Home ଅନୁଗୁଳ ରାଜ୍ୟ ସରକାର ନେବେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ : ବିଧାୟକ ବ୍ରଜକିଶୋର ପ୍ରଧାନ

ରାଜ୍ୟ ସରକାର ନେବେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ : ବିଧାୟକ ବ୍ରଜକିଶୋର ପ୍ରଧାନ

36

ତାଳଚେର, ୧୨/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରରେ ଏମସିଏଲ ନିର୍ମାଣାଧିନ ମେଡ଼ିକାଲ କଲେଜ(ମିମସାର)ର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏଥିପାଇଁ ଶ୍ରୀ ପ୍ରଧାନ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗ ନେଇ ଆଜି ପୁର୍ତ ବିଭାଗର ଡାକବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ପ୍ରଧାନ ଏହା ପ୍ରକାଶ କରିବାସହ ଏ ସମ୍ପର୍କିତ ସମସ୍ତ ତଥ୍ୟ ଏମସିଏଲକୁ ପ୍ରଦାନ କରାଯିବା ନେଇ ସୂଚନା ନେଇଛନ୍ତି। ଦୀର୍ଘ ବର୍ଷ ହେବ ଏହା ନିର୍ମିତ ହୋଇଥିଲେ ସୁଦ୍ଧା ଏହାକୁ ପରିଚାଳନା ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏମସିଏଲ ଏହାର ପରିଚାଳନାଗତ ବ୍ୟୟ ବହନ କରିବାପାଇଁ ପ୍ରସ୍ତୁତ ହୋଇଥିବାର ସୂଚନା ପରେ ରାଜ୍ୟ ସରକାର ନିଜେ ଦାୟିତ୍ୱ ନେଇ ମେଡ଼ିକାଲ କଲେଜ ଚଳାଇବେ। ଯାହାକି ରାଜ୍ୟ ସରକାର ଏବଂ ଏମସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବା ସମୟରେ ମେଡ଼ିକାଲ କଲେଜ ନିର୍ମାଣ ଏବଂ ପରିଚାଳନା ଖର୍ଚ୍ଚ ତୁଲାଇବାକୁ ପ୍ରତିଶ୍ରୁତି ଦେଇଥିଲା। ସେଥିପାଇଁ ବର୍ତମାନ ଏମସିଏଲ ଏହାର ପରିଚାଳନାଗତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିବାରୁ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ଏକ ଖର୍ଚ୍ଚ ତାଲିକା ପ୍ରସ୍ତୁତ କରି ଏମସିଏଲ ସିଏମଡିଙ୍କୁ ଲିଖିତ ଭାବେ ଅବଗତ କରାଇବ। ତାପରେ ରାଜ୍ୟ ସରକାର ନିଜ ତରଫରୁ ରାଜପତ୍ର ଜାରି କରିବେ ବୋଲି ବିଧାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଯାହାକି ଖୁବ ଶୀଘ୍ର ହେବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ସେହିପରି ତାଳଚେରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ସେ ଖୁସିବ୍ୟକ୍ତ କରିବାସହ ଏହା ଆରମ୍ଭ ହେଲେ ଜନସାଧାରଣ ଉପଯୁକ୍ତ ଚିକିତ୍ସାସେବା ପାଇପାରିବେ ସେ ମତବ୍ୟକ୍ତ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଗତ ୧୦ତାରିଖରେ ତାଳଚେର ବନ୍ଦ ଆନ୍ଦୋଳନ କରାଯାଇଥିଲା। ଅପରପକ୍ଷେ ରାଜ୍ୟ ପରିବାର ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ଆଜି ଏକ ପତ୍ର ମାଧ୍ୟମରେ ଏମସିଏଲ ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି ବୋଲି ମଧ୍ୟ ଜଣାପଡ଼ିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଉପାଧ୍ୟକ୍ଷା ଆଂଚଳ ପ୍ରଧାନ, ତାଳଚେର ନଗରପାଳ ପବିତ୍ର ଭୁତିଆ, ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ, ତାଳଚେର ଓକିଲ ସଂଘ ସଭାପତି ସନ୍ତୋଷ ସାହୁ, ତାଳଚେର ସୁରକ୍ଷା ମଂଚ ସଭାପତି ମୁରଲୀଧର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବହୁ ନିର୍ବାଚିତ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.