Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ସ୍ଥିତି ବେହାଲ, ସବୁ ଗଳିକନ୍ଦିରେ ପାଣି

ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ସ୍ଥିତି ବେହାଲ, ସବୁ ଗଳିକନ୍ଦିରେ ପାଣି

17

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତା ଆସୁଛନ୍ତି ଯାଉଛନ୍ତି। ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଜାରି କରୁଛନ୍ତି। ଦୀର୍ଘବର୍ଷ ଧରି ଭଦ୍ରକ ସହରର ଜଳାର୍ଣ୍ଣବ ପରିସ୍ଥିତି ସୁଧୁରୁନାହିଁ। ସବୁ ଗଳିକନ୍ଦିରେ ବର୍ଷାଜଳ ଲହଡି ଭାଙ୍ଗୁଛି। ସହରର ତଳି ଅଂଚଳରେ କାହା ଘର ଦୁଆର ମୁହଁରେ ପାଣି ତ କାହା ଘର ଭିତରକୁ ପାଣି ପଶିଗଲାଣି। ଗତ ଦୁଇଦିନର ଲଘୁଚାପ ଜନିତ ବର୍ଷା ଫଳରେ ସହରରେ ଏଭଳି ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଋତୁ ପୂର୍ବରୁ ସହର ଓ ଜାତୀୟ ରାଜପଥ ପାଶ୍ୱର୍ ସଡକପଥର ଡ୍ରେନ୍ ଗୁଡିକ ସଫା ନହେବା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ତେବେ ସହରର ଏହି ଜଳ ନିଷ୍କାସନ ସମସ୍ୟା ଏବେକାର ନୁହେଁ, ବହୁବର୍ଷ ଧରି ସହରବାସୀ ଏହି ସମସ୍ୟାରେ ପୀଡିତ ଅଛନ୍ତି। ସହରବାସୀଙ୍କ ଏହି ଦୁର୍ଦ୍ଦଶା ଲାଘବ ପାଇଁ ନେତା, ମନ୍ତ୍ରୀ, ପ୍ରଶାସନିକ ବଡପଣ୍ଡାମାନଙ୍କର ଆଦୌ ଆନ୍ତରିକତା ନାହିଁ। ସହରର ଜଳ ନିଷ୍କାସନ ସକାଶେ ବର୍ଷାଋତୁ ପୂର୍ବରୁ ପାରମ୍ପରିକ ଢଙ୍ଗରେ ପ୍ରତିବର୍ଷ ସ୍ଥାନୀୟ ନେତା ଇଂଜିନିୟରିଂ ବିଭାଗକୁ ନେଇ ପ୍ରଶାସନିକ ବୈଠକ ବସୁଛି। ବୈଠକରେ ଉପସ୍ଥିତ ଲାଇନ୍ ଡିପାର୍ଟମେଂଟ ପୌର କର୍ତୃପକ୍ଷଙ୍କ ଦସ୍ତଖତିରେ ପ୍ରୋସିଡିଂ ସୀମିତ ରହୁଛି। ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। କିନ୍ତୁ କାର୍ଯ୍ୟକାରିତାରେ ଶୂନ। ଅପରପକ୍ଷରେ ଟାଉନ୍ ପ୍ଲାନିଂ ଅଫିସ୍‌ରେ ଦଲାଲରାଜ ଯୋଗୁଁ ବେଆଇନ୍ କୋଠାବାଡି ବେଧଡକ ନିର୍ମାଣ ଚାଲିଛି। ଡ୍ରେନ୍ ପାଇଁ ଜାଗା ନଛାଡି ଡ୍ରେନ୍ ଉପରେ ବି ବାସଗୃହ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ମାନ ଛିଡା ହୋଇଛି। ସହରର କେତେକାଂଚଳରେ ପ୍ରଶାସନ ପକ୍ଷରୁ ବେଆଇନ୍ ଭାବେ ଡ୍ରେନ୍ ଉପରେ ନିର୍ମାଣ କରାଯାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଗୃହ ଭଂଗାଯାଇଥିଲେ ମଧ୍ୟ ଡ୍ରେନ୍ ଗୁଡିକର ଆବଶ୍ୟକୀୟ ମରାମତି କାର୍ଯ୍ୟ ଆଦୌ ହୋଇପାରିନାହିଁ। ଡ୍ରେନ୍ ଗୁଡିକ ଅଳିଆ ଆବର୍ଜନାରେ ଭରପୁର ଥିବାରୁ ଜଳ ନିଷ୍କାସିତ ହୋଇପାରୁନାହିଁ। ସହରର ଉପକଣ୍ଠ ଜାତୀୟ ରାଜପଥ ପାଶ୍ୱର୍ ଟାଉନ୍ ଠାରୁ ଆଖଣ୍ଡଳମଣି ଛକ ସର୍ଭିସ୍ ରୋଡ୍‌ରେ ଗତ କିଛିବର୍ଷ ଧରି ବର୍ଷାଜଳ ଆଣ୍ଠୁଏ ଉଚ୍ଚର ଲହଡି ଭାଂଗୁଛି। ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି। ଏହି ସଡକ ପଥରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଜିଲାପାଳଙ୍କ ନିର୍ଦ୍ଦେଶକୁ ଜାତୀୟ ରାଜପଥ କର୍ତୃପକ୍ଷ ଓ ଡ୍ରେନେଜ୍ ବିଭାଗ କୌଣସି ପଦକ୍ଷେପ ନନେଇ ହାତ ବାନ୍ଧି ବସିଛି। ଫଳରେ ସହରର ସବୁ ୱାର୍ଡର ରାସ୍ତାରେ, ବାସଗୃହ ସାମ୍ନାରେ ବର୍ଷାଜଳ ଉବୁଟୁବୁ ହୋଇ ପରିବାରକୁ ଜଳବନ୍ଦୀ କରି ପକାଇଛି। ଖୋଦ୍ ଜିଲାପାଳଙ୍କ କାର୍ଯ୍ୟାଳୟର ଯାତାୟତ ପଥ ମଧ୍ୟ ସେଥିରୁ ବାଦ ପଡିନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ ଓ ଜଳା ନିଷ୍କାସନ ପାଇଁ ଗତବର୍ଷ ପାଖାପାଖି ଦେଢକୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଏବେ ଏହା କୃତ୍ରିମ ହ୍ରଦରେ ପରିଣତ ହୋଇଛି। ପ୍ରଶାସନିକ ସୂଚନା ଅନୁଯାୟୀ ଆଜି ଭଦ୍ରକରେ ୭୭.୨ ମିମି, ତିହିଡିରେ ୬୮, ବନ୍ତରେ ୫୨, ଧାମନଗରେ ୩୮, ଭଣ୍ଡାରିପୋଖରୀରେ ୩୦, ବାସୁଦେବପୁରରେ ୨୧, ଚାନ୍ଦବାଲିରେ ୧୯ ମମି ବର୍ଷା ହୋଇଥିବାର ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.