Home ଓଡ଼ିଶା ରାଜ୍ୟରେ ମହାମାରୀ ସରକାରଙ୍କ ଉପହାର- ପ୍ରଦେଶ କଂଗ୍ରେସ କମିଟି

ରାଜ୍ୟରେ ମହାମାରୀ ସରକାରଙ୍କ ଉପହାର- ପ୍ରଦେଶ କଂଗ୍ରେସ କମିଟି

37

ଭୁବନେଶ୍ୱର ୩୦.୭ (ଓଡ଼ିଆ ପୁଅ) – ଆଦିବାସୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ପାଇଁ ବର୍ତ୍ତମାନ ଆଦିବାସୀ ବହୁଳ ରାୟଗଡ଼ା, କୋରାପୁଟ କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ନୂଆପଡ଼ା ଜିଲ୍ଳାରେ ମହାମାରୀ ପାଇଁ ଅନେକ ଜୀବନ ଚାଲିଯାଉଛି। ଅନେକ ଯୋଜନାର ଡିଣ୍ଡିମ ପିଟି ଲୋକଙ୍କୁ ଭୂଆଁ ବୁଲାଉଥିବା ଓଡ଼ିଶା ସରକାର ପ୍ରଭାବିତ ଅଂଚଳରେ ନିରୀହ ଆଦିବାସୀମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଭିନ୍ନ ସମୟରେ ସେ ଅଂଚଳରେ ମହାମାରୀ ବ୍ୟାପିବାର ନଜୀର ରହିଥିଲେ ବି ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିବା ତଥା ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଯିବା କାରଣରୁ ଆଜି ସେ ଅଂଚଳରେ ଶହଶହ ଲୋକ ଆକ୍ରାନ୍ତ ହେବା ସହ ଅନେକ ଜୀବନ ଅକାରଣରେ ଚାଲିଯାଇଛି। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ଦାୟୀ ଓ ଏ ମହାମାରୀର ବିଭିଷିକା ସମ୍ପୂର୍ଣ୍ଣଭାବେ ସରକାରୀ କୃତ ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ମହାମାରୀ ପ୍ରଭାବିତ ଅଂଚଳ ଗସ୍ତକରି ଫେରିଥିବା କଂଗ୍ରେସ ତଥ୍ୟ ଅନୁସନ୍ଧାନକାରୀ ଦଳ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବିଧାୟକ ଶ୍ରୀଭୁଜବଳ ମାଝୀଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ ସାଂସଦ ଶ୍ରୀ ନକୁଳ ନାୟକଙ୍କ ଆବାହକତ୍ୱରେ ଏକ ପ୍ରତିନିଧି ଦଳ ମହାମାରୀ ପ୍ରଭାବିତ ଅଂଚଳ ଗସ୍ତକରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଂଚଳର ଜନସାଧାରଣ, କ୍ଷତିଗ୍ରସ୍ତ ପରିବାର ଓ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିବା ସହ ସ୍ଥାନୀୟ ଅଂଚଳ ବୁଲି ଦେଖିଥିଲେ। ପିସିସି ସଭାପତିଙ୍କୁ କମିଟି ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ରାୟଗଡ଼ା ଜିଲ୍ଲାରେ କାଶିପୁର ବ୍ଲକରୁ ଆରମ୍ଭ ହୋଇଥିବା ହଇଜା ଏବେ ଅନେକ ଜିଲ୍ଲାରେ କାୟାବିସ୍ତାର କରୁଥିବା ଦେଖାଯାଇଛି। ଯଦିଓ ପ୍ରଦୁଷିତ ଜଳ ଏହି ରୋଗର ପ୍ରମୁଖ କାରଣ, ତଥାପି ଅନ୍ୟ ଆନୁସଂଗିକ କାରଣ ମଧ୍ୟ ଏହି ମହାମାରୀ ବ୍ୟାପିବା ଓ ଲୋକଙ୍କ ପ୍ରାଣହାନୀ ପାଇଁ ଦାୟୀ। ୨୨ ବର୍ଷ ଶାସନ ପରେ ବି ଆଦିବାସୀ ଭାଇଭଉଣୀ ମାନଙ୍କୁ ପାନୀୟ ଜଳ ମୁନ୍ଦାଏ ଯୋଗାଇ ଦେବାରେ ଏ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ନିସ୍ତେଜ। କାଶିପୁରରେ ଏହି ମହାମାରୀ ଆରମ୍ଭ ହେବା ପୂର୍ବରୁ ସେଠାରେ ନା ଆବଶ୍ୟକ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଥିଲେ ନା ପରିସ୍ଥିତିର ମୁକାବିଲା କରିବାପାଇଁ ଆବଶ୍ୟକ ଭିତିଭୂମି ଅଛି। ସଂପୃକ୍ତ ଅଂଚଳରେ ଅତୀତରେ ବହୁବାର ମହାମାରୀ ଘଟିଥିବା ସତ୍ୱେ ରାଜ୍ୟ ସରକାର କୌଣସି ଶିକ୍ଷା ପାଇନାହାନ୍ତି ଓ ପଦକ୍ଷେପ ନେବା ପରିବର୍ତେ ଆଦିବାସୀମାନଙ୍କ ମୌଳିକ ସୁବିଧା ପ୍ରତି ସମ୍ପୂର୍ଣ୍ଣ ଆଖି ବନ୍ଦ କରି ଦେଇଛନ୍ତି। ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳର ଅଧ୍ୟକ୍ଷ ଶ୍ରୀ ମାଝୀ, ଆବାହକ ଶ୍ରୀ ନାୟକ, ସଦସ୍ୟ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବିନୋଦ ପାତ୍ର ଓ ରାୟଗଡ଼ା ଜିଲ୍ଳା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ପ୍ରଭାବିତ ଅଂଚଳ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ବେଳେ ଯେଉଁ ତଥ୍ୟ ମଳିଥିଲା ତାହା ଅତ୍ୟନ୍ତ ଚିନ୍ତାଜନକ ଓ ହୃଦୟ ବିଦାରକ। ରାଜ୍ୟ ସରକାର ମାଳ ମାଳ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ, ମହାମାରୀର ମୃତ୍ୟୁବରଣ କରିଥିବା ଅଧିକାଂଶ ପରିବାର ପାଖରେ ଆଧାର, ରେସନ, ଏମଜିନରେଗା, ଆବାସ ଭଳି କୌଣସି ଯୋଜନା ପଂହଚି ପାରିନାହିଁ। ସେମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ। ମହାମାରୀରେ ଅକାଳରେ ଓ ଅକାରଣରେ ପ୍ରାଣ ହରାଇଥିବା କାଶିପୁର ବ୍ଲକର ଟିକିରି ଗ୍ରାମର ଆଦିବାସୀ ଯୁବତୀ ସରୋଜିନୀ ଝୋଡ଼ିଆ (୨୨)ଙ୍କ ଉଦାହରଣ ସରକାରଙ୍କ ଅବହେଳା ରୂପକ ଭାତ ହାଣ୍ଡିରୁ ଗୋଟିଏ। ସରୋଜିନୀଙ୍କ ପରିବାର ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ଅତିବାହିତ କରୁଥିବା ବେଳେ ନା ସେମାନଙ୍କ ପାଇଁ ରେସନ ଅଛି, ନା ଆଧାର ଅଛି, ନା