Home ଜିଲ୍ଲା ପରିକ୍ରମା ଲଉଡ଼ି, ସମ୍ବଲପୁରି ନୃତ୍ୟରେ ଶେଷ ହେଲା ବିକାଶମେଳାର ବର୍ଷାଭିଜା ଉଦ୍‌ଯାପନୀ ସନ୍ଧ୍ୟା

ଲଉଡ଼ି, ସମ୍ବଲପୁରି ନୃତ୍ୟରେ ଶେଷ ହେଲା ବିକାଶମେଳାର ବର୍ଷାଭିଜା ଉଦ୍‌ଯାପନୀ ସନ୍ଧ୍ୟା

18

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆକାଶରେ ବାଦଲ ଯେତେ କଳା ହାଣ୍ଡିଆ ହୁଏ ବିଜୁଳିର ଚମକ ସେତେ ଉଜ୍ଜ୍ୱଳ ହୁଏ । ବର୍ଷା, ଝଡ଼, ବତାସ ମଧ୍ୟରେ ବି ଯେଉଁ ନାବିକ ଡ଼ଙ୍ଗା ବାହି କୂଳରେ ଲଗାଇ ପାରେ ସେ ହିଁ ପ୍ରକୃତ ନାବିକ। ପ୍ରତିକୁଳ ପରିସ୍ଥିତିର ମୁକାବିଲା କରି ଯିଏ ଆଗକୁ ବଢ଼ିପାରେ ସିଏ ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିପାରେ ବୋଲି ଭଦ୍ରକ ବିକାଶ ମେଳାର ବର୍ଷାଭିଜା ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଉପସ୍ଥିତ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ଗତ ୨୧ ତାରିଖରୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଥିବା ତିନି ଦିନିଆ ବିକାଶ ମେଳା ୨୩ ତାରିଖ ସେମାବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଦିନ ତମାମ୍ ପ୍ରବଳ ବର୍ଷା ସତ୍ୱେ ସନ୍ଧ୍ୟାର ବର୍ଷା ବାରିଧାରା ଭିତରେ ବି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳଙ୍କ ପରିଚାଳନାରେ ବିଭିନ୍ନ ସ୍କୁଲ, କଲେଜ ଓ ଆଂଚଳିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ଶିକ୍ଷୟିତ୍ରୀ କାଦମ୍ବରୀ ମିଶ୍ର ଉଦ୍‌ଘୋଷଣା ଜରିଆରେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଭଦ୍ରକ ମହାବିଦ୍ୟାଳୟର ଛାତ୍ରୀ ଏବଂ ଆର.ଡ଼ି.ଏସ୍‌. ଏକାଡ଼େମୀର କଳାକାରମାନେ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ବାସୁଦେବପୁର ବି.କେ.ଏସ୍‌.ଏସ୍‌.ର ଉପସଭାପତି ପଂଚାନନ ବେହେରାଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ନାଣ୍ଡିମାତା ଯାଦବ ସଂଘ, ଜୁରାଗଡ଼ିଆ ଲଉଡ଼ି ପରିଷଦ, ବାସୁଦେବପୁର କଳାକାରମାନେ ଚିତାକର୍ଷକ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ । କଣ୍ଠ ଶିଳ୍ପୀ ସୌମ୍ୟ ଶୁଭମ୍ ନାୟକଙ୍କ ସଂଗୀତ ପରିବେଷଣ ଖୁବ୍ ମନ ମତାଣିଆ ଥିଲା । ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ମଧ୍ୟ ସଂଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟତମ ସମ୍ମାନିତ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ମଂଚରେ ସାଂସ୍କୃତିକ ପ୍ରତିଭାମାନଙ୍କୁ ପୁଷ୍ପଗୁଚ୍ଛ ଟ୍ରଫି ସହ ପୁରସ୍କୃତ କରିଥିଲେ । ଏତେ ବର୍ଷା ସତ୍ୱେ ବି ୫୦୦ ରୁ ଉର୍ଦ୍ଧ୍ୱ ଦର୍ଶକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.