Home ଅପରାଧ ରାଉରକେଲାରେ ଅବୈଧ ମଦ କାରବାର କୁଟୀର ଶିଳ୍ପ!

ରାଉରକେଲାରେ ଅବୈଧ ମଦ କାରବାର କୁଟୀର ଶିଳ୍ପ!

107

ରାଉରକେଲା ୨୨-୬ : (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲା ସାରନଗରୀ ଅଂଚଳରେ ଦୀର୍ଘ ୪ ବର୍ଷ ହେଲା ଏଠାରେ ଥିବା ଏକ ମାତ୍ର ବିଦେଶୀ ଠିପି ବନ୍ଦ ମଦ ଦୋକାନ ସରକାରୀ ନିୟମାନୁଯାୟୀ ବନ୍ଦ ହୋଇ ସାରିଛି। ଏହା ସତ୍ୱେ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଅବୈଧ ମଦ କାରବାର ଥମିବାର ନାଁ ନେଉନାହିଁ। ଏଠି ଅବୈଧ ମଦ କାରବାର ଲକ୍ଷ୍ମଣରେଖା ପାର କରିଛି! ସ୍ମାର୍ଟ ସିଟି ରାଉରକେଲାରେ ଅବୈଧ ମଦ କାରବାର ସତେ ଯେପରି କୁଟୀର ଶିଳ୍ପ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯଦିଓ କେବେ କେମିତି ଅବକାରୀ ବିଭାଗ ପକ୍ଷରୁ ଅଂଚଳର କିଛି ଜାଗାରେ ଚଢଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯାଉଛି, ତାହା ସମୁଦ୍ରରୁ ଶଖେଂ କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଉରକେଲାର କିଛି ନିର୍ଦ୍ଧିଷ୍ଟ ହୋଟେଲରେ ବିଦେଶୀ ମଦ ଗଚ୍ଛିତ ରଖି ମଦ୍ୟପ ବ୍ୟକ୍ତି ମାନଙ୍କୁ ତାହା ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ୧୨ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଏହି ସବୁ ହୋଟେଲରେ ମଦ୍ୟପ ମାନଙ୍କ ନିୟମିତ ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛି। ପୁଲିସ ଏଭଳି ବେଆଇନ ବାର ବନ୍ଦ କରିବା ଲାଗି କ’ଣପାଇଁ ପଦକ୍ଷେପ ନେଉନାହିଁ, ତାହା ବୁଦ୍ଧିଜିବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ନିଶାସକ୍ତ ମାନେ ରାତ୍ରିରେ ମଦ୍ୟପାନ କରି ସହରର ବିଭିନ୍ନ ଜନବହୁଳ ଅଚଂଳ ଘୁରି ବୁଲୁଥିବାରୁ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ମଦ୍ୟପ ମାନଙ୍କ ଉପରେ ପୁଲିସ ପିସିଆର ଭ୍ୟାନର ନଜର ପଡ଼ିଲେ, ପୁଲିସ କେବଳ ମଦୁଆ ଜଣଙ୍କୁ ତାଗିଦ କରି ଛାଡି ଦେଉଥିବାରୁ ସ୍ଥିତି ଯଥା ପୂର୍ବ ତଥା ପରଂ ରହିଛି।

ସାରନଗରୀ ଓ ଜଲଦା ଅଂଚଳରେ ଥିବା କିଛି ନିର୍ଦ୍ଧିଷ୍ଟ ହୋଟେଲ ବ୍ୟବସାୟୀ ନିଜ ହୋଟେଲରେ ଅବାଧରେ ମଦ କାରବାର ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ବିଦେଶୀ ମଦ ପହଂଚାଇବା ପାଇଁ କିଛି ବ୍ୟକ୍ତି ଦଲାଲ ସାଜି ମୋଟର ସାଇକେଲ କିମ୍ବା ବାଇକ ଯୋଗେ ଏହି ହୋଟେଲ ଗୁଡିକରେ ମଦ ପହଂଚାଇ ନିଜ କମିଶନ ହାସଲ କରିବାରେ ବ୍ୟସ୍ତ ଥିବା ବେଳେ, ଅପରପକ୍ଷରେ ମଦୁଆଙ୍କ ଉତ୍ପାତ ଉଭୟ ପୁଲିସ ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କିଛି ନିର୍ଦ୍ଦିଷ୍ଟ ହୋଟେଲରେ ବିଦେଶୀ ମଦ ଚଢା ଦରରେ ବିକ୍ରି କରାଯାଉଥିଲେ ମଧ୍ୟ ମଦୁଆ ଏହାପ୍ରତି ଆସକ୍ତ ହୋଇ ପଡୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ ମଦ୍ୟପ ମାନେ ମଦ ନିଶାରେ ଚୁର ହୋଇ ନିଜର ପ୍ରଭାବ ଜାହିର କରୁଛନ୍ତି। ଫଳରେ ସଂଧ୍ୟା ସମୟରେ ରାସ୍ତାରେ ଯିବା ଆସିବା କରୁଥିବା ସ୍କୁଲ, କଲେଜ ପଢୁଆ ଯୁବତୀ ତଥା ମହିଳା ମାନେ ଏହି ମଦୁଆ ମାନଙ୍କ କୋପର ଶୀକାର ହେଉଛନ୍ତି। ସେହିପରି ବିଭିନ୍ନ ଅନ୍ଧାରୁଆ ସ୍ଥାନ, ବିଭିନ୍ନ ପରିତ୍ୟକ୍ତ କ୍ୱାର୍ଟର ଗୁଡିକୁ ନିଜ ଆଡ୍ଡାସ୍ଥଳୀ ଭାବେ ବାଛି ନେଇ ଘଂଟାଘଂଟା ସେଠାରେ ବସି ରହି ମଦ୍ୟପାନ କରିବା ସହ ହୋହାଲ୍ଲା ମଧ୍ୟ କରୁଛନ୍ତି। ଯାହା ଫଳରେ ଆଖପାଖରେ ଥିବା କ୍ୱାର୍ଟର ବାସିନ୍ଦା ମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅପରପକ୍ଷରେ ବିଦେଶୀ ମଦ ସହିତ ତାଳ ଦେଇ ରାଊରକେଲାରେ ଦେଶୀ ମଦର ବନ୍ୟା ବୋହୁଛି। ଏହି ମଦ କାରବାରକୁ କିଛି ବ୍ୟକ୍ତି ନିତିଦିନିଆ କାରବାରରେ ପରିଣତ କରି ଦେଇଥିବା ଦେଖିବାକୁ ମିଳିିଛି। ରାଉରକେଲାର ଶୀତଳପଡ଼ା, ଓରାମପଡ଼ା, ହରିପୁର ବସ୍ତି, ନୟାବଜାର ଭବାନୀପୁର ବସ୍ତି, ସମେତ ସାରନଗରୀର କଇଁଥାବସା, ହାଟିଙ୍ଗଟୋଲ୍ଲୀ, ଜଲଦା, ଏବିସି କଲୋନୀ ଆଦିରେ ଦେଶୀ ମଦ କାରବାର ବହୁଳ ମାତ୍ରାରେ ନିଜ ଚେର ବିସ୍ତାର କରିଛି। ପାଉଚ ମଦ ଠାରୁ ଆରମ୍ଭ କରି ମହୁଲି ମଦ, ମହୁଲି ପୋଚ ଏଠାରେ ବିକ୍ରି ହେଉଛି। ପାଉଚ ମଦ ତିଆରି କରୁଥିବା ଭାଟି ମାଲିକ ମାନେ ଦେଶୀ ମଦ ବ୍ୟବସାୟୀଙ୍କୁ ପ୍ରତିଦିନ ୨୦ଟା ଲେଖାଏଁ ପାଉଚ ଯାହାର ମୂଲ୍ୟ ୩୦୦ ଟଙ୍କା ରଖିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି। ତାଙ୍କ ଠାରୁ ଏହା ନରଖିଲେ, ପୁଲିସ ଚଢଉର ଭୟ ବ୍ୟବସାୟୀ ମାନଙ୍କୁ ଦେଖାଉଛନ୍ତି ବୋଲି ଜଲଦାର ନୟାବଜାର ଅଂଚଳର ଜଣେ ଦେଶୀ ମଦ ବ୍ୟବସାୟୀ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି। ଦେଶୀ ମଦ ଆମଦାନି କରିବାକୁ କିଛି ଦେଶୀ ମଦ ବ୍ୟବସାୟୀ ପଡୋଶୀ ରାଜ୍ୟ ଝାଡଖଣ୍ଡର ବାନୋ, ହାଟିଆ, ମନୋହରପୁର ଆଦି ଅଂଚଳ ଉପରେ ନିର୍ଭର କରିବାକୁ ପଡୁଛି। ମୋବାଇଲ ଦ୍ୱାରା କେତେ ଦେଶୀ ମଦ ଦରକାର, ଡିଲ ହେଲାପରେ ମଦ ସେମାନଙ୍କ ପାଖକୁ ଦଲାଲ ମାଧ୍ୟମରେ ଦେଶୀ ମଦ ପହଂଚି ଯାଉଛି। ଦୀର୍ଘ ବର୍ଷରୁ ଦେଶୀ ମଦ କାରବାର କରୁଥିବା ବ୍ୟକ୍ତି ମାନେ ପୁଲିସକୁ କିଛି ମୋଟା ଅଙ୍କର ବଟି ଦେଇ ଏହି କାରବାର ସୁରୁଖରେ ଚଳାଇ ଆସୁଛନ୍ତି। ଯଦି କେବେ ଅବକାରୀ ବିଭାଗର ଚଢାଉ ହେଉଛି, ଏହା ପୂର୍ବରୁ ଏମାନଙ୍କ ପାଖରେ ଖବର ପହଂଚି ଯାଉଥିବାରୁ, ଏମାନେ ଗଚ୍ଛିତ ରଖିଥିବା ଦେଶୀ ମଦକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ଦେଉଛନ୍ତି।

