
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜଧାନୀ ସଂଗ୍ରାମୀ ସେବାସଂଘର ନବମ ବାର୍ଷିକ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ଅସହାୟ କର୍କଟ ପୀଡିତଙ୍କ ଉଦ୍ଦେଶ୍ୟରେ ବାପୁ ଓଝାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜ ମଙ୍ଗଳ ହୁଣ୍ଡି ଭଙ୍ଗାଯାଇ ସେଥିରୁ ପ୍ରାପ୍ତ ହୋଇଥିବା ୩୫ ହଜାର ୨୦ ଟଙ୍କାର ଅର୍ଥରାଶୀ ଭୁବନେଶ୍ୱର କଳ୍ପନା ଅଚଂଳର ୯ ବର୍ଷର କର୍କଟ ପିଡିତା ସ୍ୱାଲେହା ଆଞ୍ଜୁମଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କ ପିତା ଏହି ଅର୍ଥରାଶୀ ଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିର ଲୋକସର୍ମ୍ପକ ଅଧିକାରୀ ଡଃ.ଉମାକାନ୍ତ ମହାପାତ୍ର ଯୋଗ ଦେଇ ୯ ବର୍ଷ ପୂର୍ବେ ନୂତନ ପରିକଳ୍ପନା ନେଇ ସମାଜମଙ୍ଗଳ ହୁଣ୍ଡି ବସାଯାଇ ମୁଖ୍ୟତଃ ପାନ, ଗୁଟୁକା ଦୋକାନରୁ ଅର୍ଥ ସଂଗ୍ରହ କରାଯାଇଥିଲା । ଯାହାକି ଏବେ ବ୍ୟାପକ ହୋଇ ଜନ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇ ପାରିଛି । ମୁଖ୍ୟବକ୍ତା ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ୧୦ ରୁ ୧୫ ଟି ସମାଜ ମଙ୍ଗଳ ହୁଣ୍ଡି ମାଧ୍ୟମରେ ଅର୍ଥ ଆଦାୟ କରିବା ସେହି ଅର୍ଥକୁ ଦୁଖୀ ଦରିଦ୍ରଙ୍କ ସେବାରେ ଲଗାଇବା ମହାନ୍ ମାନବିକତାର ପରିଚାୟକ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, କର୍ପୋରେଟର ଅମରେଶ ଜେନା, ମହିଳା ଉଦ୍ୟୋଗୀ ସୃଷ୍ଟି ସୋମନ, ସମାଜସେବୀ ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ପ୍ରମୁଖ ଯୋଗଦେଇ ମହତ କାର୍ଯ୍ୟରେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମଣିଥିବା ବେଳେ ଏଥିରେ ସମସ୍ତେ ଯୋଡି ହେବାକୁ ଆହ୍ୱାନ ଜଣାଇ ଥିଲେ । ସଂଘ ସଭାପତି ଧୀରେନ ଶଙ୍କର ଦାସ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରତିଷ୍ଠାତା ସମାଜସେବୀ ବାପୁ ଓଝା ମଂଚ ସଂଯୋଜନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ୱରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ରାଜଧାନୀ ଭୁବନେଶ୍ୱର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଡେଜି ଶତପଥି, ତନ୍ମୟ ସାମନ୍ତରାୟ,ସତ୍ୟବ୍ରତ ଜେନା, ଦେବବ୍ରତ ମେର୍କାପ, ପ୍ରାଚୁର୍ଯ୍ୟା ଦାସ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ ।







