Home ଜିଲ୍ଲା ପରିକ୍ରମା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଜୀବନ ସହ ଖେଳ, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି...

ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଜୀବନ ସହ ଖେଳ, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି ଘରୋଇ ହସପିଟାଲ କର୍ତ୍ତୃପକ୍ଷ

47

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସେପ୍ଟେମ୍ବର ମାସ କଟକସ୍ଥିତ ଏକ କୋଭିଡ ସହପିଟାଲରେ ଅଗ୍ନିକାଣ୍ଡ ପରେ ଗତ ଦୁଇଦିନ ପୂର୍ବେ କଟକର ଆଉ ଏକ ପ୍ରତିଷ୍ଠିତ ଘରୋଇ ହସପିଟାଲର ଉପର ମହଲାରେ ଅଗ୍ନକାଣ୍ଡ ଘଟିଛି । ସୌଭାଗ୍ୟବଶତଃ ଏହି ଦୁଇଟି ଘଟଣାରେ କୌଣସି ଜୀବନହାନୀ ଘଟିନଥିଲେ ମଧ୍ୟ ହସପିଟାଲରେ ଅଗ୍ନିଭୟକୁ ନେଇ ଭଦ୍ରକବାସୀ ଏବେ ଆତଙ୍କିତ । ଜିଲ୍ଲାବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଚେତିବ ପ୍ରଶାସନ? କେବଳ ହସପିଟାଲ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଥିବା ସପିଂ ମଲ ଓ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କାରଣରୁ ସହରବାସୀ ନିଜକୁ ନିରାପଦ ମନେ କରୁ ନାହାନ୍ତି । ବିଶେଷକରି ଜିଲ୍ଲାର ଛତୁ ଫୁଟିବା ପରି ଗଢ଼ି ଉଠିଥିବା ବହୁ ଘରୋଇ ନର୍ସିଂହୋମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ନିଜର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏସମସ୍ତ ଘରୋଇ ହସପିଟାଲର ମାଲିକମାନେ ତତ୍ପର ଥିବାବେଳେ, ସେଠାକୁ ଆସୁଥିବା ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କର ନିରାପତ୍ତାକୁ ନେଇ ସଂପୃକ୍ତ ହସପିଟାଲ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି । ଅପରପକ୍ଷରେ ପ୍ରଶାସନ କ’ଣ କୌଣସି ଆକସ୍ମିକ ଅଭ୍ନିକାଣ୍ଡକୁ ଅପେକ୍ଷା କରି ରହିଛିକି ବୋଲି ସାଧାଣରେ ପ୍ରଶ୍ନ ଉଠିଛି । ୨୦୧୭ ମସିହାରେ ଭୁବନେଶ୍ୱରର ଏକ ହସପିଟାଲ ଅଗ୍ନିକାଣ୍ଡ ପରେ ସରକାରଙ୍କ ଚେତା ପଶିଥିଲା । ସରକାରଙ୍କ ନିର୍ଦ୍ଦେଶରେ ସହରର ସମସ୍ତ ଘରୋଇ ନର୍ସିଂହୋମ ଓ ସରକାରୀ ଡ଼ାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିଥିଲା ଅଗ୍ନିଶମ ବିଭାଗ । ତୁରନ୍ତ ଏହି ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲା । ତେବେ କିଛିଦିନର ବିଭାଗୀୟ ତତ୍ପରତା ପରେ ସବୁ ନିରବୀ ଗଲେ । ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ୱ ଘରୋଇ ନର୍ସିଂହୋମ କାର୍ଯ୍ୟକ୍ଷମ ଥିବାବେଳେ, ସେମସ୍ତ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାର୍ହି । କୌଣସି ଆକସ୍ମିକ ଦୁର୍ଘଟଣା ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କିପରି ନିରାପଦ ଭାବେ ବାହାରକୁ ସୁରକ୍ଷିତ ଭାବେ ଆସିବେ, ସେ ଦିଗରେ କୌଣସି ପଦକ୍ଷେପ ସଂପୃକ୍ତ ନର୍ସିିଂହୋମ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନେଇ ନାହାନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅଗ୍ନିଶମ ବିଭାଗର ସୂଚନା ସହରବାସୀଙ୍କ ପାଇଁ ଅଧିକ ଉଦବେଗ ସୃଷ୍ଟି କରିଛି । କାରଣ ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକର ଦୁଇଟି ଘରୋଇ ବିଦ୍ୟାଳୟକୁ ଛାଡ଼ି ଅନ୍ୟ କୌଣସି ଗୋଟିଏ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । କେତେକ ଘରୋଇ ହସପିଟାଲକୁ ଛାଡ଼ି ଅନ୍ୟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଅଗ୍ନିନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ ମଧ୍ୟ କରି ନାହାନ୍ତି । ନୂତନ ଭାବେ ପ୍ରଣୀତ “ଫାୟାର ସେଫଟି ଓ ପ୍ରିଭେନସନ ରୁଲ-୨୦୧୭” ଅନୁଯାୟୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସହରର ୨୧ଟି ଘରୋଇ ହସପିଟାଲ ଓ ବ୍ୟବସାୟିକ ସଂସ୍ଥାକୁ ଏ ଦିଗରେ ନୋଟିସ ଜାରୀ କରାଯାଇଥିଲା । ସେମାନଙ୍କ ନିକଟରେ ଅଗ୍ନି ନିରାପତ୍ତା ସମ୍ପର୍କରେ କିପ୍ରକାର ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଥିଲା । ତଥ୍ୟ ମିଳିବା ପରେ ବିଭାଗୀୟ ଟିମ୍ ସଂପୃକ୍ତ ସଂସ୍ଥାକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ବିଭାଗୀୟ ଲାଇସେନ୍ସ ସମ୍ପର୍କରେ ବିଚାର କରାଯିବ ବୋଲି କୁହାଯାଇଥିଲା । ନିୟମାନୁଯାୟୀ ଘରୋଇ ନର୍ସିିଂହୋମ କ୍ଷେତ୍ରରେ ବିଭାଗୀୟ ରେଞ୍ଜ କାର୍ଯ୍ୟାଳୟର ଡ଼େପୁଟି ଫାୟାର ଅଫିସର ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦେବା କଥା । ତେବେ ଗତ ୬ମାସ ମଧ୍ୟରେ ଦୁଇ ଦୁଇଟି ଘରୋଇ ହସପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ପୁଣି ଏହି ନିରାପତ୍ତା ବ୍ୟବସ୍ଥାର ପ୍ରାସଙ୍ଗିକତାକୁ ସତେଜ କରିଛି । ଜିଲ୍ଲାର ୨୦ରୁ ଉର୍ଦ୍ଧ୍ୱ ଛୋଟ ବଡ଼ ଘରୋଇ ନର୍ସିିଂହୋମ ଓ ହସପିଟାଲ ମାଲିକ ନିଜର ବ୍ୟବସାୟିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ, ରୋଗୀଙ୍କ ନିରାପତ୍ତା ପ୍ରତି ଆଖି ବୁଜି ଦେଇଛନ୍ତି । ସମସ୍ତେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅବେଦନ କରି ଚୁପ ବସିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସେମାନଙ୍କ ଉପରେ କୌଣସି ଚାପ ନାହିଁ । ତେବେ କେବେ ଚେତିବ ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ, ତହାହିଁ ଏବେ ବହୁ ମୂଲ୍ୟର ପ୍ରଶ୍ନ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.