Home ଜିଲ୍ଲା ପରିକ୍ରମା ଶିକ୍ଷାନୁଷ୍ଠାନ ମାନଙ୍କରେ ନିଶା ଓ ଗୁଟ୍‌ଖାର ବ୍ୟବହାର ଓ ଏହାର କୁପରିଣାମ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ...

ଶିକ୍ଷାନୁଷ୍ଠାନ ମାନଙ୍କରେ ନିଶା ଓ ଗୁଟ୍‌ଖାର ବ୍ୟବହାର ଓ ଏହାର କୁପରିଣାମ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

80

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅତୀବ ଦୁଃଖ ଓ ପରିତାପର ବିଷୟ ଏହିକି ଆଜିର ଅଧିକାଂଶ ଯୁବପିଡ଼ି ନିଶାକବଳରେ କବଳିତ, ମାନସିକ ବିଚାରଗ୍ରସ୍ତ ଓ ବିଭିନ୍ନ ପ୍ରକାର ରୋଗଗ୍ରସ୍ତ। ଭାରତ ବିରୋଧି ତତ୍ୱ ମାନଙ୍କ ଦ୍ୱାରା ଏହି ଯୁବଗୋଷ୍ଠୀ ପ୍ରଭାବିତ ଓ ସମାଜ ବିରୋଧି ତତ୍ୱମାନେ ନିଶା ମଞ୍ଜି ବୁଣି ଯୁବ ସମାଜକୁ ପଥଭ୍ରଷ୍ଟ କରିବାରେ ନିଶା ହେଉଛି ଏକ ମୁଖ୍ୟ ଆୟୁଧ। ନିଶା ଶରୀର ପାଇଁ କ୍ଷତିକାରକ ଜଣାଥିଲେ ମଧ୍ୟ କ୍ଷଣିକ ସୁଖ ଓ ଆନନ୍ଦ ପାଇଁ ସେହି ବିରୋଧି ତତ୍ୱ ମାନେ ଏହି ନିଶାରୂପୀ ରାକ୍ଷସକୁ ଭାରତ ମଧ୍ୟରେ ପ୍ରବେଶ କରାଇ କୋଟି କୋଟି କଳା ଟଙ୍କା ଆୟ କରିବା ସହ କୋମଳମତି ବାଳକ ବାଳିକା ଓ ଯୁବଗୋଷ୍ଠିକୁ ନିଶାଗ୍ରସ୍ତ ଓ କୁପଥରେ ଚଲାଇ ସମାଜରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରୁଛନ୍ତି। କୋମଳମତି ବାଳକ ବାଳିକା ଓ ଯୁବ ଗୋଷ୍ଠୀ ଏହି ଦେଶର ମୁଖ୍ୟ ସମ୍ପଦ।

ଏହି ସମ୍ପଦ ଥରେ ଧ୍ୱଂସଗାମୀ ହେଲେ ଦେଶର ପ୍ରଗତି ଓ ଉନ୍ନତି ଅସମ୍ଭବ। ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖା, ଗଞ୍ଜା, ଚରସ, ମଦ ଓ ଡ୍ରଗ୍ସ ଇତ୍ୟାଦି ମାଦକ ଦ୍ରବ୍ୟର ଉପଲବ୍ଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟରେ ଥିବା ଦୋକାନ ମାନଙ୍କରେ ସହଜରେ ମିଳି ପାରୁଛି, ଯଦ୍ୱାରା ଶିକ୍ଷାର୍ଥୀମାନେ ଏହାର ସେବନ ଯୋଗୁ ବିଭିନ୍ନ ପ୍ରକାରର ଦୂରାରୋଗ, ମାନସିକ ଅଶାନ୍ତି, ବିଦ୍ୟାଳୟରେ ଅନୁପସ୍ଥିତି, ବିକାରଗ୍ରସ୍ତ ହୋଇ ନିଜର ବିବେକ, ବିଚାର ବୁଦ୍ଧି ହରାଇ ପଥଭ୍ରଷ୍ଟ ହୋଇ ଭବିଷ୍ୟତ ନଷ୍ଟ କରିବା ସଂଗେ ସଂଗେ ପରିବାର ଓ ଦେଶର ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ଏଣୁ ଚରିତ୍ର ଗଠନ ଓ ନୈତିକ ଶିକ୍ଷାର ଆବଶ୍ୟକତା ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏହାର ପ୍ରତିକାର ପାଇଁ ସମାଜସେବୀ ତଥା ପ୍ରାକ୍ତନ ଶିକ୍ଷାବିତ୍ ଓ ଭଦ୍ରକ ଜିଲ୍ଲା ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନ୍‌ଜୀବୀ ଆଦିତ୍ୟ ନାୟକ, ଆଇ.ଏମ୍‌.ଏ ର ସମ୍ପାଦକ ତଥା ବରିଷ୍ଠ ଡା. ହରେକୃର୍ଷ୍ଣ ନାୟକ, ସମାଜସେବୀ ସୁଧାକର ରାଉତ୍‌, ରମେଶ ଦାସ, ଦେବୀକିଂକର ପାଣିଗ୍ରାହୀ ଓ ମୁକ୍ତିକାନ୍ତ ମହାପାତ୍ର ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିବା ସହ ‘ନିଶା ସେବନ’ ଓ ଏହାର କୁପରିଣାମ ସମ୍ପର୍କରେ ଶିକ୍ଷାନୁଷ୍ଠାନ ମାନଙ୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଏକ ଦାବିପତ୍ର ଦେବା ସଂଗେ ସଂଗେ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ମାନେ ପୂର୍ଣ୍ଣପ୍ରାଣରେ ସହଯୋଗ କରିବାକୁ ମତ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ନିକଟରେ କୋଟପା ଆକ୍ଟ ଲାଗୁ କରିବାକୁ ଜିଲ୍ଲାପାଳ ମହୋଦୟଙ୍କୁ ମଧ୍ୟ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.