Home ଜିଲ୍ଲା ପରିକ୍ରମା ପୁଣି ଦନ୍ତା ହାତୀ ଆତଙ୍କ, ନଷ୍ଟକଲା ରବି ଫସଲ

ପୁଣି ଦନ୍ତା ହାତୀ ଆତଙ୍କ, ନଷ୍ଟକଲା ରବି ଫସଲ

369

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ପୁଣି ଦନ୍ତା ହାତୀ ଆତଙ୍କରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗୋଟିଏ ଦନ୍ତା ହାତୀ ପୁଣି ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ସୋସୋ, କାନପୁର, ପାଟକନା ଓ ରାଉତରାପୁର ଗ୍ରାମରେ ଆତଙ୍କରାଜ ଚଳାଇଛି । ଗତ ସୋମବାର ରାତ୍ରୀରେ ସୋସୋ ତୋଟାରେ ହାତୀ ରହିଥିବାର ଗ୍ରାମର ଲୋକେ ଦେଖିଥିଲେ । ହାତୀଟି ଗତକାଲି ରାତ୍ରୀରେ ଆଗରପଡ଼ା ସ୍ଥିତ ରାଉତରାପୁର, ପାଟକନା ଓ ଦନେଇପୁର ସାଳନ୍ଦୀ ନଦୀପଠା ଅଞ୍ଚଳରେ ବୁଲିବା ସହ ବହୁଲୋକଙ୍କର ରବି ଫସଲକୁ ନଷ୍ଟ କରିଛି । ଏହା ଦେଖି ଭୟରେ ଲୋକମାନେ ତାଟି କବାଟ ପକାଇବା ସହ ସନ୍ଧ୍ୟାପରେ ବାହାରକୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି । ଗତବର୍ଷ ଏହି ଦନ୍ତାହାତୀଟି ସଂପୃକ୍ତ ଅଞ୍ଚଳରେ ଦୀର୍ଘମାସ ରହିବା ସହ ବ୍ୟାପକ ଭାବେ ପନିପରିବା ଫସଲ ନଷ୍ଟ କରି ମହାନ୍ତିପଡ଼ା ଗ୍ରାମର ପାଗଳ ବେହେରାଙ୍କୁ ମାରିଦେଇଥିଲା । ହାତୀ ଆକ୍ରମଣରେ କମଳାକାନ୍ତ ସାହୁଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ପ୍ରତିବର୍ଷ ଦନ୍ତା ହାତୀ ଉତ୍ପାତ ମଚାଇ ଚାଲିଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇବାରେ ବାରମ୍ବାର ବିଫଳ ହେଉଛି । ଏହି ସବୁ ଗ୍ରାମ ଗୁଡ଼ିକୁ ହାତୀ ବାରମ୍ବାର ପଶି ଆସୁଥିବାରୁ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ସନ୍ଧ୍ୟାରୁ ସକାଳ ଯାଏ ବିଦ୍ୟୁତ ସରବାରାହ ବନ୍ଦ ରଖାଯାଉଛି । ଏହା ଦ୍ୱାରା ଅସହ୍ୟ ଗରମ ସାଙ୍ଗକୁ ଗୁଳିଗୁଳି ଯୋଗୁ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେବା ସହିତ ଅନ୍ଧାରରେ ରାତ୍ରୀ ସମୟରେ ନିଜକୁ ନିରାପଦ ମଣୁ ନାହାନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ହଦଗଡ଼ ଅଭୟାରଣ୍ୟରେ ହାତୀ କରିଡ଼ର ନିର୍ମାଣ ନିମନ୍ତେ ବନ ବିଭାଗକୁ ବାରମ୍ବାର ନିବେଦନ କରାଯାଉଥିଲେ ବି ଫାଇଲର କଚ୍ଛପ ଗତି ଯୋଗୁଁ ଏହା ସମ୍ଭବ ହୋଇ ପାରୁ ନାହିଁ ।

ବିଶେଷ ଭାବେ ଏହି ପ୍ରସ୍ତାବିତ କରିଡ଼ର ମଧ୍ୟରେ ବିଦ୍ୟୁତ ବିଭାଗର ଲାଇନ ତାର ଯାଇଥିବାରୁ ଏହା ହାତୀର ଜୀବନ ପ୍ରତି ପ୍ରଧାନ ବିପଦ ହୋଇଛି । ତେବେ ହାତୀର ଜୀବନ ଯେଉଁଭଳି ମୂଲ୍ୟବାନ ମଶିଷର ଜୀବନ ଜୀବିକା ସେହିଭଳି ମୂଲ୍ୟମାନ ହୋଇଥିବାରୁ ରୌଦ୍ରତାପରୁ ରକ୍ଷା ପାଇବା ନିମନ୍ତେ ତୁରନ୍ତ ବିଦ୍ୟୁତ ବିଭାଗ ବ୍ୟବସ୍ଥା କରିବାକୁ ଦାବୀ ଜୋର ଧରିଛି । ପୂର୍ବରୁ ହାତୀ କରିଡ଼ରରେ ବିଦ୍ୟୁତ ଲାଇନର ପୁର୍ନଗଠନ ନିମନ୍ତେ ନେସ୍କୋ ୟୁଟିଲିଟ ଭୁବନେଶ୍ୱରରୁ ଏକ ଯୋଜନା ଅଟକଳ ପଠାଇବାକୁ ନିର୍ଦ୍ଦେଶ ଆସିଥିଲା । ତଦନୁସାରେ ଭଦ୍ରକ ବିଦ୍ୟୁତ ଅଫିସ ଭଦ୍ରକ ଜିଲ୍ଲାରେ ଥିବା ହାତୀ କରିଡ଼ର ମଧ୍ୟସ୍ଥ ଗ୍ରାମମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ନିମନ୍ତେ ବାଲେଶ୍ୱର ଅଫିସକୁ ଅଟକଳ ପଠାଇଥିଲେ । ବାଲେଶ୍ୱର ଅଫିସ ତାଙ୍କର ଚିଠି ନଂ ୭୦୫ ତା ୩୧-୧-୨୦୨୦ରେ ଭୁବନେଶ୍ୱର ଏନର୍ଜି ବିଭାଗକୁ ଲମ୍ବ ଖୁଣ୍ଟ ଓ କେବୁଲ ତାର ନିମନ୍ତେ ୬ କୋଟି ୫୮ଲକ୍ଷ ଟଙ୍କାର ଅଟକଳ ପଠାଇଥିଲେ ବି ପ୍ରାୟ ବର୍ଷାଧିକକାଳ ଏହା ନାଲିଫିତା ତଳେ ରହିଯାଇଛି । ଏଥି ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.