ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପଂଚାୟତ ରାମପୁର ଗ୍ରାମର ଚୌକିଦାର ଭୀମ ଯେନାଙ୍କ ପୁତ୍ର ସୁରେନ୍ଦ୍ର ଗ୍ରାମବାସୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କୁ ହଇରାଣ ହରକତ କରୁଥିବାର ଅଭିଯୋଗ ହୋଇଛି । ଗ୍ରାମର ବହୁ ମହିଳା ଓ ପୁରୁଷ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିକଟରେ ଫେରାଦ ହୋଇଥିବାର ଜଣାଯାଇଛି । ଅଭିଯୋଗ ପତ୍ରରୁ ଜଣାଯାଏ ରାମପୁର ଗ୍ରାମକୁ ଆଦୌ ଯୋଗଯୋଗକାରୀ ରାସ୍ତାଟିଏ ଏଯାବତ୍ ନାହିଁ । ରାସ୍ତା ନିର୍ମାଣ ପାଇଁ ସରକାରୀ ଜମି ମଧ୍ୟ ଯଥେଷ୍ଟ ନୁହେଁ । ଘରୋଇ ଜମି ଦାନ ଦ୍ୱାରା ରାସ୍ତା ନିର୍ମାଣ ସମ୍ଭବ ହୋଇପାରିବ ବୋଲି ଗ୍ରାମବାସୀ ଅନୁଭବ କରିଥିଲେ । ତେଣୁ ଗ୍ରାମରେ ଗ୍ରାମସଭା ଡକାଯାଇ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଘରୋଇ ଜମି ଦାନ କରିବାକୁ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା । ସୁରେନ୍ଦ୍ର ଯେନାଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ବିଜୟାନନ୍ଦ (୩୦) ଓ ଭାଇ ନଟବର (୫୬) ଗ୍ରାମସଭାର ସଂକଳ୍ପକୁ ଗ୍ରହଣ କରି ସମ୍ମତି ପ୍ରଦାନ କରିଥିଲେ । ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର ସୁରେନ୍ଦ୍ର ଗ୍ରାମକୁ ଫେରି ନିଜ ଜମିରେ ମାଟି ପକାଇବା ଘଟଣାକୁ ବିରୋଧ କରି ଗ୍ରାମବାସୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ମଧ୍ୟ ଗ୍ରାମବାସୀଙ୍କୁ ବାରମ୍ବାର ଡକାଯାଇଥିଲା । ଏଥିରେ ଭୟଭୀତ ହୋଇ ଗ୍ରାମବାସୀ ଦୀନବନ୍ଧୁ ଯେନା, ଅରତ କୁମାର ଯେନା, ଜଗବନ୍ଧୁ ଯେନା, ପଦ୍ମାବତୀ ଯେନା, ମାଗୁଣି ଯେନା, ବାମଦେବ ଯେନା, ଶ୍ରୀକାନ୍ତ ଯେନା, ଇନ୍ଦ୍ରମଣି ମହାପାତ୍ର, ରବିନ୍ଦ୍ର ମହାପାତ୍ର ପ୍ରମୁଖ ଜିଲା ପୁଲିସ୍ ଅଧିକ୍ଷକଙ୍କୁ ସାକ୍ଷାତ୍ କରି ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ରାମପୁର ଗ୍ରାମ୍ୟ ରାସ୍ତା ନିର୍ମାଣ ବିରୁଦ୍ଧରେ ମିଥ୍ୟା ମାମଲା , ଏସ୍ପିଙ୍କୁ ଫେରାଦ ହେଲେ ଗ୍ରାମବାସୀ