Home Top News ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

98

– ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ
– ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ
– କ୍ଷମା କରିବେ ନାହିଁ ରାଜ୍ୟବାସୀ
– ପ୍ରତ୍ୟାଖ୍ୟାତ ନେତାଙ୍କୁ ପ୍ରଭୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ
ଭୁବନେଶ୍ୱର, ୦୬/୧୨ (ଓଡ଼ିଆ ପୁଅ) : ବିଗତ କିଛି ବର୍ଷ ହେଲା ରାଜ୍ୟ ବିଜେପି ଶାଳୀନତାର ସବୁ ସୀମା ଲଙ୍ଘି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛି। ଆଜି ବିଜେପି ନେତାମାନେ ରାଜ୍ୟବାସୀଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଅଶାଳୀନ ଭାଷାରେ ଚିଠି ଲେଖିଛନ୍ତି ତାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଘୋର ବିରୋଧୀ ଏବଂ ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାର ରାଜନୀତିରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ଅନେକ ବାର ମତାନ୍ତର ଓ ବିତର୍କ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ସମାଲୋଚନା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। କିନ୍ତୁ କେବେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଜନୈତିକ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରି ନାହାନ୍ତି। ମାତ୍ର ଗତ କିଛି ବର୍ଷ ହେଲା ରାଜ୍ୟରେ ବିରୋଧୀ ଆସନରେ ବସିଥିବା ବିଜେପି ଏହି ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ଭୁଲି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳକୁ ବିରୋଧ କରିବା ଲାଗି ଅତି ନିମ୍ନ ସ୍ତରକୁ ଓହ୍ଲାଇ ଯାଇଛି।

ଏହାର ଉଦାହରଣ ଦେଇ ଶ୍ରୀମତୀ ମଲ୍ଲିକ ଦର୍ଶାଇଛନ୍ତି ଯେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିବାବେଳେ ବିଜେପି ପକ୍ଷରୁ ତାଙ୍କ ଉପରେ ବୋତଲ ମାଡ଼ ହୋଇଥିବାବେଳେ ସଭାମଞ୍ଚକୁ ଚପଲ ଫିଙ୍ଗା ଯାଇଥିଲା। ସେହିଭଳି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ଯଜ୍ଞ କର୍ମ ସାରି ଫେରୁଥିବାବେଳେ ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ବିଜେପି କର୍ମୀମାନେ ତାଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ପଛାଇ ନଥିଲେ। ଧର୍ମ ନାଁରେ ରାଜନୀତି କରୁଥିବା ବିଜେପିର ଏଭଳି କୁକାର୍ଯ୍ୟ ରାଜ୍ୟବାସୀଙ୍କ ଧର୍ମୀୟ ଭାବନାକୁ କୁଠାରାଘାତ କରିଥିଲା। ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ଜଗନ୍ନାଥ ମନ୍ଦିରର ସେବାୟତମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରି ବିରୋଧ ପ୍ରଦର୍ଶନ କରିଥିଲେ।

ମାତ୍ର ବାରମ୍ବାର ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରି ନିନ୍ଦିତ ହେଉଥିବା ବିଜେପି ଏଥିରୁ କିଛି ଶିଖିଲା ଭଳି ମନେ ହେଉନାହିଁ। ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଚିଠି ଲେଖି ବିଜେପି ନେତାମାନେ ସେମାନଙ୍କ ନିମ୍ନ ରୁଚି, ବିକୃତ ସଂସ୍କାର ଓ ନକାରାତ୍ମକ ମାନସିକତାର ପରିଚୟ ଦେଇଛନ୍ତି ଏବଂ ଶାଳୀନତାର ସବୁ ସୀମା ଲଂଘି ଯାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତି ଓ ଉଚ୍ଚ ପରମ୍ପରାରେ ବିଶ୍ୱାସ କରୁଥିବା ସାଢ଼େ ଚାରି କୋଟି ସ୍ୱାଭିମାନୀ ଓଡ଼ିଆ ବିଜେପିର ଏଭଳି ଅଶୋଭନୀୟ ଆରରଣ ଓ ଉଚ୍ଚାରଣକୁ କେବେ ହେଲେ କ୍ଷମା ଦେବେନାହିଁ। ଓଡ଼ିଶାବାସୀଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିବା ବିଜେପିକୁ ଏହା ନିଶ୍ଚିତ ମହଙ୍ଗା ପଡ଼ିବ। ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.