ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାୟନ୍ସ କ୍ଲବ୍ ଡିଷ୍ଟ୍ରିକ୍ଟ ୩୨୨ସି-୫ ର ସେକେଣ୍ଡ ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ପଦବୀ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଇତିମଧ୍ୟରେ ଶେଷହୋଇଛି। ଏହି ନିର୍ବାଚନରେ ଭଦ୍ରକର ଲାୟନ ଅଶୋକ କୁମାର ମହାନ୍ତି ସର୍ବସମ୍ମତି କ୍ରମେ ଶତ ପ୍ରତିଶତ ଭୋଟ ପାଇ ଉକ୍ତ ପଦବୀ ଅଳଙ୍କୃତ କରିଛନ୍ତି। ପୁରୀର ହୋଟେଲ ଏମ୍ପାୟାରରେ ଦୁଇଦିନ ଧରି ଆୟୋଜିତ ଏହି ବର୍ଣ୍ଣାଢ୍ୟ ଅଧିବେଶନରେ ସମଗ୍ର ରାଜ୍ୟର ୧୨ଟି ଜିଲାକୁ ନେଇ ଗଠିତ ଲାୟନ୍ସ ଡିଷ୍ଟ୍ରିକ୍ଟର ସେକେଣ୍ଡ ଗଭର୍ଣ୍ଣର ହିସାବରେ ଲାୟନ ଶ୍ରୀ ମହାନ୍ତି ଏହି ପଦବୀ ଅଳଙ୍କୃତ କରିଥିବାରୁ ରାଜ୍ୟ ତଥା ଭଦ୍ରକର ବୁଦ୍ଧିଜୀବୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି। ଏଠାରେ ସୂଚନାଯୋଗ୍ୟ ଲାୟନ ଅଶୋକ କୁମାର ମହାନ୍ତି ଭଦ୍ରକ ଲାୟନ କ୍ଲବ୍ର ଜଣେ ସକ୍ରୀୟ ସଦସ୍ୟ ଥାଇ ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ ଲଗାତର ଭାବେ ଦୀର୍ଘ ୪ ବର୍ଷ ସଭାପତି ଆସନ ଅଳଙ୍କୃତ କରିଥିବାବେଳେ ଚଳିତବର୍ଷ ମଧ୍ୟ ୨୦୨୪-୨୫ ବର୍ଷ ପାଇଁ ଜୋନ୍ ଚେୟାରମେନ୍ ଅଛନ୍ତି। ଲାୟନ ଶ୍ରୀ ମହାନ୍ତିଙ୍କ ସମୟରେ ବହୁ ସାମାଜିକ କାର୍ଯ୍ୟ ଜିଲାରେ ସଂପନ୍ନ ହୋଇଛି। ଏହି କାର୍ଯ୍ୟ ମଧ୍ୟରେ ସହରରେ ଟ୍ରାଫିକ୍ ଟାୱାର ‘ଅଛି ଯଦି ଦିଅ, ନାହିଁ ଯଦି ନିଅ’ (ବସ୍ତ୍ର ବଂଟନ) ଖରାଦିନେ ଥଣ୍ଡା, ଦହି, ସରବତ ପ୍ରଦାନ ଭଳି ବହୁ ଜନହିତକର କାର୍ଯ୍ୟ ସେ ସଂପନ୍ନ କରି ଜନାଦୃତ ହୋଇପାରିଛନ୍ତି। ଏହି ଅଧିବେଶନରେ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ଲାୟନ ପ୍ରଲୁବ୍ଧ ଜେନା (ଫାଷ୍ଟ ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର) ଲାୟନ ମମତା ଦାସ, ସେକେଣ୍ଡ ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ବିକାଶ ନାୟକ ତଥା ଜିଲାର ସମସ୍ତ ପିଡିଜିଙ୍କ ଉପସ୍ଥିତିରେ କ୍ଲବ୍ର ସମସ୍ତ ସଦସ୍ୟ ଲାୟନ ଶ୍ରୀ ମହାନ୍ତିଙ୍କୁ ଚଳିତବର୍ଷ ପାଇଁ ମନୋନୀତ କରିଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ।
Home ଜିଲ୍ଲା ପରିକ୍ରମା ଲାୟନ୍ସ ଡିଷ୍ଟ୍ରିକ୍ଟ ସେକେଣ୍ଡ ଗଭର୍ଣ୍ଣର ପଦବୀ ଅଳଙ୍କୃତ କଲେ ଭଦ୍ରକର ସମାଜସେବୀ ଅଶୋକ ମହାନ୍ତି