Home ଓଡ଼ିଶା ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ଆର୍ଥିକ ସହାୟତା ଓ ଜୀବନ ଜୀବିକାର ସୁରକ୍ଷା ଯୋଗାଇଦେବାରେ ରାଜ୍ୟ...

ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ଆର୍ଥିକ ସହାୟତା ଓ ଜୀବନ ଜୀବିକାର ସୁରକ୍ଷା ଯୋଗାଇଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଯତ୍ନବାନ ହେବାକୁ ପିସିସି ସଭାପତିଙ୍କ ପରାମର୍ଶ

143

ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ)- ସାରା ରାଜ୍ୟ କରୋନା ମହାମାରୀକୁ ନେଇ ଘୋର କଠିନ ପରିସ୍ଥିତିରେ ଗତିକରୁଥିବା ବେଳେ ଗତକାଲି ଓ ଆଜି ରାଜ୍ୟରେ ପ୍ରାୟ ଏକହଜାର କରୋନା ପଜଟିଭ୍ ସକ୍ରୀୟ ନୂଆକେଶ ବାହାରିବା ରାଜ୍ୟବାସୀଙ୍କ ମନରେ ଘୋର ଚିନ୍ତା ବଢ଼ାଇଛି। ଦିନକୁଦିନ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତିକରି ଚାଲୁଛି। ରାଜ୍ୟରେ ଦୈନିକ ଆରଟି-ପିସିଆର ଟେଷ୍ଠିଂକୁ ଅନୁନ୍ୟ ୧୫ହଜାର ବଢ଼ାଇବାକୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ସମସ୍ତ ନିୟମ ଅନୁପାଳନ କରିବାକୁ ରାଜ୍ୟ ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ।

ସଂଗରୋଧ କେନ୍ଦ୍ରକୁ ସୁବ୍ୟବସ୍ଥିତ କରିବାସହ କରୋନା ଯେଦ୍ଧୋ ଓ ସଂଗରୋଧ କେନ୍ଦ୍ରରେ ଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ସ୍ୱାବ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଉ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିର୍ବାଚନର ଅବ୍ୟବହିତ ପୂର୍ବରୁ କାଳିଆ ଯୋଜନାରେ ଚାଷୀଭାଇଙ୍କ ନିମନ୍ତେ ପ୍ୟାକେଜ ଘୋଷଣା କରି ନିର୍ଦ୍ଦାରିତ ୭୫ଲକ୍ଷରୁ ୪୨ଲକ୍ଷ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ନିର୍ବାଚନ ବୈତରଣୀ ପାରହେଲେ। ନିର୍ବାଚନ ପରେ ୪୨ଲକ୍ଷରୁ ମାତ୍ର ୩୭ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଦେବା ଘଟଣା ନିର୍ବାଚନ ପରେ ସରକାରଙ୍କ ଅସଲ ଚିତ୍ରକୁ ରାଜ୍ୟବାସୀ ବିଶେଷକରି ଚାଷୀଭାଇମାନେ ବୁଝିପାରିଲେ। କରୋନା ଜନିତ ତୃଟିକୁ ଲୋକଙ୍କ ନଜରରୁ ଏଡ଼େଇବାକୁ ଯାଇ ପୁନଶ୍ଚ ବଳରାମ ଯୋଜନା ଘୋଷଣା କରି ୭ଲକ୍ଷ ଭୂମିହୀନ, ଛୋଟ ଭାଗଚାଷୀ ପରିବାରକୁ ଦୁଇବର୍ଷରେ ୫ଜଣିଆ ଗୋଟିଏ ଗ୍ରୁପ୍‌କୁ ଏକଲକ୍ଷ ୬୦ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇବର୍ଷ ମଧ୍ୟରେ ଏକ ହଜାର ୪୦କୋଟି ଟଙ୍କା ଖର୍ଚ୍ଚ କରିବା କେତେଯେ ଫଳପ୍ରଦ ହେବ ତାହା ସମୟ କହିବ। ଓଡ଼ିଶା ସରକାର ସବୁବେଳେ ଦେବତାମାନଙ୍କ ନାମରେ ଏକାଧିକ ଯୋଜନା କରି ତପ୍ତ ବୈତରଣୀ ପାର ହେବାକୁ ଯୋଜନା କରୁଛନ୍ତି। କାଳିଆ, ବଳରାମ ଯୋଜନା ତ କଲେ ଏବେ ମା ସୁଭଦ୍ରା ଓ ସୁଦର୍ଶନଙ୍କୁ କାହିଁକି ଭୁଲିଗଲେ। ରାଜ୍ୟର ପ୍ରାୟ ୪ଲକ୍ଷ ୨୭ ହଜାର ୩୨୩ ସ୍ୱୟଂ ସହାୟୀକା ଗୋଷ୍ଠୀ ଅଛି। ଭାରତୀୟ ରିର୍ଜବ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଆସନ୍ତା ଅଗଷ୍ଟମାସ ପର୍ଯ୍ୟନ୍ତ ସ୍ୱୟଂସହାୟୀକା ଗୋଷ୍ଠୀର ମା’ଭଉଣୀଙ୍କ ଠାରୁ ଅର୍ଥ ଆଦାୟ ଓ ପରିଷୋଧ ନ କରିବାକୁ ନିର୍ଦ୍ଦେଶ ଥିବାବେଳେ ମାଇକ୍ରୋ ଫାଇନାନ୍ସ ସଂସ୍ଥା, ବିଭିନ୍ନ ବେସରକାରୀ ଅର୍ଥ ଲଗାଣ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଆରବିଆଇର ନିୟମକୁ ନମାନି ଟଙ୍କା ଆଦାୟ କରିବା କେତେକ ସ୍ଥଳରେ ଫର୍ମପୂରଣ ନିମେନ୍ତ ବାଧ୍ୟକରିବା ଓ ମାନସିକ ଚାପ ପ୍ରୟୋଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଦର୍ଶାଇଛନ୍ତି। ସୁଭଦ୍ରା ନାମକ ଯୋଜନା କରି ସ୍ୱୟଂସହାୟୀକା ଗୋଷ୍ଠୀର ମା ଭଉଣୀମାନଙ୍କୁ ସୁଧ ଓ ମୁଳରେ ରିହାତିର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବେ ବେକାରୀ ଯୁବକ, ପ୍ରବାସୀ ଶ୍ରମିକ, ଭୂମିହୀନ ଯୁବକ ନିମ୍ନମଧ୍ୟବିତ ଓ ମଧ୍ୟବିତ ବେରୋଜଗାରୀ ପରିବାରବର୍ଗଙ୍କୁ ସୁଦର୍ଶନ ଯୋଜନାକରି ପ୍ରତ୍ୟେକ ମାସ ୭, ୫୦୦ ଟଙ୍କା ହିସାବରେ ଅନ୍ୟୁନ ୬ମାସ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପୈଠକରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି। ତମାମ ପ୍ରସଙ୍ଗ ଗୁଡ଼ିକ ଯେତେ କଷ୍ଟଦାୟକ ଲାଗୁଥିଲେ ବି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବାପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସମର୍ପିତ ହୋଇ ଆନ୍ତରିକାତର ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଯତ୍ନବାନ ହେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.