ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ନିଳୋକ ପଞ୍ଚାୟତ ଅନ୍ତର୍ଗତ ଦୋଳପଦୀ ଗ୍ରାମର ଶୋଭନ କୁମାର ସାହୁ(୪୨) ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ୰ ସାହୁ ଭୂବନେଶ୍ୱର ସ୍ଥିତ ଓୟୁଏଟିରେ ଇଞ୍ଜିନିୟର୍ ଭାବେ ଚାକିରି କରୁଥିଲେ । ଗତକାଲି ଅପରାହ୍ନରେ ସେ ଭୂବନେଶ୍ୱରରୁ ଭଦ୍ରକ ଠାରେ ବାପା, ମା, ଭାଇ ଓ ଭାଉଜ ରହୁଥିବା ଘରକୁ ଆସିଥିଲେ । ଗତ ମଙ୍ଗଳବାର ରାତିରେ ଶୋଭନ୍ ଘରେ ଖାଇପିଇ ଶୋଇଥିଲେ ମଧ୍ୟ ସକାଳୁ ନଉଠିବାରୁ ପରିବାର ଲୋକମାନେ ଡାକିଥିଲେ ମଧ୍ୟ ସେ ଶୁଣିନଥିଲେ । ଫଳରେ ଝରକା ପଟେ ଦେଖିବାରୁ ସେ ଶୋଇଥିବା ଘରେ ଫ୍ୟାନ୍ରେ ଏକ ଗାମୁଛା ଯୋଗେ ଫାଶିଦେଇ ଓହଳିଥିବା ଦେଖିବାକୁ ପାଇଥିଲେ । କବାଟ ଭାଙ୍ଗି ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୁଲିସକୁ ଜଣାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କର ମରଶରୀରକୁ ସତ୍କାର ନିମନ୍ତେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରେ ମରଶରୀରକୁ ଗ୍ରାମକୁ ଅଣାଯାଇ ଶବ ସତ୍କାର କରାଯାଇଥିଲା । ପୁତୁରା ଜଗଜ୍ଜୀତ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକ ଖବରଶୁଣି ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ମହାନ୍ତି, ବିଜେଡି ବ୍ଲକ୍ ସଭାପତି କମଳାକାନ୍ତ ସାହୁ, ଅଧ୍ୟାପକ ଡ. ସୁଧାଶୁଂ ଶେଖର ନାୟକ, ସମାଜସେବୀ ସେକ୍ ଜଲାଉଦ୍ଦିନ୍, ଯୁବ ସମାଜସେବୀ ପ୍ରେମାନନ୍ଦ ନାୟକ, ପଧାନପଡ଼ା ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ହୃଷିକେଶ ସାହୁଙ୍କ ସହ ବହୁ ବ୍ୟକ୍ତି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଶେଷଦର୍ଶନ କରିଥିଲେ ।