Home Top News ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ରାଜ୍ୟ ସରକାରଙ୍କ ପ୍ରାୟୋଜିତ : ଦେବାଶିଷ ପଟ୍ଟନାୟକ, ଉପସଭାପତି...

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ରାଜ୍ୟ ସରକାରଙ୍କ ପ୍ରାୟୋଜିତ : ଦେବାଶିଷ ପଟ୍ଟନାୟକ, ଉପସଭାପତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

79

ଭୁବନେଶ୍ୱର ୨୪.୧୦ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ହତ୍ୟା ଘଟଣା ନବୀନ ସରକାରଙ୍କ ପ୍ରାୟୋଜିତ ଅଟେ। ସେ କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ପ୍ରାଇଭେଟ ସେକ୍ରେଟାରୀ ପିଏ ଏବଂ ନିକଟତମ ଲୋକଙ୍କର ମୋବାଇଲ ଫୋନ ଏବଂ ମନ୍ତ୍ରୀଙ୍କର ମୋବାଇଲ ଫୋନର କଲ ରେକର୍ଡକୁ ଯାଂଚ କଲେ ବହୁ ଲୋକାୟିତ ତଥ୍ୟ ପଦାକୁ ଆସିବ। ମନ୍ତ୍ରୀ ଦିବ୍ୟଶଙ୍କର ପୋଲିସ୍ କଷ୍ଟୋଡିରେ ଲାଇନ କାଟିବା ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଗୋବିନ୍ଦ ସାହୁଙ୍କୁ ଖସାଇବା କାର୍ଯ୍ୟକୁ ଅତି କୌଶଳର ସହ କରିପାରିଥିଲେ। ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବର୍ଷ ବର୍ଷ ଧରି ଏଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିଲା କାରଣ ଏହି ଅନୈତିକ କାର୍ଯ୍ୟକରେ ନିଜେ ମନ୍ତ୍ରୀ ଦିବ୍ୟଶଙ୍କର ବିଶିଷ୍ଟ ଅତିଥି। ମନ୍ତ୍ରୀ ଯୁବକ ହେବାକୁ ଏହି ଶିକ୍ଷାନୁଷ୍ଠାନକୁ ଯାଆନ୍ତ ବୋଲି ଭାଷଣ ଦେବା ଅତି ଲଜ୍ଜ୍ୟାକର ବିଷୟ। କେବଳ ସେତିକି ନୁହେଁ ଗୋବିନ୍ଦ ସାହୁଙ୍କର ଚେର ନବୀନ ନିବାସ ପର୍ଯ୍ୟନ୍ତ ମାଡ଼ିଛି। ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ନବୀନ ନିବାସ ଗସ୍ତର ଅନେକ ପ୍ରମାଣ ରହିଛି। କଳାହାଣ୍ଡି ଜିଲ୍ଲାରେ ଅନେକ ମହାବିଦ୍ୟାଳୟ ଥିଲେ ମଧ୍ୟ ସନ୍‌ସାଇନ୍ କଲେଜକୁ ମନ୍ତ୍ରୀମାନେ କାହିଁକି ବାରମ୍ବାର ଆସୁଥିଲେ ଓ ରାତ୍ରି ଯାଜପନ କରୁଥିଲେ ବୋଲି ଡ. ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ମମିତାଙ୍କ ଭି.ଡି.ଓରେ ମନ୍ତ୍ରୀ ଦିବ୍ୟଶଙ୍କର କଳା କାରନାମା ରହିଥିବାରୁ ଗୋବିନ୍ଦ ମମିତାଙ୍କୁ ହତ୍ୟା କଲା। ମମିତାଙ୍କୁ ହତ୍ୟାପରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଗୋବିନ୍ଦ ଫୋନରେ ଦୁଇମିନିଟ୍‌ରୁ ଉର୍ଦ୍ଧ୍ୱ କଥା ହେଲା ସେ ବ୍ୟକ୍ତି କିଏ? ଦିବ୍ୟ ଶଙ୍କରଙ୍କର ପିଏ, ପିଏସ ଏବଂ ପାଖଲୋକଙ୍କୁ ଜେରା କରାଯାଉ। ଅଶ୍ଳୀଳ ଭିଡିଓ ସଂପର୍କରେ ଗୋବିନ୍ଦ ସାହୁ ପୋଲିସ୍‌ଙ୍କ ପାଖରେ ସ୍ୱୀକାର କରିଛି? ମମିତା ବ୍ୟତୀତ ଆଉ ଜଣେ ଛାତ୍ରୀ ରାଜେଶ୍ୱରୀଙ୍କୁ ଗୋବିନ୍ଦ ସାହୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିବା କଥା ସେହି ସ୍କୁଲର ପୂର୍ବତନ ଇଂରାଜୀ ଶିକ୍ଷକ ତଥା ସେହି ଝିଅର ପିତା ମୋତିଲାଲ ନାଏକ କହିଛନ୍ତି। ସବୁ କଳାକାରନାମାରେ ମୂକସାକ୍ଷୀ ଥିଲେ ମୋତିଲାଲ ନାଏକ ଯିଏକି ସେ ସ୍ଥଳର ଶିକ୍ଷକ ଥିଲେ। ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ନେତା, ମନ୍ତ୍ରୀଙ୍କ ପାଖକୁ ପଠାଇବା ସହ ସ୍କୁଲକୁ ଏକ ରଙ୍ଗଶାଳାରେ ପରିଣତ କରିବା କଥା ସ୍କୁଲର ଇଂରାଜୀ ଶିକ୍ଷକ ମୋତିଲାଲ କହୁଛନ୍ତି। ସେହି କଲେଜର ୨ ଜଣ ଛାତ୍ରୀ ନିଖୋଜ ରହିବା କଥା ପଦାକୁ ଆସିଛି। ସ୍କୁଲ ଭିତରେ ଥିବା ବିଳାସପୂର୍ଣ୍ଣ କୋଠରୀରେ ମନ୍ତ୍ରୀ ରାତ୍ରିଯାପନ କରନ୍ତି। ଏକ ବେସରକାରୀ ଶିକ୍ଷା ଅନୁଷ୍ଠାନକୁ ମନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଦେଉଥିଲେ କାହିଁକି? ୨୦୧୪ ମସିହାରେ “ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ” କୁ ଅହେତକୁ ସରକାରୀ ଅର୍ଥ ସାହାଯ୍ୟ ସଂପର୍କରେ ସି.ଏ.ଜି. ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସରକାର ଏହାକୁ ଭୃକ୍ଷେପ କଲେ ନାହିଁ। ଏହା ବିଜେଡ଼ି ବିଧାୟକ ମନ୍ତ୍ରୀଙ୍କର ରଙ୍ଗଶାଳା ବୋଲି ସମସ୍ତ ନିୟମକୁ ଉଲଙ୍ଘନ କରି ଏହି ଶିକ୍ଷାନୁଷ୍ଠାନକୁ ସରକାରୀ ଅର୍ଥର ବର୍ଷା ହେଉଥିଲା। ନବୀନ ବାବୁ ସବୁ ଜାଣି ମଧ୍ୟ ଆଜି ନିରବ ଏବଂ ଏ ସଂପର୍କରେ ପଦେ ମଧ୍ୟ ମୁହଁ ଖୋଲୁ ନାହାଁନ୍ତି। ଶ୍ରୀ ପଟ୍ଟନାୟକ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ନିବେଦନ କରିଛନ୍ତି ଯେ ସମ୍ବିଧାନିକ କ୍ଷମତା ଅନୁଯାୟୀ ଏହି ଘଟଣାର ସତ୍ୟାସତ୍ୟ ପାଇଁ ହସ୍ତକ୍ଷେପ କରନ୍ତୁ। କାରଣ ଏହାକୁ ଘୋଡ଼ାଇ ଦେବା ପାଇଁ ସରକାର ଚକ୍ରାନ୍ତ କରୁଛନ୍ତି। ଏହି ଦାଗି ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ମାନ୍ୟବର ସୁପ୍ରିମକୋର୍ଟ ଯେପରି ଲକ୍ଷୀମପୁର ଖେରୀ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ ସେହିପରି ମାନ୍ୟବର ହାଇକୋର୍ଟ ଏହି ପର୍ଷ୍ପକାତର ଘଟଣାର ବିଚାରକୁ ନିଜ ଆଡୁ ଆରମ୍ଭ କରି କୋର୍ଟ ପରିଚାଳିତ ତଦନ୍ତ ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଘଟଣାର ପଂଚାୟତ ରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ମଧ୍ୟ ଦୃଶ୍ୟମାନ କାରଣ ତାଙ୍କ ବିଭାଗର ବହୁ ଅର୍ଥ ଏହି ଶିକ୍ଷାନୁଷ୍ଠାନର ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜତ ଚୌଧୁରୀ, ମନୋଜ ବିଶ୍ୱାଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.