ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଜି ଦେଶବ୍ୟାପୀ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରକ୍ଷିତ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଗଣଧାରଣ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ପରିଷଦର ରାଜ୍ୟ ସଭାପତି ସୌମ୍ୟରଂଜନ ଆଢ଼୍ୟ ସଭାପତିତ୍ୱ କରିବା ସହିତ ସାମ୍ପ୍ରତିକ ସ୍ଥତିରେ ସରକାରଙ୍କ ପକ୍ଷରୁ ଆଦିବାସୀ ପ୍ରତି ବୃଦ୍ଧି ପାଇଥିବା ଉଦାସୀନତାର କଡ଼ା ସମାଲୋଚନା କରିଥିଲେ। ଜିଲ୍ଲା ସଭାପତି ଗଗନ ପାତ୍ର, ଗଗନ କୁମାର ସେଠୀ, ପ୍ରଫୁଲ୍ଲ ସିଂ, ରଘୁନାଥ ହେମ୍ବ୍ରମ, ଅନ୍ନପୂର୍ଣ୍ଣା ସିଂ, ଗୌତମ ସିଂ, ବେଣୁଧର ବାରିକ, ରତିକାନ୍ତ ବାରିକ, ରମାକାନ୍ତ ସେଠୀ, ମୁକ୍ତିକାନ୍ତ ଜେନା ପ୍ରମୁଖ ଏଥିରେ ଯୋଗଦେଇ ସମ୍ପ୍ରତି ସାମାଜିକଏବଂ ସରକାରୀ ସ୍ତରୀୟରେ ଆଦିବାସୀଙ୍କ ଉପରେ ହେଉଥିବା ଜୁଲମ ଓ ଅବହେଳାର ଦୃଢ଼ ପ୍ରତିବାଦ କରିଥିଲେ। ବିଶେଷ କରି ଆଦିବାସୀଙ୍କଠାରୁ ଜଙ୍ଗଲ ଜମି ଅଧିକାର ଛଡ଼େଇ ନେବା, କାଠ ଓ ଖଣିଜଦ୍ରବ୍ୟ ମାଫିଆଙ୍କ ଦ୍ୱାରା ଅତ୍ୟାଚାରିତ ହେବା, ସରକାରୀ ଜମିରୁ ସେମାନଙ୍କୁ ଉଚ୍ଛେଦ କରି ଆଦିବାସୀମାନଙ୍କୁ ବାସହୀନ ଓ ଭୂମିହୀନ ସଜାଇବା, ଭୂମିହୀନ ହୋଇଥିବା କାରଣରୁ ସରକାରଙ୍କ କୌଣସି ପ୍ରମାଣପତ୍ର ଏମିତିକି ନାଗରିକ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଥିବା ବକ୍ତାମାନେ ଆରୋପ ଉଠାଇଥିଲେ। ଏନେଇ ସରକାର ତୁରନ୍ତ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକତା ପରିଷଦ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।








