Home ଓଡ଼ିଶା ରଥଯାତ୍ରାକୁ ନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ – ଆରକ୍ଷୀ ମହାନିର୍ଦ୍ଦେଶକ

ରଥଯାତ୍ରାକୁ ନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ – ଆରକ୍ଷୀ ମହାନିର୍ଦ୍ଦେଶକ

48

ପୁରୀ ୨୭-୬ (ଓଡ଼ିଆ ପୁଅ) ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି। ସୋମବାର ପୂର୍ବାହ୍ନରେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଶ୍ରୀ ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ବଂସଲ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି।

ସମୀକ୍ଷା ବୈଠକକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଶ୍ରୀ ଆର୍‌.କେ. ଶର୍ମା ପରିଚାଳନା କରିଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା ସମାପ୍ତ କରିବା ନିମନ୍ତେ ପୋଲିସ୍ ପ୍ରଶାସନର ଅଧିକାରୀ/କର୍ମଚାରୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ରଥଯାତ୍ରା ନିମନ୍ତେ ୧୮୦ ପ୍ଲାଟୁନ୍ ଫୋର୍ସ, ୧୮ଜଣ ଏସ୍‌ପି ର‌୍ୟାଙ୍କ୍‌ର ଅଧିକାରୀ, ୩୩ ଜଣ ଅତିରିକ୍ତ ଏସ୍‌ପି, ୭୪ ଡିଏସ୍‌ପି, ୧୩୬ ଇନ୍‌ସପେକ୍ଟର, ୭୨୧ଏସ୍‌ଆଇ/ଏଏସ୍‌ଆଇ, ୧୦୭ ହାବିଲଦାର, ୬୭୩ କନେଷ୍ଟବଳ, ୨୦୦୮ ହୋମ୍‌ଗାର୍ଡ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ। କୌଣସି ଅଘଟଣକୁ ପ୍ରତିହତ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ସଜାଗ ରହିଥିବା ସମ୍ପର୍କରେ ଶ୍ରୀ ଶର୍ମା ମତବ୍ୟକ୍ତ କରିଥିଲେ। ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଆଇଜି (ଅପରେସନ୍‌) ଅମିତାଭ ଠାକୁର କହିଥିଲେ ଯେ, ପୁରୀ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ମୋଟ ୧୦ଟି ଜୋନ୍ ଓ ୨୯ଟି ସେକ୍ଟର୍‌ରେ ଭାଗ କରାଯାଇଛି। ଏହାସହ ଦୁଇ ଚକିଆ, ଚାରି ଚକିଆ ଯାନ ପାର୍କିଂ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଆଇଜି (ହେଡ୍‌କ୍ୱାଟର୍ସ) ଏସ୍‌.ଏସ୍ ଦେବଦତ ସିଂ ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ଦକ୍ଷିଣାଂଚଳ ଆଇଜି ସତ୍ୟବ୍ରତ ଭୋଇ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା ରଥଯାତ୍ରା ସମୟରେ କର୍ତବ୍ୟନିଷ୍ଠ ତଥା ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୋଲିସ୍ ଅଧିକାରୀ/କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍‌ରେ ରହୁଥିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ୱ ବହୁମାତ୍ରାରେ ବଢି ଯାଇଥାଏ। କୌଣସି ଅଘଟଣକୁ ଏଡାଇବା ପାଇଁ ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍‌, ପୁରୀର ପ୍ରବେଶ ପଥରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍‌, ସ୍ପେଶାଲ ଟାକ୍‌ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ଡିଜିପି (ପୂର୍ବତଟ ରେଳପଥ ଓ ଉପକୂଳ ସୁରକ୍ଷା) ସୁଧାଂଶୁ କୁମାର ଷଡ଼ଙ୍ଗୀ ୧୧୪୧ ଜଣ କର୍ମଚାରୀଙ୍କୁ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଥିଲେ। ଏହାସହ ପୁରୀ ସହର ଦେଇ ଟ୍ରେନ୍ ଚଳାଚଳ କରୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଏହାକୁ ପ୍ରତିହତ କରିବାକୁ ଉଭୟ ଆର୍‌ପିଏଫ୍ ଏବଂ ରେଳବାଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ରେଳ ଷ୍ଟେସନ୍‌ରେ ଦଳଚକଟା ଭଳି ଆକସ୍ମିକ ଅଘଟଣ ନିମନ୍ତେ ସଜାଗ ରହିଥିବା କଥା ସେ ଉଲ୍ଲେଖ କରିଥିଲେ। ଏହାସହ ପୁରୀ ଉପକୂଳରେ ସମୁଦ୍ର ଭିତରେ ୧୨ ନୋଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏହାସହ ବାହ୍ୟଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି ବୋଲି ସେ କହିଥିଲେ।

ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ ଡିଜିପି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ। ଉକ୍ତ ବୈଠକରେ ଡିଆଇଜି(ଏସ୍‌ଟିଫ୍‌) ଜୟ ନାରାୟଣ ପଙ୍କଜ, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ କୁମାର ସିଂ, ଡିଆଇଜି(ଗୁଇନ୍ଦା) ଅନୁପ୍ କୁମାର ସାହୁ, ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍ ଅତିରିକ୍ତ ସିପି ଡ. ଉମାଶଙ୍କର ଦାଶ, ପୁରୀ ଏସ୍‌ପି କନୱର୍ ବିଶାଲ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.