ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନରେ ପୂର୍ବରୁ ଲକ ହୋଇଥିବା ପୈତୃକ ଜମି(ଇଜମାଇଲ) ତଂଚକତା କରି ବେଆଇନ ଭାବେ ବିକ୍ରି ହୋଇଥିବା ଅଭିଯୋଗ ଆସିଛି। ନିଜର ପୈତୃକ ଜମି ବେଆଇନ ଭାବେ ବିକ୍ରି ହେବା ପରେ ସମ୍ପୃକ୍ତ ଜମି ମାଲିକ ସ୍ଥାନୀୟ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ଧାମନଗର ଉପ ନିବନ୍ଧକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଭଦ୍ରକ ଦେୱାନୀ ଅଦାଲତରେ ଆଶ୍ରୟ ନେଇଛନ୍ତି। ଏନେଇ ଅଦାଲତରେ କେସ ନଂ. ୧୩୩୩/୨୦୨୪ରେ ଏକ ମାମଲା ରୁଜୁ ହୋଇଛି। ଏଥି ସହିତ ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ସମ୍ପୃକ୍ତ ଜମି ମାଲିକ ନ୍ୟାୟ ପାଇଁ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଅଭିଯୋଗ ଅନୁସାରେ, ରାଧାବଲ୍ଲଭପୁର ରାଜସ୍ୱ ଗ୍ରାମରେ ଇଛଦାମଜଫରପୁର ଗାଁରେ ଖତିଆନ ନଂ. ୩୨୭/୧୪୩, ପ୍ଲଟ ନଂ. ୧୯୮ ଓ ୧୧୯ ରହିଛି। ଖତିଆନ ନଂ. ୩୨୭/୩୭୫, ପ୍ଲଟ ନଂ. ୧୯୮/୧୯୮୯ ଓ ୧୧୯/୧୯୮୮ରେ ଉକ୍ତ ଜମିରେ ଅଂଶୀଦାର ଭାବେ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱର୍ଗତ ହାଡ଼ିବନ୍ଧୁ ପାତ୍ର, ଓ ନିର୍ମଳ ଓରଫ ନିରଞ୍ଜନ ପାତ୍ରଙ୍କ ନାମ ରହିଛି। ଉପରୋକ୍ତ ଘରବାରି ପ୍ଲଟ ନଂ. ୧୧୯ରେ ନିର୍ମଳ ଓରଫ ନିରଞ୍ଜନ ପାତ୍ର ଦୀର୍ଘ ବର୍ଷ ଧରି ଦଖଲରେ ରହିବା ସହ ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆବାସର ପକା ଘରକରି ସ୍ଥାୟୀ ଭାବେ ରହିଆସୁଛନ୍ତି। ମାତ୍ର ଜମିର ଅଂଶୀଦାର କୃଷ୍ଣଚନ୍ଦ୍ର ପାତ୍ର ବେଆଇନ ଭାବେ ଉପରୋକ୍ତ ୪ଟି ପ୍ଲଟରୁ ବିନା ଉତରାଧିକାରୀ ପ୍ରମାଣ ପତ୍ର ଏବଂ ଅନ୍ୟ ଅଂଶୀଦାରଙ୍କ ଦସ୍ତଖତ ନନେଇ ଭଗବାନପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ତଥା ଉକ୍ତ ଗାଁର ବାସିନ୍ଦା ପ୍ରଫୁଲ୍ଲ ପାତ୍ରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଂଶୀଦାରଙ୍କ ମଧ୍ୟରେ ଉକ୍ତ ଜମି ଭାଗବଂଟା ହୋଇ ନଥିବାରୁ ବେଆଇନ ବିକ୍ରି ବନ୍ଦ ପାଇଁ ଗତ ଦୁଇ ବର୍ଷ ତଳେ ତା.୦୭.୦୯.