ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପବିତ୍ର ତିରୋଧାନ ତିଥି ସହିଦ ଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଐତିହାସିକ ଗାନ୍ଧୀ ପଡ଼ିଆରେ ଅବସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଓ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ, ଗାନ୍ଧୀ ବିଚାର ମଂଚ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ବରିଷ୍ଠ ନାଗରିକ ମହାସଂଘ, ସର୍ବୋଦୟ ମଣ୍ଡଳ ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଏହିମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ ପ୍ରମୁଖ ଭଦ୍ରକ ସହର ମୁଖ୍ୟ ରାସ୍ତାର ପାଶ୍ୱର୍ସ୍ଥ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗାନ୍ଧି ପଡ଼ିଆରେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସମାଜସେବୀ ଅଜୟ କୁମାର ନାୟକ, ଶାନ୍ତନୁ ରାଉତ, ସୁଧାକର ରାଉତ, ରାଧାରାଣୀ ମହାପାତ୍ର, ଲଲାଟେନ୍ଦୁ ମହାପାତ୍ର, କୌଳାସ ଚନ୍ଦ୍ର ମହାପାତ୍ର, ଅତିସ୍ କୁମାର ବେହେରା, ଅମର କୁମାର ପାଣିଗ୍ରାହୀ, ଅଶୋକ କୁମାର ଦାସ, ପବନ ଶର୍ମା, ଏସ୍.ଏନ୍.ଫାରୁକ୍ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଦିବସ ପାଳନ ଉପଲକ୍ଷେ ଠିକ୍ ଦିବା ୧୧ ଘଟିକାରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ନେଇ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ୨ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା । ଡ଼େପୁଟି କଲେକ୍ଟର କରୁଣାକର ଦିଣ୍ଡା, କାର୍ତିକ ନାଥ ମଣ୍ଡଳ, ପ୍ରମିଳା ମଲ୍ଲିକ, ପ୍ରଜ୍ଞା ହୋତା, ଲୋକସଂପର୍କ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୀରବ ପ୍ରାର୍ଥନାରେ ଅଂଶ ଗ୍ରହଣ କରିଥିଲେ । ଗାନ୍ଧୀଜିଙ୍କ ପ୍ରଣୀତ ସତ୍ୟ, ଅହିଂସା ଓ ଅନ୍ୟ ସମସ୍ତ ବିଚାର ଧାରାର ଆଜି ବି ପ୍ରାସଙ୍ଗିତକତା ରହିଛି । କେବଳ ଆମ ଦେଶ ଭାରତ ନୁହେଁ ସାରା ବିଶ୍ୱରେ ଗାନ୍ଧୀବାଦକୁ ସମ୍ମାନ ମିଲିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।