Home ଜିଲ୍ଲା ପରିକ୍ରମା ଲୋକ ଆଢୁଆଳରେ ମା ’ ସାତଭଉଣୀଙ୍କ ପୀଠର ୧୨୧ ବର୍ଷର ମକର ମେଳା

ଲୋକ ଆଢୁଆଳରେ ମା ’ ସାତଭଉଣୀଙ୍କ ପୀଠର ୧୨୧ ବର୍ଷର ମକର ମେଳା

1

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶକ୍ତି ଉପାସନା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅଭୁତ ବୈଶିଷ୍ଟ୍ୟ ରହିଥିବା ମା’ ସାତଭଉଣୀ ଦେବୀ ପୀଠରେ ମକର ଯାତ୍ରା ଆଜି ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହା ୮ ଦିନ ବ୍ୟାପୀ ପାଳିତ ହେବ। ଆଜି ମା’ ସାତଭଉଣୀଙ୍କ ସ୍ନାନ ପରେ ଅପରାହ୍ନ ୪ ଘଟିକାରେ ମାର୍ଜନା କାର୍ଯ୍ୟ (ଦାସୀ) ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଠାରୁ ତିନିଦିନ ବ୍ୟାପୀ ମା’ଙ୍କ ପୀଠରେ ଯଜ୍ଞ ଓ ଚଣ୍ଡିପାଠ ହେବ। ୧୮ ତାରିଖରେ ପୂର୍ଣ୍ଣାହୁତି, ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅପେରା ପ୍ରଦର୍ଶନ, ୨୩ ରେ ମେଳା ଉଦ୍‌ଯାପିତ ହେବ। ଏହି ମକର ମେଳା ୧୨୧ ବର୍ଷ ଧରି ମା’ଙ୍କ ପୀଠରେ ପାଳିତ ହୋଇଆସୁଅଛି। ଭଦ୍ରକ ସହର ପରିକ୍ରମା କରିଥିବା ୧୬ନଂ ଜାତୀୟ ରାଜପଥ ଠାରୁ ମାତ୍ର ୩ କିମି ଭଦ୍ରକ-ଆରଡି ରାସ୍ତାରେ ଗଲେ ଭଦ୍ରକ ବ୍ଲକ୍ ଅଧୀନ କୋରକୋରା ଗ୍ରାମପଂଚାୟତର ମା’ ସାତଭଉଣୀ ମନ୍ଦିର ବାମପାଶ୍ୱର୍ରେ ପଡେ। ସାଧାରଣତଃ ସମସ୍ତ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା, ବାସନ୍ତୀ ଦୁର୍ଗାପୂଜା ସମାସମାରୋହରେ ପାଳନ କରାଯାଉଥିବାବେଳେ ମା’ ସାତଭଉଣୀଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ପାଳନ କରାଯାଏ। ମା’ ସାତଭଉଣୀ ବ୍ରାହ୍ମଣ୍ୟ ବୈଷ୍ଣବୀ ଆଦି ଗୋଷ୍ଠୀର ସୀମା ଭିତରେ ନରହି ସର୍ବତ୍ର ପୂଜିତ। ମା’ ସାତଭଉଣୀଙ୍କ ବିଜେସ୍ଥଳୀ କୌଣସି ଏକ ଗ୍ରାମ ବା ଜନବସତି ମଧ୍ୟରେ ସୀମାବଦ୍ଧ ନୁହେଁ। ମା’ଙ୍କ ମନ୍ଦିର ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ। ଏହାର ବାମପାଶ୍ୱର୍ରେ ବିଶାଳକାୟ ବଟବୃକ୍ଷ ଓ ଦୁଇଟି ପୁଷ୍କରିଣୀ, ସମ୍ମୁଖ ଭାଗରେ ଐତିହାସିକ ବଡଦାଣ୍ଡ ରାସ୍ତାର ଉଭୟ ପାଶ୍ୱର୍ରେ ଆମ୍ରକାନନର ନୈସର୍ଗିକ ଶୋଭା, ଉତର ଦିଗରେ ପଶ୍ଚିମା ବଟବୃକ୍ଷ ଠାରୁ ପାଖରେ କାଠଚମ୍ପା ଗଛର ଶୋଭା ଜନ ମାନସକୁ ଆକର୍ଷିତ କରିଥାଏ। ଏହି ମକର ଯାତ୍ରା ପାଇଁ ପରମ୍ପରା ଅନୁସାରେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ନେଇ ଏକ କମିଟି ଗଠନ କରାଯାଇଥାଏ। ଭୌଗୋଳିକ ଓ ପାରିପାଶ୍ୱର୍ିକ ଦୃଷ୍ଟିରୁ ଏହା କେବଳ ଏହି ଅଂଚଳର ଦେବୀ ନୁହଁନ୍ତି, ଭଦ୍ରକ ଜିଲାର ଧାର୍ମିକ ତଥା ତୀର୍ଥଯାତ୍ରୀଙ୍କ ପାଇଁ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ରୂପେ ବିରାଜମାନ ହୋଇଛି। ତେବେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁଁ ଏହା ଲୋକ ଲୋଚନକୁ ଆସିପାରିନାହିଁ। ମକର ମେଳା ଆସିଲେ ଆଖପାଖ କୋରକୋରା, ହରିପୁର, ବିଲାବାଡି, ଶ୍ରୀଧରପୁର, ଗେଲପୁର ଓ ଅର୍ଣ୍ଣପାଳ ଅଂଚଳ ଚଳଚଂଚଳ ହୋଇଉଠେ। ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୁଏ। ଏଠାକାର ଲୋକମାନେ ଆନନ୍ଦ ଭରି ଏହାକୁ ଉପଭୋଗ କରିଥାନ୍ତି। ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଜମିଥାଏ। ଜିଲା ତଥା ରାଜ୍ୟ ବାହାର କାର୍ଯ୍ୟରତ କର୍ମଚାରୀମାନେ ମକର ଯାତ୍ରା ଉପଲକ୍ଷେ ଧାଇଁଆସନ୍ତି ନିଜ ନିଜ ଗାଁକୁ। ଆତ୍ମୀୟ ସ୍ୱଜନ ତଥା ସାଙ୍ଗସାଥୀମାନଙ୍କର ମିଳନ ସ୍ଥଳୀ ପାଲଟେ ଏହି ମେଳା ବୋଲି କହନ୍ତି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା। ମେଳାରେ ଦୋକାନ ବଜାରର ସମ୍ଭାର ଖୋଲାଯାଏ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ। ପ୍ରତିବର୍ଷ ଖୋଲା ରଙ୍ଗମଂଚରେ ଅପେରା ଦଳମାନଙ୍କ ଯାତ୍ରା ପରିବେଷଣ ଏହି ମେଳାର ଅନ୍ୟ ଏକ ପରମ୍ପରା। ମା’ଙ୍କର ସଂକୀର୍ତନ ବିଶେଷକରି ମା’ଙ୍କ ସମ୍ମୁଖ ହୋମକୁଣ୍ଡ ଅର୍ଘ୍ୟ ଓ ଝୁଣା ଧୁଆଁରେ ମା’ଙ୍କ ମାର୍ଜନା କାଳରେ କାଳିସୀମାନଙ୍କ ଭବିଷ୍ୟ ବାଣୀ ଶୁଣାଣୀ ପରମ୍ପରା ଏହି ମକର ମେଳାର ମୁଖ୍ୟ ଆକର୍ଷଣ। ମକର ମେଳା ଶୃଙ୍ଖଳିତ ଭାବେ ପାଳିତ ହେବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସହଯୋଗର ହାତ ବଢାଇଥାନ୍ତି। ଯାଗଯଜ୍ଞ, ନାମ ସଂକୀର୍ତନ ଓ ପ୍ରବଚନ ଆଦି ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥାଏ। ମା’ ସାତଭଉଣୀ ପୀଠରେ ଐତିହାସିକ ଗବେଷଣା ହୋଇପାରିନଥିବା କାରଣରୁ ଏହି ପୀଠ ଏବେ ଲୋକ ଆଢୁଆଳରେ ରହିଯାଇଛି। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସଂପୃକ୍ତ ପୀଠଟି ଆଜିସୁଦ୍ଧା ସ୍ଥାନିତ ହୋଇପାରିନାହିଁ। ଏହି ପୀଠର ସମୂହ ବିକାଶ ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳରେ ଦାବି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.