Home Coronavirus Outbreak ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ପୂର୍ବତନ ରାଜ୍ୟ ଉପସଭାପତି ଇଂ.ବୃନ୍ଦାବନ କଳସ, ବରିଷ୍ଠ ପ୍ରଶାସକ ଗୋପୀନାଥ...

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ପୂର୍ବତନ ରାଜ୍ୟ ଉପସଭାପତି ଇଂ.ବୃନ୍ଦାବନ କଳସ, ବରିଷ୍ଠ ପ୍ରଶାସକ ଗୋପୀନାଥ ମହାନ୍ତି ଏବଂ ଅନ୍ୟ କାର୍ଯ୍ୟକର୍ତାଙ୍କ ବିୟୋଗରେ ଶୋକସଭା

127

କରୋନା ମହାମାରୀ, ମାଓବାଦୀ ଆକ୍ରମଣରେ ଶହୀଦ, ଗୁଜୁରାଟ ଓ ମହାରାଷ୍ଟ୍ରରେ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
– ବରିଷ୍ଠ ନେତା ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ଓ ପଦାଧିକାରୀ, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ବିଧାୟକ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଭର୍ଚୁଆଲ ମୋଡରେ ଯୋଗ ଦେଲେ
– ଏହି ଅବସରରେ ପ୍ରାଣ ହରାଇଥିବା ବିଚାର ପରିବାର ଓ ପାର୍ଟୀର ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
– ମାଓବାଦୀ ଆକ୍ରମଣରେ ଛତିଶଗଡ ରାଜ୍ୟରେ ଶହୀଦ ହୋଇଥିବା ଯବାନ ଏବଂ ଗୁଜୁରାଟ ଓ ମହାରାଷ୍ଟ୍ରରେ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ଭୁବନେଶ୍ୱର, ୧୯/୦୫ (ଓଡ଼ିଆ ପୁଅ) : କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ହୋଇ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ପ୍ରାଣ ହରାଇଛନ୍ତି। ଖ୍ୟାତିସମ୍ପନ୍ନ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର, ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଉପସଭାପତି ଇଂ.ବୃନ୍ଦାବନ କଳସ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତାଙ୍କ ଅକାଳ ବିୟୋଗ ହୋଇଛି। ଅବସରପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଗୋପୀନାଥ ମହାନ୍ତିଙ୍କ ସମେତ ବିଚାର ପରିବାରର ବହୁ ସଦସ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦେହାନ୍ତ ହୋଇଛି। ବରିଷ୍ଠ ନେତା ତଥା ପୁର୍ବତନ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଜରିଆରେ ଗତ କାଲି ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।

ସ୍ୱର୍ଗତଃ ରଘୁନାଥ ମହାପାତ୍ର ନିଜର ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଜାତୀୟ ତଥା ଅନ୍ତର୍ଜାାତୀୟ ସ୍ତରରେ ଓଡିଶାକୁ ସୁନାମ ଆଣିବା ସହ ସମ୍ମାନିତ କରିଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ସ୍ଥପତି କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ଯୋଗୁଁ ସ୍ୱର୍ଗତଃ ମହାପାତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ଆମ ଦଳକୁ ସଂଗଠିତ ଓ ସୁଦୃଢ କରିବାରେ ସ୍ୱର୍ଗତଃ ବୃନ୍ଦାବନ କଳସଙ୍କ ଅତୁଳନୀୟ ଅବଦାନ ଥିଲା। ଜଗନ୍ନାଥ ସଂସ୍କୃତିର ଦେଶ ବିଦେଶରେ ପ୍ରଚାର ଓ ପ୍ରସାର ପାଇଁ ଅବସରପ୍ରାପ୍ତ ପ୍ରଶାସକ ସ୍ୱର୍ଗତଃ ଗୋପିନାଥ ମହାନ୍ତିଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ। କରୋନା କାୟାରେ ଆମ ବିଚାର ପରିବାରର ବହୁ ସଦସ୍ୟ, ପାର୍ଟୀର କାର୍ଯ୍ୟକର୍ତାମାନେ ପ୍ରାଣ ହରାଇଛନ୍ତି। ଏଭଳି ସଂକଟ ସମୟରେ ଆମେ ସମସ୍ତେ ଏକାଠି ହୋଇ ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ କୋଭିଡ୍ ଟେଷ୍ଟିଂକୁ ଗୁରୁତ୍ୱ ଦେବା ପାଇଁ ସଚେତନତା ସୃଷ୍ଟି କରାଇ ପାରିଲେ ସମସ୍ତଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଜଣେ ପ୍ରତିଷ୍ଠିତ ସ୍ଥପତି ହେବା ସହ ସ୍ୱର୍ଗତଃ ମହାପାତ୍ର ଜଣେ ଅତ୍ୟନ୍ତ ମେଳାପୀ, ଭଦ୍ର, ଅମାୟିକ ବ୍ୟକ୍ତି ଥିଲେ। ଜଣେ ଭଲ ବନ୍ଧୁ ହରାଇଲି ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି। ସେହିପରି ସ୍ୱର୍ଗତଃ କଳସଙ୍କ ଦେହାନ୍ତରେ ପାର୍ଟୀ ଜଣେ ନିଷ୍ଠାପର କାର୍ଯ୍ୟକର୍ତାଙ୍କୁ ହରାଇଲା ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ମହାପାତ୍ର ଭୂବନେଶ୍ୱରକୁ ନିଜ କର୍ମକ୍ଷେତ୍ର ଭାବେ ଚୟନ କରିଥିଲେ। ନିଜ ନିଖୁଣ କାରୁକାର୍ଯ୍ୟ ଜରିଆରେ ପଥର ଦେହରେ ଜୀବନ ଆଣି ଦେଶ ତଥା ଆନ୍ତର୍ଜାତୀକ ସ୍ତରରେ ଓଡିଶାର ସୁନାମ ଆଣିଥିବା ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ଅଟେ। ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଉପସଭାପତି ଇଂ.ବୃନ୍ଦାବନ କଳସଙ୍କ ବିୟୋଗ ପାର୍ଟୀ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଶୋକ ବ୍ୟକ୍ତ କରି କହିଛନ୍ତି।

