Home ଜିଲ୍ଲା ପରିକ୍ରମା ରାସ୍ତା ଉପରେ କବାଡିଆ ଦୋକାନୀଙ୍କ ଜୁଲମ;ବଢୁଛି ଟ୍ରାଫିକ ସମସ୍ୟା

ରାସ୍ତା ଉପରେ କବାଡିଆ ଦୋକାନୀଙ୍କ ଜୁଲମ;ବଢୁଛି ଟ୍ରାଫିକ ସମସ୍ୟା

174

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ସହରରୁ ବିଭିନ୍ନ ଅଂଚଳକୁ ଯାଇଥିବା ରାସ୍ତା କଡରେ କବାଡିଆ ଦୋକାନ ଯୋଗୁଁ ଏବେ ଟ୍ରାଫିକ ସମସ୍ୟା ବଡି ଯାଇଛି । ଧାମନଗର ନଗରୀର ମାନ୍ୟତା ପାଇବା ପରେ ଏବେ ଜନଗହଳି ବଡିଛି । ବିଭିନ୍ନ ଅଂଚଳରୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ନିଜର କାମ ନେଇ ଆସୁଛନ୍ତି । ଏପରିକି ଏଠାରେ ବ୍ଲକ, ତହସିଲ, କୋଷାଗାର, ମେଡିକାଲ, ଏନଏସି, କୃଷି, ଦମକଳ, ସବରେଜିଷ୍ଟର, ବିଭିନ୍ନ ବ୍ୟାଙ୍କ, ବିଇଓ ଅଫିସ ସହିତ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ରହିଛି । ଏପରିକି ଧାମନଗର ଏକ ବ୍ୟବସାୟୀ ପେଣ୍ଠସ୍ଥଳ ହୋଇଥିବା ସହିତ ଏହି ରାସ୍ତା ଭଦ୍ରକ ଓ ଯାଜପୁର ଜିଲା ସମେତ ପ୍ରସିଦ୍ଧ ଶୈବ ପୀଠ ଆରଡି ଏବଂ ମୁସଲମାନ ସଂପ୍ରଦାର ପ୍ରସିଦ୍ଧ ପୀରବାବାଙ୍କ ଆସ୍ଥାନ ସ୍ଥଳ ରହିଛି । ଫଳରେ ଦୈନିକ ହଜାର ହଜାର ଲୋକଙ୍କ ଏଠାରେ ଗହଳି ହେବା ସହିତ ଶହଶହ ଗାଡି ମଟର ଯାତାୟତ କରୁଛି । ଅଧିକ ଲୋକଙ୍କ ଆତଯାତ ସତ୍ୱେର୍ ଧାମନଗର ବଜାରର ମୁଖ୍ୟ ରାସ୍ତା ସଂପ୍ରସାରଣ ହୋଇଥିଲେ ମଧ୍ୟ କେତେକ ଜବରଦଖଲ ଯୋଗୁଁ ରାସ୍ତା କ୍ରମଶ ସଂକୁଚିତ ହୋଇ ପଡିଛି । ବିଶେଷକରି ସାନ ବଜାରରୁ ବ୍ଲକ ବଜାର, ଧାମନଗର-ଫଳପୁର ରାସ୍ତାର ଧୋବାସାହି ଛକ ସନ୍ନିକଟ, ଚୁନୁପଡା ଛକ, ହବିବନଗର, ଶାମପୁର ଛକ, ମୁଲଣାସାହି ଛକ, ମନ୍ତ୍ର ବାସୁଳୀ ଛକରୁ ଗୋଖାଦିଗସାହି ରାସ୍ତା କଡ ଆଦି ରାସ୍ତା କଡରେ ଛତୁ ଫୁଟିଲା ଭଳି କବାଡିଆ ଦୋକାନୀ ଖୋଲା ଯାଇଛି । ଖୁଚୁରା ବେପାରିମାନେ ଗାଁ ଗହଳିରୁ ଲୁହାଲକଟ, ସାଇକଲ, ନଳକୂପ, ମଟର, ଚେୟାର ଆଦି ଚୋରି କରି ଜିନିଷ ଆଣି ଏଠାରେ ବିକ୍ରି କରୁଛନ୍ତି । ଏପରିକି କେତେକ ଚୋରା ଓ ଋଣ ଫାଙ୍କିଥିବା ବଡବଡ ଟ୍ରକ, ଟେକ୍ସି, ଟ୍ରେକର ଇତ୍ୟାଦି ଏହି କବାଡିଆ ଦୋକାନୀ ମାନଙ୍କୁ ବିକ୍ରି କରୁଛନ୍ତି । ଫଳରେ ଉଭୟ ବେପାରି ଓ ଦୋକାନୀ ମାଲେମାଲ ହେଉଛନ୍ତି । ଏପରିକି ଏହି ଲୋଡି ସମୟରେ ଛୋଟ ବଡ ଲୁହା କଂଟା, ଭଙ୍ଗା କାଂଚ ଆଦି ରାସ୍ତାରେ ପଡିବାରୁ ଲୋକଙ୍କ ଗୋଡରେ ଫୁଟିବା ଏବଂ ଗାଡି ଲିକ୍ ମଧ୍ୟ ହେଉଛି । କବାଡିଆ ମାନେ ଯେଉଁସବୁ ସ୍ଥାନରେ ଦୋକାନ କରିଛନ୍ତି ସେସବୁ ସ୍ଥାନ ଜନଗହଳିପୂର୍ଣ୍ଣ ଅଂଚଳ । ପ୍ରତିଦିନ ରାସ୍ତା ଉପରେ ଏହି ଦୋକାନୀମାନେ ବଡବଡ ଟ୍ରକ ରଖି ଏସବୁ ଚୋରା ସାମଗ୍ରୀ ଘଂଟାଘଂଟା ଧରି ଲୋଡି କରୁଛନ୍ତି । ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି । ସାଧାରଣ ଲୋକ ପ୍ରତିବାଦ କଲେ ଓଲଟି ସେମାନଙ୍କ ଉପରେ ନାଲିଆଖି ଦେଖାଇବା ଓ ଥାନାରେ ଅଭିଯୋଗ କର ବୋଲି ଧମକ ଦେଉଛନ୍ତି । ଥାନା ଠାରୁ ମାତ୍ର ଶହେ ଦୁଇଶହ ମିଟର ବ୍ୟବଧାନରେ ଏହି ସବୁ ବେଆଇନ କାର୍ଯ୍ୟ ଚାଲିଥିବା ବେଳେ କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ ତାହାକୁ ନେଇ ବୃଦ୍ଧିଜିବୀ ମହଲରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗ ଏହିସବୁ ବେଆଇନ ଦୋକାନକୁ ଚିହ୍ନଟ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବହୁ ଚୋରା ଗାଡି ଓ ସାମଗ୍ରୀର ଫର୍ଦ୍ଦାଫାସ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏସଂପର୍କରେ ଥାନାଧିକାରୀ ରତିକାନ୍ତ ଗିରିଙ୍କୁ ଯୋଗାଯୋଗ କରିବାରୁ କହନ୍ତି ଏହି ଘଟଣା ସଂପର୍କରେ ଆମ ପାଖରେ ସୂଚନା ନାହିଁ । ଯଦି ଏପରି ହେଉଥାଏ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.