Home ଜିଲ୍ଲା ପରିକ୍ରମା ଶାଳଣିଆ ବ୍ରାଂଚକେନାଲ ଜନ୍ମଗତ ତୃଟି ସୁଧାରିବାକୁ ମୁଖ୍ୟଯନ୍ତ୍ରୀଙ୍କ ସମୀକ୍ଷା

ଶାଳଣିଆ ବ୍ରାଂଚକେନାଲ ଜନ୍ମଗତ ତୃଟି ସୁଧାରିବାକୁ ମୁଖ୍ୟଯନ୍ତ୍ରୀଙ୍କ ସମୀକ୍ଷା

18

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଶାଳଣିଆ ଜଳସେଚନ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅଜିତ ଜେନା, ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରୂପ ସିଂ ଚାଙ୍ଗୁଆ, ସହକାରୀ ଯନ୍ତ୍ରୀ ପରେଶ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ମନୋଜ ସେଠୀ ଗୁରୁବାର ଶାଳଣିଆ ବ୍ରାଂଚ କେନାଲର ଜଳସେଚନ ଜନିତ ଜନ୍ମ ଗତ ତୃଟି ସୁଧାରିବାକୁ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ଚାଷୀମାନଙ୍କ ସହ ସମୀକ୍ଷା ଆଲୋଚନା କରିଥିବା ଜଣାଯାଇଛି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରସ୍ତାବ କ୍ରମେ ଯନ୍ତ୍ରୀମଣ୍ଡଳୀ ନାଆମୀ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ନାଆମୀ ସମିତି ସଭ୍ୟ ସନ୍ତୋଷ ନାୟକ, ସରପଞ୍ଚ ବିଶ୍ୱନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ, ରତନ ରାଉତ, କାଳନ୍ଦୀ ପଣ୍ଡା, ଓମପ୍ରକାଶ ରାଉତ, ବିନୋଦ ବିହାରୀ ରାଉତ, ଚିତ୍ତରଞ୍ଜନ ପତି ପ୍ରମୁଖଙ୍କ ଠାରୁ ମତାମତ କରିଥିଲେ। ୪୦ ବର୍ଷ ପୂର୍ବରୁ ତୃଟିପୂର୍ଣ୍ଣ ଭାବେ ନିର୍ମିତ ଏହି କେନାଲ ଚାଷଜମି ଠାରୁ ନିମ୍ନରେ ଥିବାରୁ ଜଳ ଉଜାଣି ବହୁଛି ଓ ଜଳସେଚନ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇଛି। ପ୍ରାୟ ୩୨.୬୫ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଏହି କେନାଲ ନୂଆଗାଁ ମାଇନର, କଣ୍ଟାପଡା ମାଇନର, କୋଟସିରା ମାଇନର, ମୋବାରକପୁର ମାଇନର, ଜଇପୁର ମାଇନର, ଥଇଳା ମାଇନର, ପାଟୁଳି ମାଇନର ଆଦି କେନାଲ ଯୋଗେ ୭୬୨ ହେକ୍ଟର ଚାଷଜମିକୁ ଜଳସେଚନ କରିବାକୁ ଲକ୍ଷଧାର୍ଯ୍ୟ କରାଯାଇଥିଲା। ମାତ୍ର ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ। ଏବେ ଏହାର ପୁନଃନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ସହ ମଞ୍ଜୁରୀରୋଡ ଠାରେ ଜଳସେଚନ କାର୍ଯ୍ୟାଳୟ ନିର୍ମାଣ, ସଂଯୋଗୀକରଣ ରାସ୍ତା ନିର୍ମାଣ, ରାଘପୁର ଠାରୁ ବଳିପୁର ପର୍ଯ୍ୟନ୍ତ ନଦୀସୁରକ୍ଷା ବନ୍ଧ ନିର୍ମାଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ତୁରନ୍ତ ଏଥିନେଇ ନିଷ୍ପତ୍ତି ହେବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.