ଏମଜି ନରେଗା ଅଛି ନା ଆବାସ ଅଛି। ପ୍ରାୟ ୧୨ ଫୁଟରେ ୫ଫୁଟ କୁଡ଼ିଆଘରେ ସରୋଜିନୀଙ୍କ ପାଂଚପ୍ରାଣୀ ପରିବାର ରହିଆସୁଥିବାବେଳେ ସେମାନଙ୍କ ପାଖରେ ଉପରବର୍ଣ୍ଣିତ ବଂଚିବାର ମୌଳିକ ସୁବିଧା ନାହିଁ, ଏହା ପ୍ରଶାସନର ଅପାରଗତାର କାରଣ। ଗରୀବ ଅସହାୟ ଦିନ ମଜୁରିଆଙ୍କ ଘର ପାଖରେ କାମ ଯୋଗାଇବା ପାଇଁ ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଉପାସରକାର ଅ।।ରମ୍ଭ କରିଥିବା ଏମଜିନରେଗା କାର୍ଯ୍ୟକ୍ରମର ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୃତକ ସରୋଜୀନୀଙ୍କ ପରିବାର ଭଳି ଶହ ଶହ ପରିବାର (ଯୋଗ୍ୟ ହିତାଧିକାରୀ) ଏ ଯୋଜନାର ସୁଫଳ ପାଇବାରୁ ବଂଚିତ ରହିଛନ୍ତି। ଏହି କାରଣରୁ ଦୂର ଦୂରାନ୍ତକୁ ଯାଇ ମଜୁରୀ ଖଟୁଥିବା ଏଭଳି ଶହ ଶହ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଜୀବିକା ନିର୍ବାହ କରୁଛନ୍ତି। ଯଦି ସପ୍ତାହେରୁ ଉର୍ଦ୍ଧ ଦିନ ଧରି ବର୍ଷା ହୁଏ ତେବେ ସେମାନଙ୍କ ଘରେ ଖାଦ୍ୟ ନଥାଏ ଓ ଚୁଲି ଜଳିବାର କ୍ଷମତା ନାହିଁ। ଦୈନିକ ମଜୁରୀ ଆଣି ଚଳୁଥିବା ଏଭଳି ମଣିଷମାନେ ଅନାହରରେ ଛଟପଟ ହୋଇ ମୃତ୍ୟୁବରଣ କରିବା ନିଶ୍ଚିତ। ମହାମାରୀରେ ମୃତ୍ୟୁବରଣ କରିଥିବା ଖବର ଆସିଥିବା ବିଭିନ୍ନ ଗ୍ରାମ ଅଥା ଲଛୁଗୁଡ଼ା, ଡୁଡୁକା, ପାଂଚାଳି ଗ୍ରାମ ମଧ୍ୟ ଗସ୍ତକରି ଅନୁଧ୍ୟାନକାରି ଦଳ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେଠାରେ ମଧ୍ୟସ୍ଥିତି ଟିକିରି ଭଳି। ପ୍ରତ୍ୟେକ ଦିନ ଏ ସମସ୍ତ ଅଂଚଳରେ ନୂଆ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦୁର୍ଭାଗ୍ୟଜନକ ଭାବେ ଏହି ମହାମାରୀ ବ୍ୟାପିବା ଆଗରୁ କାଶୀପୁର ବ୍ଲକର କୌଣସି ଡାକ୍ତରଖାନାରେ ଡାକ୍ତର ନଥିଲେ। ଲଗାତାର ରାଜ୍ୟ ସରକାରଙ୍କ ଦ୍ୱାରା ସେ ଅଂଚଳରେ ସ୍ୱ୍ୟାସ୍ଥ୍ୟସେବା ପ୍ରତି ଅବହେଳା ନିରୀହ ଆଦିବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ମରଣ ମୁହଁକୁ ଠେଲି ଦେଇଛି ବୋଲି କମିଟି ତାର ରିପୋର୍ଟରେ ଉଲ୍ଲେଖ କରିଛି। ଆଦିବାସୀଙ୍କ ପାଇଁ ବିକାଶର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାର, ସେମାନଙ୍କ ପ୍ରତି ଏହା ପ୍ରବଂଚନା। ତାହା ମହାମାରୀ ପ୍ରମାଣିତ ହୋଇଯାଇଛି। ନବୀନ ସରକାରଙ୍କର ଆଦିବାସୀ ପ୍ରୀତି ଏମିତିଯେ ସଂପୃକ୍ତ ଅଂଚଳରେ ଆଦିବାସୀଙ୍କୁ ପାନୀୟଜଳ ମୁନ୍ଦାଏ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସମୁଦ୍ରକୁ ଶଙ୍ଖେ ଭଳି ରହିଥିବା ନଳକୂପ ଓ ମେଗା ୱାଟର ସପ୍ଲାଇ ବ୍ୟବସ୍ଥା କାଶିପୁର ବ୍ଲକର ୨୪ ଗ୍ରାମପଂଚାୟତରେ ୪୧୮ ଗ୍ରାମରେ ସଂପୂର୍ଣ୍ଣ ଭାବେ ଠପ ହୋଇପଡ଼ିଛି। ଲୋକମାନେ ଗଡ଼ିଆ, ପୋଖରୀ, ଚୁଆର ଦୁଷିତ ଜଳ ପିଇବାକୁ ବାଧ୍ୟ। ୨୦୧୮ ମସିହା ଠାରୁ ବୃହତ ଜଳଯୋଗାଣ ବାହାନାରେ ନୂତନ ନଳକୂପ ପ୍ରତିଷ୍ଠା କରାଯାଇ ନଥିବା ବେଳେ ଅଚଳ ହୋଇପଡ଼ିଥିବା ପାନୀୟଜଳ ଉତ୍ସ ଗୁଡ଼ିକରେ ରକ୍ଷଣାବେକ୍ଷଣ କରାଯାଉନାହିଁ। ସଗଡ଼ା ଗ୍ରାମପଂଚାୟତର ପାଂଚାଳି ଗ୍ରାମକୁ ଉଦାହାରଣ ଭାବେ ନିଆଯାଇ ପାରେ। ଏହି ଗ୍ରାମରେ ଥିବା ୬ଟି ନଳକୂପ ମଧ୍ୟରୁ ଗୋଟିଏ ମାତ୍ର କାର୍ଯ୍ୟକ୍ଷମ ଥିବାବେଳେ ୨୦୦୦ ଲୋକ ପ୍ରାୟ ୩୦୦ ପରିବାର ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ତାହାରି ଉପରେ ନିର୍ଭର କରି ଚଳୁଛନ୍ତି। ତେଣୁ ମୋଟାମୋଟି ଭାବେ ଏହି ମହାମାରୀ ଖାଦ୍ୟାଭାବ, ସ୍ୱାସ୍ଥ୍ୟସେବା ଅଭାବ, ଜଳର ଅଭାବ, ମୁଣ୍ଡ ଗୁଞ୍ଜିବାକୁ ଆବାସର ଅଭାବ କାରଣରୁ ବ୍ୟାପିରେ ଲାଗିଛି। ଆଉ ଏସବୁ ଅଭାବ ହେଉଛି ନିରୀହ ଆଦିବାସୀ ଓ ଅଂଚଳବାସୀଙ୍କୁ ୨୨ ବର୍ଷର ନବୀନ ସରକାରଙ୍କ ଉପହାର। ସଂପୂର୍ଣ୍ଣଭାବେ ଏ ମହାମାରୀ ସରକାର କୃତ। ସଂପ୍ରତି ମହାମାରୀ ଗୋଟିଏ ପରେ ଗୋଟିଏ ବ୍ଲକକୁ ବ୍ୟାପି ଚାଲିଥିବା ବେଳେ ସରକାରଙ୍କର ଉଦାସୀନତା ଆଦିବାସୀଙ୍କ ପାଇଁ କାଳ ସାଜିଛି। ରାଜ୍ୟ ସରକାର ତୁରନ୍ତ ପ୍ରଭାବିତ ଅଂଚଳରେ ମହାମାରୀର ଯୁଦ୍ଧକାଳୀନ ଭିତିରେ ମୁକାବିଲା କରିବା ସହ ସ୍ଥାୟୀ ପ୍ରତିକାର ପାଇଁ ସ୍ୱାସ୍ଥ୍ୟ, ପାନୀୟଜଳ ସମେତ ସର୍ବନିମ୍ନ ମୌଳିକ ଭିତିଭୂମି ଉନ୍ନତ କରିବାପାଇଁ ରାଜ୍ୟ କଂଗ୍ରେସ ଦାବି କରୁଛି। କଂଗ୍ରେସ ସବୁ ବେଳେ ଆଦିବାସୀ ମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିଆସିଛି। ଯଦି ସରକାର ଅବହେଳା କରନ୍ତି ତେବେ ଆଦିବାସୀ ମାନଙ୍କ ପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବା ସକାଶେ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଂଚା ଦେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.