Home ଓଡ଼ିଶା ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

309

– ୨୦୨୦-୨୧ରେ ବିପଣନ ଲାଗି ଚିହ୍ନଟ ଫସଲ ପାଇଁ ଲାଗୁ
– ଦୁଇ ଗୁଣ ଅଧିକ ମୂଲ୍ୟ ପାଇବେ ଗହମ ଚାଷୀ
– ମସୁର ଡାଲିର ଏମଏସପି ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି

ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ବୁଧବାରଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ମଞ୍ଜୁରି ମିଳିଛି। ଏହି ଦର ୨୦୨୦-୨୧ରେ ବିପଣନ ହେବାକୁ ଥିବା ସମସ୍ତ ରବି ଫସଲ ପାଇଁ ଲାଗୁ ହେବ।

ଲାଭ ଏବଂ ପ୍ରମୁଖ ପ୍ରଭାବ

ରବି ବିପଣନ ଋତୁ ୨୦୨୦-୨୧ ଲାଗି ଚିହ୍ନଟ ହୋଇଥିବା ରବି ଫସଲର ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏହା ଜରିଆରେ ସରକାର ଉତ୍ପାଦନର ହାରାହାରି ବ୍ୟୟର ପାଖାପାଖି ଦେଢ଼ ଗୁଣ ପର୍ଯ୍ୟନ୍ତ ମୂଲ୍ୟ ପ୍ରଦାନ କରିବା ଲାଗି ପ୍ରୟାସ କରିଛନ୍ତି। ସରକାର ଏ ସମ୍ପର୍କରେ ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଘୋଷଣା କରିଥିଲେ।

ଏମଏସପି ନୀତି ମାଧ୍ୟମରେ କୃଷକମାନଙ୍କୁ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ପ୍ରଦାନ କରିବା ଏବଂ ୨୦୨୨ ସୁଦ୍ଧା ସେମାନଙ୍କ ଆୟ ଦ୍ୱିଗୁଣିତ କରି ସେମାନଙ୍କ ଜୀବନଧାରଣରେ ସୁଧାର ଆଣିବା ଦିଗରେ ସରକାର ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି।

୨୦୨୦-୨୧ ରବି ବିପଣନ ଋତୁ ଲାଗି ମସୁର ଡାଲି କ୍ଷେତ୍ରରେ ସବୁଠୁ ଅଧିକ ଏମଏସପି ବୃଦ୍ଧି କରାଯାଇଛି। ଏହାର କ୍ୱିଂଟାଲ ପ୍ରତି ଏମଏସପି ଦର ୩୨୫ ଟଙ୍କା ବୃଦ୍ଧି ପାଇଛି। ଏହାପରେ କୁସୁମର କ୍ୱିଂଟାଲ ପ୍ରତି ଏମଏସପି ଦର ୨୫୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଚଣାର କ୍ୱିଂଟାଲ ପ୍ରତି ଏମଏସପି ୨୫୫ ଟଙ୍କା ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଛି।

ଧଳା ଶୋରିଷ ଏବଂ ଶୋରିଷର ଏମଏସପି କ୍ୱିଂଟାଲ ପ୍ରତି ୨୨୫ଟଙ୍କା ବୃଦ୍ଧି କରାଯାଇଛି। ଗହମ ଏବଂ ଯଅ ଉଭୟର ଏମଏସପି କ୍ୱିଂଟାଲ ପ୍ରତି ୮୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଗହମ ଚାଷୀମାନଙ୍କୁ ଉତ୍ପାଦନ ବ୍ୟୟର ପାଖାପାଖି ୧୦୯ ପ୍ରତିଶତ ଫେରସ୍ତ ମିଳିପାରିବ।

ଏମଏସପି ନିର୍ଦ୍ଧାରଣରେ ଉତ୍ପାଦନ ବ୍ୟୟକୁ ଏକ ପ୍ରମୁଖ ଉପାଦାନ ଭାବେ ସାମିଲ କରାଯାଇଛି। ଏହି ଏମଏସପି ବୃଦ୍ଧି ଫଳରେ ଚାଷୀମାନଙ୍କୁ କେବଳ କୁସୁମକୁ ବାଦ ଦେଲେ ଅନ୍ୟ ସମସ୍ତ ଫସଲ ପାଇଁ ଉତ୍ପାଦନ ବ୍ୟୟର ୫୦ ପ୍ରତିଶତରୁ ଅଧିକ ମୂଲ୍ୟ ମିଳିପାରିବ। ଗହମରୁ ୧୦୯ ପ୍ରତିଶତ, ଯଅରୁ ୬୬ ପ୍ରତିଶତ, ଚଣାରୁ ୭୪ ପ୍ରତିଶତ; ମସୁରରୁ ୭୬ ପ୍ରତିଶତ, ଧଳା ଶୋରିଷରୁ ୯୦ ପ୍ରତିଶତ ଏବଂ କୁସୁମରୁ ୫୦ ପ୍ରତିଶତ ମୂଲ୍ୟ ମିଳିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.