Home ଓଡ଼ିଶା ରାଜ୍ୟରେ ୧୦ ଲକ୍ଷ ସଭ୍ୟ ସଂଗ୍ରହ ହେବ : କଂଗ୍ରେସ

ରାଜ୍ୟରେ ୧୦ ଲକ୍ଷ ସଭ୍ୟ ସଂଗ୍ରହ ହେବ : କଂଗ୍ରେସ

89

ଭୁବନେଶ୍ୱର ୨୭.୧୦ (ଓଡ଼ିଆ ପୁଅ) -୨୫ ବର୍ଷ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧ ତାରିଖ ଦିନ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଦାୟୀତ୍ୱରେ ଥିବା ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ କହିଲେ ଯେ ଆସନ୍ତା ୧ ତାରିଖ ସୋମବାର ଦିନ ୧୧ ଘଂଟା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ରାଜ୍ୟସ୍ତରୀୟ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବଶ୍ୱାଳ, ସମସ୍ତ ବିଧାୟକ ଓ ସାଂସଦ ଗଣ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିବେ। ସମଗ୍ର ରାଜ୍ୟରେ ୧୦ ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବାବୁ ସୂଚନା ଦେଇଥିଲେ।

ସେ ପୁନଶ୍ଚ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ମମିତା ମେହେରଙ୍କୁ ଯେଭଳି ନିର୍ମମ ଭାବରେ ହତ୍ୟା କରାଗଲା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ବ୍ୟାପି ବିକ୍ଷୋଭ ଏବଂ ମନ୍ତ୍ରୀଙ୍କର ଇସ୍ତଫା ଦାବି କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ ନାରା ଦେଉଥିବା ବେଳେ ଏଭଳି ଜଘନ୍ୟ ଘଟଣାରେ ନୀରବତା ରହିବା ନାରୀ ସମାଜ ପ୍ରତି ଉପହାସ ବୋଲି ସେ କହିଥିଲେ। କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ଏଆଇସିସି ସାଧାରଣ ସଂପାଦକ ଶ୍ରୀ ରଣଦୀପ ସିଂ ସୁରେଜୱାଲା, କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର, ପିସିିିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ତୁରେକେଲା ବ୍ଲକର ଝରନୀ ଗ୍ରାମ ଗସ୍ତକରି ପୀଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ପାଇଁ ଯାଉଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ପ୍ରାକ୍ତନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଯେପର୍ଯ୍ୟନ୍ତ ପୀଡ଼ିତାକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ, ସାଧାରଣ ସଂପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.