନୀୟ, ସେହି ଶିଶୁମାନଙ୍କୁ ପୃଷ୍ଠପୋଷକତା ଯୋଜନାରେ ସାମିଲ କରାଯାଇପାରେ। ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଭଦ୍ରକ ଜିଲା ପ୍ରଶାସନ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏବେ ଭଦ୍ରକ ଜିଲାର ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ସଂପାଦକ ମହଲରେ ଭାଳେଣି ପଡିଛି। ପ୍ରଶାସନର ଏହି ନିର୍ଦ୍ଦେଶନାମା ଜାରି ପରେ ଜିଲାରେ ଥିବା ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ ଗୁଡିକର ସଂପାଦକମାନେ ସମାଜସେବୀ ଅଜୟ ନାୟକଙ୍କ ନେତୃତ୍ୱରେ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଭେଟି ଏହି ନିର୍ଦ୍ଦେଶନାମାର ପୁନଃ ବିଚାର କରିବା ପାଇଁ ନିବେଦନ କରିଛନ୍ତି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲେ ସବୁ ଶିଶୁଯତ୍ନ ଅନୁଷ୍ଠାନ ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଯିବ। ବହୁ କର୍ମଚାରୀ ଜୀବନ ଜୀବିକା ହରାଇବାକୁ ପଡିବ ବୋଲି ସଂପାଦକମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନରେ ୩୧୨ ଅନ୍ତେବାସୀ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାମଧ୍ୟରୁ ୪୫ ଜଣଙ୍କର ପିତା-ମାତା ଅଛନ୍ତି। ମାତ୍ର ୭ ଜଣ ପିତୃମାତୃ ହୀନ। ଅବଶିଷ୍ଟ ଅନ୍ତେବାସୀଙ୍କର ବାପା-ମା’ କିମ୍ବା ସଂପର୍କୀୟ ପରିବାର ଅଛି। ଅନ୍ୟପକ୍ଷରେ ଜଣାଯାଇଛି ଯେ ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନରେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତିର ପିଲାମାନେ ଅନ୍ତେବାସୀ ଅଟନ୍ତି। ଭଦ୍ରକ ଜିଲାରେ ୧୫୦ ରୁ ଉର୍ଦ୍ଧ୍ୱ ଏସ୍‌ଟି/ଏସ୍‌ସି ପିଲା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଅନ୍ତେବାସୀଙ୍କ ଜାତିଗତ ପ୍ରମାଣପତ୍ର ଅଛି। ଜିଲାରେ ୭ଟି ଏସ୍‌ସି/ଏସ୍‌ଟି ଆବାସିକ ବିଦ୍ୟାଳୟ ରହିଛି। ଏହି ଆବାସିକ ବିଦ୍ୟାଳୟ ଗୁଡିକ ଫାଙ୍କା ପଡିଥିବାବେଳେ ଶିଶୁଯତ୍ନ ଅନୁଷ୍ଠାନର ଏହି ଶ୍ରେଣୀର ପିଲାମାନେ ରହିବାର ଆବଶ୍ୟକତା ନଥିବାରୁ ସରକାର ଉପଲବ୍ôଧ କରି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିରର ସଂପାଦକ ମୁକ୍ତିକାନ୍ତ ନାୟକ, ଗାନ୍ଧୀ ବାଳାଶ୍ରମର ସଂପାଦକ ଅଶୋକ ଦାସ, ଶାନ୍ତି ଆଶ୍ରମର ଅପୂର୍ବ ଦାସ, ଯୋଗୀଋଷି ଆଶ୍ରମର ଲୋକନାଥ ପତି, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଜିଲାପାଳଙ୍କୁ ଭେଟି ଏହି ନିର୍ଦ୍ଦେଶନାମାକୁ କୋହଳ କରିବା ପାଇଁ ନିବେଦନ କରିଛନ୍ତି। ତେବେ ଆସନ୍ତାକାଲି ଏ ନେଇ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏହି ସଂପର୍କରେ ଆଲୋଚନା ହେବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.