ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଜିରିଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ପରିବେଶ ମଧ୍ୟରେ ସହକାରୀ ଶିକ୍ଷକ ଶ୍ୟାମସୁନ୍ଦର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦୀର୍ଘ ବର୍ଷର ନିଷ୍ଠାପର ଶିକ୍ଷାଦାନ ପରେ ତାଙ୍କର ଏହି ଅବସର ଗ୍ରହଣ ସମୟରେ ସହକର୍ମୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୟାଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ମିଶ୍ର, ରାଜକିଶୋର ସାହୁ, ଲାଲମୋହନ ପୁହାଣ, କାଦବରାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳଲୋଚନ ଦାସ, ଶିକ୍ଷକ ନେତା ସୁଧିର କୁମାର ବାରିକ ଓ ଶୁଭେନ୍ଦୁ କୁମାର ବିଶ୍ୱାଳ, ସାଧନକେନ୍ଦ୍ର ସଂଯୋଜକ ଉତମ କୁମାର ଦାସ ଏବଂ ଏନ୍.ପି.ଏସ୍ ସଂଘର ନେତା ନିରାକାର ଯେନା ଓ ପଦ୍ମନାଭ ସେଠୀ ଯୋଗଦେଇଥିଲେ । ଅତିଥିମାନେ ଶ୍ରୀ ସେଠୀଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଭିହିତ କରିବା ସହ ସମାଜ ଗଠନରେ ତାଙ୍କର ନିରଳସ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ୨୦୦୫ ମସିହା ଜାନୁଆରୀ ୧ ତାରିଖରେ ଅଣ୍ଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ସେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ। ଦମୟନ୍ତୀ ପୁହାଣ, ରୁନୁଲତା ଦାସ, ବିଷ୍ଣୁପ୍ରିୟା ମହାନ୍ତି, ସୁଧାକର ବଳ ପ୍ରମୁଖ ଶ୍ରୀ ସେଠୀଙ୍କ ସହ ବିତାଇଥିବା ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ସାହୁ, ପୂର୍ମି ବାନରା, ଝିଲ୍ଲି ରାଉତ୍, ପରିଚାଳନା କମିଟି ସଭାପତି ପାର୍ଥସାରଥୀ ରାଉତ୍ ଏବଂ ଗ୍ରାମବାସୀମାନେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସମସ୍ତେ ଶ୍ରୀ ସେଠୀଙ୍କର ସୁସ୍ଥ ଓ ନିରାମୟ ଅବସର ଜୀବନ କାମନା କରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
Home ଜିଲ୍ଲା ପରିକ୍ରମା ଶିକ୍ଷକ ଶ୍ୟାମସୁନ୍ଦର ସେଠୀଙ୍କୁ ଭାବପୂର୍ଣ୍ଣ ବିଦାୟ,ଜିରିଣା ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା








