ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତିର ଚାଷୀମାନେ ସମିତି ପାର୍ଶ୍ୱସ୍ଥ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଶୁକ୍ରବାର ସକାଳେ ଅବରୋଧ କରିଛନ୍ତି । ମିଲରମାନେ ସହଯୋଗ କରୁନାହାଁନ୍ତି।ଯେଉଁଥିପାଇଁ ମଣ୍ଡିରୁ ଧାନ ଉଠିପାରୁ ନାହିଁ।ଫଳରେ ମଣ୍ଡିରେ ୮ହଜାର କୁଇଂଟାଲରୁ ଅଧିକ ଧାନ ପଡ଼ି ରହିଛି।ଏଥିସହ ଧାନ ବିକି ଚାଷୀମାନେ ପ୍ରାପ୍ୟ ପାଇପାରୁ ନାହାଁନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାଫଳରେ ସେମାନେ ରାସ୍ତା ଅବରୋଧ ପରି ପଦକ୍ଷେପ ନେଇଥିଲେ। ନିରୁପାୟ ହୋଇ ଚାଷୀ ତିହିଡି ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଗଲେ। ଧାନ ନିଅ ନଚେତ ଆମକୁ ମାରିଦିଅ ବୋଲି କହିଥିଲେ। ଚାରିତରଫ ସମିତି ମଣ୍ଡିରେ ୭୨୦ଜଣ ପଞ୍ଜିକୃତ ଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୨ ଜଣ ଚାଷୀ ଏଯାବତ ଧାନ ବିକି ପାରି ନାହାନ୍ତି । ମଣ୍ଡି ସହ ୨ଟି ରାଇସ ମିଲ ଟ୍ୟାଗ ହୋଇଥିବା ବେଳେ ବିଗତ ୧୫ଦିନ ମଧ୍ୟରେ ସେମାନେ ଆଦୌ ଧାନ ଉଠାଇ ନାହାନ୍ତି । ଯାହାଫଳରେ ମଣ୍ଡି ସାମ୍ନାରେ ଖରା, କାକରରେ ୮ହଜାର କୁଇଂଟାଲରୁ ଉର୍ଦ୍ଧ୍ୱ ଧାନବସ୍ତା ପଡ଼ି ରହିଛି । ସମିତିକୁ ମିଳିଥିବା ଟାର୍ଗେଟ ପୂରଣ ହୋଇସାରିଥିବା ବେଳେ ଅଧିକ ୮ହଜାର କୁଇଂଟାଲ ଟାର୍ଗେଟର ଆବଶ୍ୟକତା ଥିଲେ ମଧ୍ୟ ତାହା ପୂରଣ କରାଯାଉ ନାହିଁ । ଏପରି ଅବ୍ୟବସ୍ଥା ଯୋଗୁ ମଣ୍ଡିକୁ ଧାନ ଦେଇ ଚାଷୀମାନେ ମଧ୍ୟ ପ୍ରାପ୍ୟ ପାଇ ପାରିନାହାନ୍ତି । ତେବେ ସମିତି ସଭାପତି, କର୍ମକର୍ତା ଓ ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ରାସ୍ତା ରୋକପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ତେବେ ରାସ୍ତା ଅବରୋଧ ହେବାର ୩ ଘଂଟା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ରାସ୍ତାରୋକ ସ୍ଥଳରେ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ସମିତି ସଭାପତି ବସନ୍ତ କୁମାର ନାୟକ, ଚାଷୀ ନେତା ମୁକ୍ତିକାନ୍ତ ନାୟକ, ରାଜନଗର ପଂଚାୟତ ସରପଂଚଙ୍କ ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସରପଂଚ ସୁଦର୍ଶନ ବିଶ୍ୱାଳ, ବିଚିତ୍ର ବଳ, ସନ୍ଥ ଚରଣ ବିଶ୍ୱାଳ ପ୍ରମୁଖ ମଣ୍ଡିରେଥିବା ସମସ୍ୟା ଉପସ୍ଥାପନ କରିଥିଲେ । ଆଲୋଚନା ବେଳେ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ସମିତି ସମ୍ପାଦକ ମନୋରଞ୍ଜନ ବଳ, ପୂର୍ବତନ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ପ୍ରଭାତ ବିଶ୍ୱାଳ, ସନାତନ ବାରିକ, ସୁବାସ ସ୍ୱାଇଁଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ । ତହସିଲଦାର ଆଚାର୍ଯ୍ୟ ଶୁକ୍ରବାର ୨ଟି ଓ ଅନ୍ୟଦିନରେ ଗୋଟିଏ ଲେଖାଏଁ ବଡ଼ ଟ୍ରକ ଯୋଗାଇଦେଇ ଧାନବସ୍ତା ଉଠାଯିବା ଏବଂ ଅଧିକ ଟାର୍ଗେଟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।







