Home ଜିଲ୍ଲା ପରିକ୍ରମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଣ୍ଡିତ ଦୈତାରିଙ୍କ ପୁସ୍ତକ ଲୋକାର୍ପିତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଣ୍ଡିତ ଦୈତାରିଙ୍କ ପୁସ୍ତକ ଲୋକାର୍ପିତ

36

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ପଣ୍ଡିତ ଦୈତାରି ମହାପାତ୍ରଙ୍କ ୫ ଗୋଟି ପୁସ୍ତକକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ କାର୍ଯ୍ୟାଳୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ସେ ତାଙ୍କୁ ଏକ କୃଷ୍ଣ ତୁଳସୀ ଚଉଁରା ଓ ଉତ୍ତରୀୟ ପ୍ରଦାନ କରିଛନ୍ତି । ଶ୍ରୀ ମହାପାତ୍ର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ସ୍ୱର୍ଗତ ଭୈରବାନନ୍ଦ ମହାପାତ୍ରଙ୍କ ଔରଷ ଓ ମାତା ସ୍ୱର୍ଗତାଃ ଶାନ୍ତିଲତା ମହାପାତ୍ରଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ । ଅଦ୍ୟାବଧି ୨ ହଜାର ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରି ନିଜସ୍ୱ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରିପାରିଛନ୍ତି । ତାଙ୍କର ଏହି ପ୍ରଥିତଯଶା ସାରସ୍ୱତ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଅବସରରେ ଶ୍ରୀ ମହାପାତ୍ରଙ୍କ ରଚିତ ମା’ ଶାରଦା ପବ୍ଲିକେଶନ ଓ ସତ୍ୟନାରାୟଣ ବୁକ୍‌ଷ୍ଟୋର ବାଲୁବଜାରଙ୍କ ଦ୍ୱାରା ପ୍ରକାଶିତ ୫ ଗୋଟି ପୁସ୍ତକ ‘ଭୂମି-ଭୂମାର ଭୌମକାର କାନ୍ତକବି ଲକ୍ଷ୍ମୀକାନ୍ତ’, ‘ବନ୍ଦେ ଉତ୍କଳ ଜନନୀର ଉଦ୍‌ଗାତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର’, ‘ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଏବଂ ଆମ ଦେଶର ଗୌରବ ୧ମ ଓ ୨ୟ ଖଣ୍ଡକୁ ରାଜ୍ୟପାଳ ଲୋକାର୍ପଣ କରିଥିଲେ । ଏଥି ପୂର୍ବରୁ ୨୦୧୯ ମସିହା ମାର୍ଚ୍ଚ ମାସରେ ଶ୍ରୀ ମହାପାତ୍ର ରାଜ୍ୟପାଳଙ୍କୁ ୧୭ଖଣ୍ଡ ପୁସ୍ତକ ପ୍ରଦାନ ପୂର୍ବକ ୪ଗୋଟି ଉପାଦେୟ ପୁସ୍ତକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହି ନିରାଡମ୍ବର ସଭାରେ ରାଜଭବନର ସୂଚନା ଅଧିକାରୀ ରକ୍ଷକ କୁମାର ନାୟକ, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ଏବଂ କଳିଙ୍ଗ ସମାଜର ପ୍ରତିଷ୍ଠାତା ଉମାକାନ୍ତ ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.