Home ଜିଲ୍ଲା ପରିକ୍ରମା ଲୋକାର୍ପିତ ହେଲା ହିରୋ ମୋଟୋକର୍ପର ବାଇକ୍ ଆମ୍ବୁଲାନ୍‌ସ

ଲୋକାର୍ପିତ ହେଲା ହିରୋ ମୋଟୋକର୍ପର ବାଇକ୍ ଆମ୍ବୁଲାନ୍‌ସ

90

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଅଗ୍ରଣୀ ବାଇକ୍ ନିର୍ମାତା ହିରୋ ମୋଟୋକର୍ପ ଆନୁକୂଲ୍ୟରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବାଇକ୍ ଆମ୍ବୁଲାନ୍‌ସ ସେବା ଲୋକାର୍ପିତ ହୋଇଛି । ହିରୋ ମୋଟୋକର୍ପର ଭଦ୍ରକ ଜିଲ୍ଲା ଅଧିକୃତ ବିକ୍ରେତା ସଞ୍ଜିବ ହିରୋ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨ଟି ଦୁଇଚକିଆ ଆମ୍ବୁଲାନ୍‌ସକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର, ହିରୋ ମୋଟୋକର୍ପର ଏରିଆ ମ୍ୟାନେଜର ଅବଦୁଲ ଆହାଦ୍‌, ଟେରୀଟୋରୀ ମ୍ୟାନେଜର ପଲ୍ଲବୀ ପଟ୍ଟନାୟକ, ସଂଜୀବ ହିରୋର ମ୍ୟାନେଜିଂ ପାର୍ଟନର ପ୍ରୀତିରଂଜନ ଜେନା ପ୍ରମୁଖ ଯୋଗ ଦେଇ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ଯେଉଁ ଅଞ୍ଚଳକୁ ମୁଖ୍ୟତଃ ୪ ଚକିଆ ଆମ୍ବୁଲାନ୍‌ସ ଯାଇ ପାରୁନାହିଁ, ସେହି ଅଞ୍ଚଳକୁ ଏହି ଦୁଇ ଚକିଆ ଆମ୍ବୁଲାନ୍‌ସ ସହଜରେ ଯାଇ ପାରିବ ଏବଂ ରୋଗୀଙ୍କୁ ଆଣିବାରେ ସହାୟକ ହୋଇ ପାରିବ ବୋଲି କହିଥିଲେ । ସାଂସଦ ଶ୍ରୀମତୀ ମଣ୍ଡଳ ହିରୋ କମ୍ପାନୀର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହା ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ସହାୟକ ହେବ ବୋଲି କହିଥିଲେ । ଏହି ୨ଟି ଆମ୍ବୁଲାନ୍‌ସରୁ ଗୋଟିଏ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଗୋଟିଏ ଚାନ୍ଦବାଲି ମେଡିକାଲରେ ରହିବ ବୋଲି ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଥିଲେ । ଏହି ଉତ୍ସବରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ମହମ୍ମଦ ଅବଦୁଲ ବାରୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.