ଅପରପକ୍ଷରେ ଜଣେ ବ୍ୟକ୍ତି ଯଦି ଦେଶୀ ମଦ କାରବାରରେ ଜେଲ ଯାଉଛି, ତେବେ ଏହାର କିଛି ଦିନ ପରେ ପରିବାରର ଅନ୍ୟ ଜଣେ ସଦସ୍ୟ ଏହି କାରବାର ପୁଣି ସୁରୁଖୁରେ ଚଲାଉଥିବା ଦେଖିବାକୁ ମିଳୁଛି। ବିଦେଶୀ ମଦର ଦାମ ଅଧିକ ରହିବା କାରଣରୁ ନିଶାଖୋର ବ୍ୟକ୍ତି ମାନେ ଦେଶୀ ମଦ ପ୍ରତି ଅହେତୁକ ଭାବରେ ଆକର୍ଷିତ ହେଉଛନ୍ତି। ଏଭଳି ନିମ୍ନମାନର ମଦ୍ୟପାନ କରି କିଛି ବ୍ୟକ୍ତି ଆରପାରିକୁ ଚାଲିଯାଇଥିବା ମଧ୍ୟ ଅତୀତରେ ନଜିର ରହିଛି। ତଥାପି ଅବୈଧ ଦେଶୀ ମଦ କାରବାର ଉପରେ ରାଉରକେଲାରେ ଏତେଟା ଅଙ୍କୁଶ ଲଗା ନଯାଇ ପାରିବା ବୁଦ୍ଧିଜିବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ରେ ଦିନକୁ ଦିନ ବଢି ଚାଲିଥିବା ଅବୈଧ ମଦ କାରବାର ଉପରେ ପୁଲିସ ତଥା ଅବକାରୀ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.