Home ଓଡ଼ିଶା ରାଜ୍ୟ ପ୍ରସଙ୍ଗକୁ ସଂସଦରେ ଉତ୍‌ଥାପନ ନ କରିବା ପାଇଁ ବିଜେପି-ବିଜେଡି ଭିତରେ ଅବୈଧ ସନ୍ଧି –...

ରାଜ୍ୟ ପ୍ରସଙ୍ଗକୁ ସଂସଦରେ ଉତ୍‌ଥାପନ ନ କରିବା ପାଇଁ ବିଜେପି-ବିଜେଡି ଭିତରେ ଅବୈଧ ସନ୍ଧି – କଂଗ୍ରେସ

373

ଭୁବନେଶ୍ୱର ୯.୧୨ (ଓଡ଼ିଆ ପୁଅ) – ଲୋକସଭାରେ ହେଉ କି ରାଜ୍ୟସଭାରେ ହେଉ ପ୍ରସଙ୍ଗ ଉତ୍‌ଥାପନ ନକରିବା ତଥା ରାଜ୍ୟର ସ୍ୱାର୍ଥ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନହେବା ବିଜେଡି ବିଜେପି ମଧ୍ୟରେ ଅବୈଧ ସନ୍ଧି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତିି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସଂସଦରେ ପ୍ରସଙ୍ଗ ନଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାରେ ଭାଗ ନନେବା ଘଟଣାକୁ ତଥ୍ୟ ଓ ପ୍ରମାଣ ସହ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି। ଗତ ଅକ୍ଟୋବର ମାସ ୨୬ ତାରିଖରେ ଦେଶର ଅର୍ଥନୈତିକ ଦୂରାବସ୍ଥା ସଂପର୍କରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ସହିତ ବିଜେଡିର ୩ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍‌.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟସଭା ପକ୍ଷରୁ ୨୭ ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜଡ୍ ଲିଷ୍ଟ ଅଫ ବିଜନେସ୍‌ରେ ଉପରୋକ୍ତ ୩ଜଣ ବିଜେଡି ସାଂସଦଙ୍କ ନାମ ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ତିନିଜଣ ସାଂସଦ ଏହି ଆଲୋଚନାରେ ଭାଗ ନେଲେ ନାହିଁ। ୨୭ ତାରିଖ ରାଜ୍ୟସଭାର ୨୫୭ ପୃଷ୍ଠା ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଅଛି। ଠିକ୍ ଦିନକ ପରେ ଅର୍ଥାତ୍ ୨୯ ଅକ୍ଟୋବରରେ ଓଡିଶାର ଅତ୍ୟନ୍ତ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ସ୍ମିତାରାଣୀ ଗଣଦୁଷ୍କର୍ମ ପ୍ରସଙ୍ଗକୁ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ସମୟରେ ବିଜେଡିର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ ଏବଂ ବିଜେପି ସାଂସଦମାନେ ଏଥିରେ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନଉଠାଇବା ପାଇଁ ନିରବ ସମର୍ଥନ କରିଥିଲେ। ଖାଲି ସେତିକି ନୁହେଁ ସଦ୍ୟ ସମାପ୍ତ ଏଆଇଆଇଏମ୍‌ଏସ୍‌ର ସଭ୍ୟ ପଦ ନିର୍ବାଚନରେ ବିଜେପିର ରାଜ୍ୟସଭାରେ ୮୧ ସାଂସଦ ଥିବା ସ୍ଥଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ୭ ଜଣ ସାଂସଦଙ୍କ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ। ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍‌ଏସ୍ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି-ବିଜେଡି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଆଲୋଚନା ନକରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ୱାର୍ଥର ସଂପୂର୍ଣ୍ଣ ଭାବେ ପରିପନ୍ଥୀ ଅଟେ। କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.