ସ୍ୱର୍ଗତଃ ବୃନ୍ଦାବନ କଳସ ୧୯୯୦ ମସିହାରୁ ପାର୍ଟୀର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରି ଆସୁଥିଲେ। ସ୍ୱର୍ଗତଃ କଳସ ଖୋର୍ଦ୍ଧା ଜିଲ୍ଲା ସଭାପତି, ରାଜ୍ୟ ଉପସଭାପତି, ରାଜ୍ୟ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠର ମୁଖ୍ୟ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରିବା ସହ ଗୁରୁତ୍ୱପୂର୍ଣ୍ଣ ପୁରୀ ଗ୍ରାମ୍ୟ ବ୍ୟାଂକ, ଓସକାର୍ଡ ବ୍ୟାଂକ ସଭାପତି ଭାବେ ନିଷ୍ଠାର ସହ ଦାୟୀତ୍ୱ ସଂପନ୍ନ କରିଥିଲେ। ୨୦୧୯ ମସିହାରେ ଅଟଳ ସମ୍ମାନରେ ସମ୍ମାନ୍ଖଚ୍ଛ ସ୍ୱର୍ଗତଃ କଳସ ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ପୂର୍ବତନ ରାଜ୍ୟ ସଂଗଠନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ମିଶ୍ର ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ କହିଥିଲେ।

ଅବସରପ୍ରାପ୍ତ ପ୍ରଶାସକ ତଥା ସୁସାହିତ୍ୟିକ ସ୍ୱର୍ଗତଃ ଗୋପିନାଥ ମହାନ୍ତି ଫକୀର ମୋହନ ଜୟନ୍ତୀ କମିଟିର ଅନ୍ୟତମ ସ୍ରଷ୍ଟା ଥିଲେ। ଓଡିଆ ସାହିତ୍ୟର ପ୍ରଚାର ଓ ପ୍ରସାର ସହ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଦେଶ ଓ ବିଦେଶରେ ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ ଜାରୀ ରଖିଥିଲେ। ନମ୍ର, ମିଷ୍ଟଭାଷୀ ସ୍ୱର୍ଗତଃ ମହାନ୍ତିଙ୍କ ନିଧନ ଓଡିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଅପୁରଣୀୟ କ୍ଷତି ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁରମା ପାଢୀ ମତ ଦେଇ ସ୍ମୃତିଚାରଣ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ, କେ.ଭି.ସିଂହଦେଓ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ବରିଷ୍ଠ ନେତ୍ରୀ ସୁରମା ଶତପଥୀ, ରମାରଂଜନ ବଳିଆରସିଂହ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାଏ ପ୍ରମୁଖ ଦିବଙ୍ଗତ ବ୍ୟକ୍ତିବିଶେଷଙ୍କ ସ୍ମୃତିଚାରଣ କରିଥିଲେ। କରୋନା କାଳରେ ପ୍ରାଣ ହରାଇଥିବା ବିଚାର ପରିବାରର ସଦସ୍ୟ ଏବଂ ପାର୍ଟୀର କାର୍ଯ୍ୟକର୍ତାମାନେ ସର୍ବଦା ଚିର ସ୍ମରଣୀୟ ହୋଇ ରହିବେ ବୋଲି ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବକ୍ତାମାନେ ମତ ରଖିଥିଲେ।

ସେହିପରି ମାଓବାଦୀ ଆକ୍ରମଣରେ ଛତିଶଗଡ ରାଜ୍ୟରେ ଶହୀଦ ହୋଇଥିବା ଯବାନ, ଗୁଜୁରାଟ ଓ ମହାରାଷ୍ଟ୍ରରେ ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

ଆଜିର ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ଓ ପଦାଧିକାରୀ, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ବିଧାୟକ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଭର୍ଚୁଆଲ ମୋଡରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଶୋକସଭା ପ୍ରାରମ୍ଭରେ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଅସମୟରେ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.