Home ଜିଲ୍ଲା ପରିକ୍ରମା ରାହାସ ପୂର୍ଣ୍ଣମୀ ଲାଗି ଆଖଣ୍ଡଳମଣି ପୀଠରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି, ଶିବଗଙ୍ଗା...

ରାହାସ ପୂର୍ଣ୍ଣମୀ ଲାଗି ଆଖଣ୍ଡଳମଣି ପୀଠରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି, ଶିବଗଙ୍ଗା ପୁଷ୍କରିଣୀରେ ହେବନି ଡଙ୍ଗା ଭସା

26

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ରାହାସ ପୂର୍ଣ୍ଣମୀରେ ପ୍ରସିଦ୍ଧ ଶୈବପୀଠ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭିଡ ହେବା ଆଶଙ୍କା କରି ଆଜି ଉପଜିଲ୍ଲାପାଳ ଆରଡି, ଆଖଣ୍ଡଳମଣି ପୀଠ ସମେତ ଶିବଗଙ୍ଗା ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଏହା ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବାବା ମଣିଙ୍କ ମନ୍ଦିରରେ ସାଧାରଣ ପୂଜା ବନ୍ଦ ରହିବ । ପ୍ରତିଦିନ ଜଣେ ମାତ୍ର ସେବାୟତ ମନ୍ଦିରରେ ବାବାଙ୍କ ନୀତିକାନ୍ତି ଅନୁଯାୟୀ ପୂଜା କରିବେ । ଜନ ସାଧାରଣ କାର୍ତ୍ତିକ ପୂର୍ଣ୍ଣମୀ ବା ରାହାସ ପୂର୍ଣ୍ଣମୀରେ ଲୋକମାନେ ଘରେ ରହି ପାଳନ କରିବେ । ବୋଇତ ବନ୍ଦାଣ ବା ଡଙ୍ଗାଭସାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମନ୍ଦିର ବେଢା କିମ୍ବା ଏହାର ପାଶ୍ୱର୍ବର୍ତ୍ତ ଅଞ୍ଚଳରେ କୌଣସି ପ୍ରକାରର ଭିଡ ହୋଇ ପାରିବ ନାହିଁ । ଧର୍ମାନୁଷ୍ଠାନ କେବଳ ୭ ଜଣରେ ସୀମିତ ରହିବେ । ଏଥିରେ ପୂଜକ ଏବଂ କର୍ତ୍ତା ସାମିଲ ରହିବେ । ସେହିପରି କୌଣସି ଧର୍ମାନୁଷ୍ଠାନରେ ମାଇକ୍ ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରହିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏହାର କଡାକଡି ପାଳନ ଉପରେ ନଜର ରଖିବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦିଆ ଯାଇଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀରେ ବାବା ମଣିଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ବିଶେଷ କରି ପଞ୍ଚକ ବ୍ରତ ଆରମ୍ଭରୁ ହବିଷ୍ୟାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ଭିଡ ହୋଇଥାଏ । ଚଳିତ ବର୍ଷ ପଞ୍ଚକ ବ୍ରତର ଅବ୍ୟବହିତ ପୂର୍ବରୁୁ ୧୪୪ ଧାରା ଜାରି କରାଯାଇଛି । ଏହା ପୂର୍ଣ୍ଣମୀ ତଥା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦିଆ ଯାଇଛି । ଏହାର ଉଲଂଘନ ହେଲେ କୋବିଡ଼ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.