ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକ କାଳରେ ଲୋକସମାଜ ଓ ଲୋକ ଜୀବନଧାରାର ଯେପରି ଦ୍ରୁତ ପରିବର୍ତନ ପଥରେ ଗତି କରୁଛି, ତାହା ଲୋକସଂସ୍କୃତି ଉପରେ ପ୍ରଚଣ୍ଡ ପ୍ରହାର ପରି ମନେହେଉଛି। ବିଜ୍ଞାନର ଜୟଯାତ୍ରା ଓ ପ୍ରଯୁକ୍ତିକ ସଫଳତା ଆମର ଉନ୍ନତି ସୋପାନ ହୋଇଥିବା ବେଳେ ଯେଉଁ ଲୋକ ସଂସ୍କୃତି ଆମ ପାଇଁ ସମୃଦ୍ଧ ବୁନିଆଦି ତିଆରି କରିଥିଲା, ତାହାକୁ ଉଦ୍ଧାର କରି ପରପିଢ଼ିଙ୍କୁ ପରିଚିତ କରାଇବା ମଧ୍ୟ ଆମର ଦାୟିତ୍ୱ ହେବା ଉଚିତ ବୋଲି ତ୍ୟାଗଭୂମି ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ମାଟିରେ ଆଧୁନିକ ସାହିତ୍ୟର ଆଦି ସୂତ୍ରଧର କବିଶେଖର ଚିନ୍ତାମଣି ମହାନ୍ତିଙ୍କ ନାମରେ ନାମିତ ଆଜିର ମଂଚରେ ତ୍ୟାଗଭୂମିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଶିଷ୍ଟ ଚିକିତ୍ସିତ ଡାକ୍ତର ରବୀନ୍ଦ୍ର କୁମାର ନାୟକ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ “ଆଜିର ପଢ଼ି ଆମ ଉଚ୍ଚାଙ୍ଗ ସଂସ୍କୃତିଠାରୁ କ୍ରମଶଃ ଦୂରେଇଯିବା ଅତ୍ୟନ୍ତ କ୍ଷୋଭର ବିଷୟ। ପାରମ୍ପରିକ କଳା, ପର୍ବପର୍ବାଣୀ, ଗୀତ, ନୃତ୍ୟ ଓ ଲୋକକଥାର ଚର୍ଚ୍ଚା ଆଧୁନିକତା ନାମରେ ଆଜି କ୍ଷୀଣ ହୋଇଆସୁଛି। ନୂତନ ଡିଜିଟାଲ୍ ବ୍ୟବସ୍ଥାକୁ ସଂସ୍କୃତିର ନାମ ଦିଆଗଲାଣି। ନୂତନ ଆସ୍ୱାଦ ଜୀବନ ପାଇଁ ଆସୁ, ହେଲେ ଲୋକସଂସ୍କୃତି ପ୍ରତିସ୍ଥାପିନ ହେଉ” ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର ଯୋଗଦେଇ “ଜନମାନସରେ ଟେକ୍ନୋଲୋଜି ନିର୍ଭରତା ବଢୁଛି ସତ, ହେଲେ ଆମ ପୁରୁଣା ପ୍ରଥା, ଜ୍ଞାନ ଓ ଲୋକପରମ୍ପରାର ସଂରକ୍ଷଣ ନହେଲେ ଆଧୁନିକ ଜୀବନ ବିଷମୟ ହୋଇଯିବ” ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ “ସଂସ୍କୃତି ଉଜୁଡିଗଲେ ମାନବୀୟ ପରିଚୟରେ ସଂକଟ ହେବା ସହ ଆମ ନୈତିକ ଉତ୍ସଗୁଡିକ ଦୁର୍ବଳ ହୋଇଯିବ। ଟେକ୍ନୋଲୋଜିର ସୁବିନିଯୋଗ ଓ ଲୋକସଂସ୍କୃତି ସଂରକ୍ଷଣ ଏଇ ଦୁଇଟି କଥା ଉପରେ ଧ୍ୟାନଦେଲେ ଆଧୁନିକତାର ମହତ୍ୱ ପ୍ରତିପାଦିତ ହୋଇପାରିବ” ବୋଲି ମତ ଦେଇଥିଲେ। ତ୍ୟାଗଭୂମି ପତ୍ରିକା ସମ୍ପାଦକ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ମହୋତ୍ସବର ସୁଦୀର୍ଘ ସାଂସ୍କୃତିକ ଯାତ୍ରା ସମ୍ପର୍କରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ ବିଷୟଭିତିକ ସୂଚନା ପ୍ରଦାନ କରିଥିଲେ। ପ୍ରଥମେ ଏ ମାଟିର ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ଥାପିତ ତ୍ୟାଗଭୂମି ସ୍ମୃତିଫଳକରେ ପ୍ରଜ୍ଜ୍ୱଳିତ ମଶାଲରେ ଅତିଥିମାନେ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକ ମଂଚ ଆହ୍ୱାନ କରିଥିବା ବେଳେ ସଦସ୍ୟ ବାଦଲ କିଶୋର ଧନ୍ୟବାଦ ଅର୍ପଣ କରିଥିଲେ। ତ୍ୟାଗଭୂମି ସମ୍ପାଦକ ଗଦାଧର ବଳ, ଅଭ୍ୟର୍ଥନା କମିଟି ସଭାପତି ଇ. ଅମ୍ବିକାବଲ୍ଲଭ ସ୍ୱାଇଁ, ସଂଗଠନ ସମ୍ପାଦକ ସୁଧାକର ରାଉତ, ସଦସ୍ୟ ଅଶୋକ ଦ୍ୱିବେଦୀ, ଇଂ. ଅଖିଳ କୁମାର ପାଢ଼ୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ସାହିତ୍ୟକ ଶାନ୍ତନୁ କୁମାର ରାଉତ, ବରିଷ୍ଠ ନାଗରିକ ମଂଚ ସଭାପତି ଲଲାଟେନ୍ଦୁ ମହାନ୍ତି, ପ୍ରାକ୍ତନ ଅବକାରୀ ଅଧୀକ୍ଷକ ଶ୍ରୀହର୍ଷ ସ୍ୱାଇଁ, କବି ଦେବେନ୍ଦ୍ରନାଥ ମହାଳିକ, ବସୁମିତ୍ରା ସାହୁ, କଳ୍ପନା ଜେନା, ବାବୁଲାଲ୍ ଦାସ, ଗୌରାଙ୍ଗ ବାରିକ, ଶାନ୍ତନୁ ନାୟକ, ଯୁବନେତା ସରୋଜ ରାଉତ, ପ୍ରଭାତ ପାଢ଼ୀ,ସୁମିତ୍ରା ପାଣି, ଗାନ୍ଧିବାଳାଶ୍ରମ ଅଧ୍ୟକ୍ଷ ଅଶୋକ କୁମାର ଦାସ,ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭଦ୍ରକ ‘ଉତ୍ସବ ନୃତ୍ୟାନୁଷ୍ଠାନ’ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଭୁବନେଶ୍ୱର ଆଦ୍ୟାଶକ୍ତି ଡ୍ୟାନ୍ସ ଏକାଡେମୀ ଓ ଭଦ୍ରକ ମନ୍ଦିରା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।








