Home Coronavirus Outbreak ଲକ୍‌ଡାଉନ ବେଳେପୁଲିସ ଜବତ କରିଥିବା ଗାଡିଗୁଡିକୁ ତୁରନ୍ତ ଛାଡିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ

ଲକ୍‌ଡାଉନ ବେଳେପୁଲିସ ଜବତ କରିଥିବା ଗାଡିଗୁଡିକୁ ତୁରନ୍ତ ଛାଡିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ

476

କଟକ୮ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣର ଦ୍ୱାହି ଦେଇ ରାଜ୍ୟ ପୁଲିସ ବିଭାଗ ଲୋକମାନଙ୍କ ଦୁଇଚକିଆ ଯାନକୁ ଚଳାଇବାରେ କରିଥିବା କଟକଣାକୁ ଜାରି କରିପରିବ ନାହିଁ ବୋଲି ଆଜି ମାନ୍ୟବର ହାଇକୋଟ ସ୍ପଷ୍ଟ କରିଛନ୍ତି। ଲକ୍‌ଡାଉନ୍ ସମୟରେ ପୁଲିସ ମନଇଚ୍ଛା ଜବତ କରିଥିବା ଗାଡିଗୁଡିକୁ ତୁରନ୍ତ ଛାଡିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରି ନେବା ଆଣିବା ପାଇଁ ବ୍ୟବହାର କରିଥିବା ଦୁଇଚକିଆ ଯାନକୁ କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ନିକଟ ଅଞ୍ଚଳରେ ମିଳିବା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଦୁଇ ଚକିଆ ଯାନବାହାନ ଚଳାଚଳ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।ଦୁଇ ଚକିଆ ଚଳାଉଥିବା ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡାଯିବ। ଯେଉଁ ବ୍ୟକ୍ତିଙ୍କ ନିକଟରୁ ଗାଡି ଜବତ କରାଯାଇଥିଲା ସେ ଏଭଳି ଭାବେ ଆଉ ଗାଡି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ଦେବେ। ଏଥି ସହିତ ଏଭଳି ଗାଡିକୁ ତିନି ଥର ବିନା ଜରିମାନାରେ ତଥା ଅଣ୍ଡରଟେକିଂ ରଖି ଛଡାଯିବ। ଯେତେବେଳ ପର୍ଯ୍ୟନ୍ତ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସଂପର୍କିତ ଉପଯୁକ୍ତ ନିୟମାବଳୀ ଓ ବ୍ୟବସ୍ଥା ସରକାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୁଇ ଚକିଆ ଯାନରେ ଯାଉଥିବା ବ୍ୟକ୍ତି ଯଦି ପୁଲିସ ନିକଟରେ ସନ୍ତୋଷଜନକ ଉତ୍ତର ରଖିବେ ତେବେ ତାଙ୍କ ପାଇଁ କଟକଣା କୋହଳ କରାଯିବ। ସଂପୂର୍ଣ୍ଣ ଲକ୍‌ଡାଉନ ପରିସ୍ଥିତିରେ ରାଜ୍ୟର ଲୋକମାନେ ଦୁର୍ଦ୍ଦଶାରେ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଚାଲିବା ଦୂରତାରେ ଉପଲବ୍ଧ ପାଇଁ କିଛି ବ୍ୟବସ୍ଥା ନାହିଁ। ଏପରି ପରିସ୍ଥିତିରେ ଦୁଇଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇବ। ଲକ୍‌ଡାଉନ ବେଳେ ଲୋକମାନେ ଘର ନିକଟବର୍ତ୍ତୀ ଅଞ୍ଚଳରେ ପନିପରିବା, ‌ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇ ପାରୁ ନାହାନ୍ତି। ଏହି ସବୁ ସାମଗ୍ରୀ ସଂଗ୍ରହ କରିବାରେ ବରିଷ୍ଠ ନାଗରିକ, ମହିଳା ଓ ସାଇକେଲ ଚଳାଇ ପାରୁ ନଥିବା ବ୍ୟକ୍ତିବିଶେଷ ଏଥି ହଇରାଣ ହେଉଛନ୍ତି। ଏଥି ପାଇଁ ଲୋକମାନେ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସବୁ ସାମଗ୍ରୀ ଚାଲିବା ଦୂରତାରେ ଉପଲବ୍ଧ କରାଇବା ପାଇଁ ମଧ୍ୟ କିଛି ବ୍ୟବସ୍ଥା ନାହିଁ। ଯେତେବେଳ ପର୍ଯ୍ୟନ୍ତ ଏଥି ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଓ ଉପଯୁକ୍ତ ବ୍ୟବସ୍ଥା ନ କରାଯାଇଛି ସେ ପର୍ଯ୍ୟନ୍ତ ଦୁଇଚକିଆ ଗାଡି ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଉଚିତ ନୁହେଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସଂପୂର୍ଣ୍ଣ ଭାବେ କଟକଣା ଉଠି ଯାଇଛି ବୋଲି ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଏହି ପ୍ରସଂଗକୁ ମାନବିକତା ଦୃଷ୍ଟି କୋଣରୁ ସରକାରଙ୍କ ଉପଯୁକ୍ତ ବିଭାଗ ଓ ପୁଲିସ ଡିଜି ବିଚାରକୁ ନେବେ। ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଯେପରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାର‌ିବେ ସେଥି ପାଇଁ ସରକାର ସବିଶେଷ ଯୋଜନା ଆଣିବେ ଯାହା ଦ୍ବାରା ଦୁଇ ଚକିଆ ଯାନ ବ୍ୟବହାର ଦରକାର ପଡିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଲକ୍‌ଡାଉନ ବେଳେ ଜବତ କରାଯାଇଥିବା ଗାଡି ଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.