ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ନିକଟସ୍ଥ ଆଇଜିଏମ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଚଳିତ ବର୍ଷ ରିଆଡିମିସନ ଫି ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବିଦ୍ୟାର୍ଥୀ ମାନେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାକୁ ଅବରୋଧ କରିଥିଲେ । ପ୍ରକାଶ ଯେ ଉକ୍ତ ମହାବିଦ୍ୟାଳୟ ଗତବର୍ଷ ରିଆଡିମିସନ ଫି ୨୧୪୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ୪ହଜାର ୫ଶହ ରଖାଯାଇଛି । ଯାହାକି ଅନ୍ୟ କଲେଜ ଠାରୁ ଉକ୍ତ କଲେଜ ବହୁ ଅଧିକ ଫି ଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଉକ୍ତ ମହାବିଦ୍ୟାଳୟ ପରିଚାଳନା କମିଟି ଭାଙ୍ଗି ଯାଇଥିବା ବେଳେ ଉପଜିଲାପାଳ କଲେଜ ପରିଚାଳନା କମିଟିର ମୁଖ୍ୟ ଅଛନ୍ତି । ହେଲେ ଅଧ୍ୟକ୍ଷ ତାଙ୍କର କୌଣସି ପରାମର୍ଶ ନନେଇ ମନୋମୁଖୀ ଭାବେ ଏହି ଫି ବୃଦ୍ଧି କରିଥିବା ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକ ଆର୍ଥିକ ମାନ୍ଦାବସ୍ଥାରେ ଥିବା ବେଳେ କଲେଜ ପକ୍ଷରୁ ଫି ବଢାଇବା ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଫି ବୃଦ୍ଧି ସଂପର୍କରେ ବିଦ୍ୟାର୍ଥୀମାନେ କଲେଜର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଅଧ୍ୟକ୍ଷ ସେପରି ସନ୍ତୋଷ ଜନକ ଉତର ନଦେବାରୁ ପ୍ରତିବାଦ ସ୍ୱରୂପ ଆଜି କଲେଜର ବିଦ୍ୟାର୍ଥୀ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ବସି ଅବରୋଧ କରିଥିଲେ । ଖବରପାଇ ଧୁଷୁରୀ ଥାନା ଏସଆଇ ମହାପ୍ରାସଦ ନାୟକ ଘଟଣାସ୍ଥଳେ ପହଂଚି ବିଦ୍ୟାର୍ଥୀଙ୍କୁ ବୁଝାସୁଝା କରି କଲେଜ ପରିସରକୁ ନେଇ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ପରେ ଉପଜିଲାପାଳଙ୍କ ସହିତ ଫୋନ ଯୋଗେ କଥା ହେବା ପରେ ଉପଜିଲାପାଳ ଗତବର୍ଷର ଫି ୨୧୪୦ ଟଙ୍କା ସ୍ଥିର କରିବାରୁ ଛାତ୍ରଛାତ୍ରୀ ମାନେ ପ୍ରତିବାଦରୁ ଓହରି ଥିଲେ ।