Home ଜିଲ୍ଲା ପରିକ୍ରମା ଲେଖକର ସାହସ ଥିଲେ ଉତ୍କୃଷ୍ଟ ଲେଖାଟିଏ ଜନ୍ମ ନିଏ, ଟାଇମପାସ୍ ପୁସ୍ତକପର୍ବରେ ଚାରି ପୁସ୍ତକ ଲୋକାର୍ପିତ

ଲେଖକର ସାହସ ଥିଲେ ଉତ୍କୃଷ୍ଟ ଲେଖାଟିଏ ଜନ୍ମ ନିଏ, ଟାଇମପାସ୍ ପୁସ୍ତକପର୍ବରେ ଚାରି ପୁସ୍ତକ ଲୋକାର୍ପିତ

20

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହିର ନିଜସ୍ୱ ପ୍ରାଣ ଥାଏ, ଯାହା ଅନେକ ସମୟରେ ଉଚ୍ଚାଟ କରିଦିଏ। ବହିକୁ ହାତରେ ଧରି ବା ଛାତିରେ ଜାକି ଚାଲିବାର ଗୋଟେ ଦର୍ପ ଥାଏ। ଲେଖକର ସାହସ ଥିଲେ ଉତ୍କୃଷ୍ଟ ଲେଖାଟିଏ ଜନ୍ମ ନିଏ ବୋଲି ଟାଇମପାସ୍ ପୁସ୍ତକପର୍ବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବର୍ଷାସ୍ନାତ ସଂଜରେ ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ସ୍ଥାନୀୟ ଭାଗବତ କଲ୍‌ଯାଣମଣ୍ଡପଠାରେ ଅନୁଷ୍ଠିତ ଏହି ମନୋଜ୍ଞ ଆସରରେ ସନ୍ତୋଷ କୁମାର ପାଣିଙ୍କ କବିତା ସଂକଳନ ‘ହେ ଈଶ୍ୱର’, ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଲଳିତଗଦ୍ୟ ସଂକଳନ ‘ମନକୁ ଆସିଲା ଯାହା’, ମାନସ ପଢ଼ିଆରୀଙ୍କ ଅଣୁଗଳ୍ପ ସଂକଳନ ‘ଅଦେଖା ଦାଗ’ ତଥା ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଅନୁସୃଜିତ ପୁସ୍ତକ ‘ଏ ସ୍କାର ଅନ୍‌ସିନ୍‌’ ଲୋକାର୍ପିତ ହୋଇଥିଲା। ସୁଖ୍ୟାତ କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କଥାକାର ତଥା ପୂର୍ବତନ ପ୍ରଶାସକ ସହଦେବ ସାହୁ ମୁଖ୍ୟଅତିଥି ଏବଂ ବରିଷ୍ଠ ସାହିତ୍ୟିକ ବାସୁଦେବ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକାର୍ପିତ ପୁସ୍ତକ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଶିଶୁସାହିତ୍ୟିକ ଗୌତମ ମହାରଣା ଯୋଗଦେଇ ସନ୍ତୋଷ କୁମାର ପାଣିଙ୍କ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଆଇନଲେଖକ ବିଭୁପ୍ରସାଦ ତ୍ରିପାଠୀ, ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ପୁସ୍ତକ ସମ୍ପର୍କରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଲେଖକଗଣ ନିଜନିଜ ପୁସ୍ତକ ସମ୍ପର୍କରେ ବ୍ୟକ୍ତିଗତ ଅନୁଭୂତି ଓ ଅଭିଜ୍ଞତା ବଖାଣି ଥିଲେ। ଅତିଥିଙ୍କୁ ମୟୂରଚନ୍ଦ୍ରିକା ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା ବେଳେ ସେମାନଂକୁ ସ୍ମୃତିସନ୍ତକ ପ୍ରଦାନ କରିଥିଲେ ବସନ୍ତ ମୁଦୁଲି ସ୍ମୃତି ସଂସଦର ସଂଯୋଜକ ସାହିତ୍ୟନୁରାଗୀ ଅରୁଣ ଖିଲାର। ଅତିଥିଗଣ ଆନୁଷ୍ଠାନିକ ଭାବେ ନଡ଼ିଆ ଫଟେଇ ଉତ୍ସବ ଉଦଘାଟନ କରିବା ପରେ ପୁସ୍ତକ ଲୋକାର୍ପଣ ପର୍ବ ଆରମ୍ଭ ହୋଇଥିଲା। ଏହି ଅବସରେ ସମ୍ପୂର୍ଣ୍ଣ ରୂପେ କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ କବି ସୁଚିତ୍ରା ପାଣିଗ୍ରାହୀଙ୍କ ସଙ୍ଗୀତ ସିଡି ‘ମନ ମୂର୍ଚ୍ଛନା’ ଲୋକାର୍ପିତ ହୋଇଥିଲା। ଉତ୍ସବ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ କବି କିଶୋର ପାଣିଗ୍ରାହୀ। ଲେଖକ ତଥା ଟାଇମପାସର ପ୍ରକାଶକ ସରୋଜ ବଳ ଉତ୍ସବ ସଂଚାଳନ କରିଥିଲାବେଳେ ଶେଷସ୍ପର୍ଶ ଦେଇଥିଲେ ରୂପକ ବିହାରୀ ରାୟ। ଭଦ୍ରକ ଅଂଳର ବହୁ ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅନୁରାଗୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.