ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶତ୍ରୁଘ୍ନ ନାଥ ଥିଲେ ସାରା ଓଡ଼ିଶାର ମହାଗୁରୁ। ବାଲ୍ୟାବସ୍ଥାରୁ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା। ଦାରିଦ୍ର୍ୟ ପରିସ୍ଥିତିରେ ସେ ପଙ୍କରୁ ପଦ୍ମ ହୋଇ ଉଠିଥିଲେ। ଓଡ଼ିଶାରେ ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଥିଲେ। ଓଡ଼ିଶାରେ ଶିକ୍ଷକମାନଙ୍କ ତାଲିମ୍ ପାଇଁ ନିରନ୍ତର ପ୍ରଚେଷ୍ଟା କରିଥିଲେ। ତାଙ୍କର ଉଦ୍ୟମ ଫଳରେ କଟକ ଓ ଅନୁଗୁଳ ଠାରେ ଶିକ୍ଷକ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ଯେତେବେଳେ ଗୁରୁ ତାଲିମ୍ ବ୍ୟବସ୍ଥା ନଥିଲା। ସେ ହିଁ ଏକମାତ୍ର ବ୍ୟକ୍ତି ସେତେବେଳେ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷକମାନଙ୍କୁ ତାଲିମ୍ ପ୍ରଦାନର ବ୍ୟବସ୍ଥା କରିଥିଲେ। ଦାରିଦ୍ୟ ଅବସ୍ଥାରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ନିଜ ପ୍ରତିଭା ବଳରେ ସେ ଲଣ୍ଡନରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ତାଙ୍କ ଜୀବନ ଥିଲା ଅତି ସରଳ, ଚିନ୍ତା ଥିଲା ଅତି ଉଚ୍ଚ। ସେ ଗାନ୍ଧିବାଦୀରେ ବିଶ୍ୱାସ ରଖିଥିଲେ। ମହିମା ଧର୍ମର ଉପାସକ ଥିଲେ। ଖଦଡ ପୋଷାକ ପରିଧାନ କରି ସରଳ ନିରାଡମ୍ବର ଜୀବନ ଯାପନ କରୁଥିଲେ। ତାଙ୍କ ଜୀବନ ଭିତରେ ମହତ୍ୱ ଆକାଂକ୍ଷା ତାଙ୍କୁ ଓଡ଼ିଶା କାହିଁକି ଭାରତର ଜଣେ ବିଶିଷ୍ଟ ଗୁରୁ ଗୌରବ ଦେଇଥିଲା। ଓଡ଼ିଶାର ବିଭିନ୍ନ ଅଂଚଳରେ ବିଦ୍ୟାଳୟ ପ୍ରତିଷ୍ଠାରେ ସେ ମାର୍ଗଦର୍ଶକ ଥିଲେ ବୋଲି ଆଜି ଶିକ୍ଷାବିତ୍ ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସମାଜସେବୀ ଅଜୟ ନାୟକଙ୍କ ସଭାପତିତ୍ୱରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲାପାଳ ଦିଲ୍ଲୀପ ରାଉତରାଏ, ବିଶିଷ୍ଟ ଶିକ୍ଷାବିତ୍ ବ୍ରଜ ମିଶ୍ର, ଶୈଳେନ୍ଦ୍ର ମହାପାତ୍ର, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ରାଧାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଶିଷ୍ଟ ସମାଜସେବୀ ସୁଧାକର ରାଉତ ଏହି ଉତ୍ସବଟିକୁ ସଂଯୋଜନା କରିଥିଲେ। ଏହି ଶ୍ରାଦ୍ଧ ଉତ୍ସବରେ ଶିକ୍ଷାବିତ୍ ବ୍ରଜ ମିଶ୍ର ଓ ସାରସ୍ୱତ ସାଧକ ବାଇଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।