୨୦୨୩ ରିଖରେ ନିରଞ୍ଜନ ପାତ୍ର ଧାମନଗର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଉପ ନିବନ୍ଧକ ସତ୍ୟାନନ୍ଦ ପାତ୍ର ଉକ୍ତ ଜମିକୁ ନିଜେ ଖର୍ଦି ବିକ୍ରି ହୋଇ ନପାରିବା ପାଇଁ ଲକ କରିଥିଲେ। ସେହିପରି ସେତେବେଳର ବେଆଇନ ବିକ୍ରିକୁ ବନ୍ଦ କରିବା ପାଇଁ ତହସିଲଦାର ଲକ ସମ୍ପର୍କରେ ଅଭିଯୋଗକାରୀଙ୍କୁ କହିଥିଲେ। ତେବେ ପରବର୍ତୀ ସମୟରେ ଉପ ନିବନ୍ଧକ କାର୍ଯ୍ୟାଳୟରେ କୌଣସି ଅସାଧୁ କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ପୂର୍ବତନ ସରପଂଚ ଶ୍ରୀ ପାତ୍ର ସ୍ଥାୟୀ ପକ୍କା ଘର ଥିବା ଉପରୋକ୍ତ ପ୍ଲଟରୁ ବେଆଇନ ଭାବେ ଜମି କିଣିଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ଜମି ଉପରେ ଘର କରି ରହିଥିବା ବ୍ୟକ୍ତିର ପାରିବାର କଣ କରିବେ ବୋଲି ଶେଷରେ ଯାଇ ନ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ଜମି ବିକ୍ରି ସମ୍ପର୍କରେ ତହସିଲଦାର ଦୀପକ କୁମାର ଦାସଙ୍କୁ ଯୋଗଯୋଗ କରିବାରୁ ସେ କହିଥିଲେ, ମୁଁ ସେତେବେଳେ ଏହି ଜମିର ବିକ୍ରି ଅଭିଯୋଗ ପାଇବା ପରେ ଲକ କରିବାକୁ ପରାମର୍ଶ ଦେଇଥିଲି। ତହସିଲରୁ ପଟ୍ଟା ହୋଇପାରିବନି ବୋଲି କହିଥିଲି। ଏବେ ଯେଉଁ ବିକ୍ରି ହୋଇ ପଟ୍ଟା ବାହାରିଛି ମୋର ଅନୁପସ୍ଥିତିରେ ଓ ଅଜାଣତରେ ହୋଇଛି। ଅତିରିକ୍ତ ତହସିଲଦାର ଏହାକୁ ପାସ କରିଥିବା ସେ କହିଥିଲେ। ଆରଆଇ ମନୋରମା ଧଳଙ୍କୁ ଯୋଗାଯୋଗ କରିବାରୁ ମୋର ଏବେ ବଦଳି ହୋଇଛି। କାଗଜ ପତ୍ର ଦେଖିଲେ ସମ୍ପୂର୍ଣ୍ଣ କଥା କହିପାରିବି। ତେବେ ସେହି ଜମି ଦୁଇ ଥର ଦଲିଲ ହେବା ପରେ ନାମଜାରି ଲାଗି ରିପୋର୍ଟ ପାଇଁ ଆସିଥିଲା। ଉକ୍ତ ପ୍ଲଟରେ ଘର ଥିବା ଏବଂ ଦଲିଲରେ ସବୁ ଅଂଶୀଦାରଙ୍କ ଦସ୍ତଖତ ଓ ଉତରାଧିକାରୀ ପ୍ରମାଣ ପତ୍ର ସଂଯୋଗ ନଥିବାରୁ ତାର ରିପୋର୍ଟ ଦେଇନଥିଲି। ମାତ୍ର ଉପ ନିବନ୍ଧକ ସେହି ଫାଇଲଟିକୁ ତୁରନ୍ତ ଦେବା ପାଇଁ ମୋତେ ବାଧ୍ୟ କରିବା ସହ ୩ ଥର ଚିଠି କରିଥିଲେ। ତାଙ୍କ କହିବା ଅନୁସାରେ ରିପୋର୍ଟ ଦେଇଥିବା ସେ କହିଥିଲେ। ଏ ସମ୍ପର୍କରେ ଉପ ନିବନ୍ଧକ ଶ୍ରୀ ପାତ୍ରଙ୍କୁ ଯୋଗଯୋଗ କରିବାରୁ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେତିକି ନୁହେଁ ଉପନିବନ୍ଧଂକ ଶ୍ରୀ ପାତ୍ର ସରକାରୀ ନିୟମକୁ ଖାତିର ନକରି ମନିଇଛା ଦଲାଲି ମାଧ୍ୟମରେ ମୋଟା ଅଙ୍କର ଅର୍ଥ ନେଇ କାର୍ଯ୍ୟ କରୁଛନ୍ତି। ଏନେଇ ଆଇଜିଆର ଓଡ଼ିଶା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ପାରିବାର ଦାବି କରିଛନ୍ତି।