ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସ୍ୱାଧୀନ ଭାବେ ୨୦୨୨ ରୁ ଭଦ୍ରକ ପୌରାଧ୍ୟକ୍ଷା ନିର୍ବାଚିତ ହେବା ସହ ନୂଆ ପାରିଷଦ ଗଠନ ପରଠାରୁ ଆଜିପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା ବିବାଦ ଘେରରେ ରହିଆସୁଛି। ରାଜନୈତିକ ଫାନ୍ଦରେ ପେଶି ହୋଇଗଲାଣି। ପୌରପାଳିକାର ଦାୟିତ୍ୱ ନେବା ପରଠାରୁ ରାଜନୈତିକ ବିବାଦ ଘେରରେ ରହିଆସିଛି। ଫଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ଘଟୁଛି। ପୂର୍ବ ସରକାର ଅମଳରେ ସ୍ଥାନୀୟ ବିଧାୟକ ଓ ପୌରାଧ୍ୟକ୍ଷା ମଧ୍ୟରେ କ୍ଷୁଦ୍ର ମତଭେଦ ଘଟି କିଛିମାସ ଧରି ପୌରପାଳିକାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିବାଦ ଏଭଳି ଉଗ୍ର ଥିଲା ଯେ ବିଭିନ୍ନ ସମୟରେ ଅନୁଷ୍ଠିତ ପାରିଷଦର ମାସିକିଆ ବୈଠକରେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍କୁ ପୌରପାଳିକା ପରିସରରେ ପଇଁତରା ମାରିବାକୁ ପଡୁଥିଲା। ପୂର୍ବତନ ନିର୍ବାହୀ ଅଧିକାରୀ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ମତଭେଦ ଘଟି ଉଭୟଙ୍କ କାର୍ଯ୍ୟାଳୟରେ ତାଲାପଡି ମାମଲା ଥାନାରେ ପହଂଚିଥିଲା। ସେହିପରି ପୌର ଉପାଧ୍ୟକ୍ଷାଙ୍କ ସ୍ୱତନ୍ତ୍ର ଚାମ୍ବରକୁ ନେଇ କିଛିଦିନ ବିବାଦ ଲାଗି ରହିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ପୌରାଧ୍ୟକ୍ଷା ଅଣନିଶ୍ୱାସୀ ହୋଇ ଶେଷରେ କେତେକ କାଉନ୍ସିଲରଙ୍କୁ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏବେ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱେଚ୍ଛାଚାରିତାକୁ ନେଇ ଗତ ୧୭ ତାରିଖରେ ପୌରାଧ୍ୟକ୍ଷାଙ୍କ ସହ କେତେକ କାଉନ୍ସିଲର ଜିଲାପାଳଙ୍କୁ ଭେଟି ଅବଗତ କରାଇଛନ୍ତି। ଏମାନଙ୍କ ଅଭିଯୋଗ ହେଲା ନିର୍ବାହୀ ଅଧିକାରୀ ଜଣକ କାଉନ୍ସିଲରମାନଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି। ଅଫିସ୍ରେ କିଛି ସମୟ ରହି ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଡେପୁଟି କଲେକ୍ଟରଙ୍କ ଅଫିସ୍ ଚାମ୍ବରରେ ବସି ସମୟ ବିତାଉଛନ୍ତି। ପୌରାଧ୍ୟକ୍ଷାଙ୍କ ତରଫରୁ ପଠାଯାଉଥିବା ବିଭିନ୍ନ ୱାର୍ଡର ବିକାଶ ମୂଳକ କାର୍ଯ୍ୟର ଫାଇଲ୍ ହେଉ କିମ୍ବା ଅନ୍ୟାନ୍ୟ ଫାଇଲ୍ ନିର୍ବାହୀ ଅଧିକାରୀଙ୍କ ଟେବୁଲରେ ଦୀର୍ଘଦିନ ପଡିରହୁଛି। ଅନେକ ଫାଇଲ୍ ଫେରାଇ ଦେଉଛନ୍ତି। ଏହାବ୍ୟତୀତ କାଉନ୍ସିଲରମାନେ ବିଭିନ୍ନ ସମସ୍ୟାକୁ ନେଇ କରୁଥିବା ଫୋନ୍କୁ ଉଠାଉନଥିବା କଥା ପୌରାଧ୍ୟକ୍ଷା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡିଛି। ନିର୍ବାହୀ ଅଧିକାରୀଙ୍କ ଅଫିସ୍ କାର୍ଯ୍ୟରେ ଏଭଳି ସ୍ୱେଚ୍ଛାଚାରିତା ପଛରେ ଶାସକ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଭୂମିକା ରହୁଥିବାର ଚର୍ଚ୍ଚା ହେଉଛି। ପୌରପାଳିକାଟିର ଏଭଳି ପ୍ରଶାସନିକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ବିଭିନ୍ନ ୱାର୍ଡର ରାସ୍ତା ମରାମତି ଠାରୁ ଆରମ୍ଭ କରି ଡ୍ରେନ୍ ଓ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ଘଟୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ଏପ୍ରିଲ ମାସ ସୁଦ୍ଧା ସହରର ବିଭିନ୍ନ ୱାର୍ଡରେ ବିଶେଷକରି ତଳି ଅଂଚଳରେ ସବୁ ଡ୍ରେନ୍ ଗୁଡିକୁ ସଫା ହେବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଡ୍ରେନ୍ଗୁଡିକ ସଫା ହୋଇପାରିନାହିଁ। ଫଳରେ ଆସନ୍ତା ବର୍ଷାଋତୁରେ ସହରାଂଚଳର ବିଭିନ୍ନ ୱାର୍ଡଗୁଡିକ ଜଳାର୍ଣ୍ଣବ ହେବାର ଯଥେଷ୍ଟ ସମ୍ଭାବନା ଉପୁଜିଛି।








