ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୪-କୋଭିଡ୍-୧୯ ଲକ୍ଡାଉନ୍ ପରେ ସବୁ ସରକାରୀ ବିଦେଶୀ ଓ ଦେଶୀ ଦୋକାନ ସିଲ୍ ହୋଇଯାଇଛି । ଯାହାର ସୁଯୋଗ ହାତଛଡା କରୁନାହାନ୍ତି ହାତରନ୍ଧା ଦେଶୀ ମଦ ମାଲିକମାନେ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ନରସିଂହପୁର ଗ୍ରାମରେ । ପୁର୍ବରୁ ଏହି ନରସିଂହପୁର ଗ୍ରାମର କିଛି ପରିବାର ହାତରନ୍ଧା ଦେଶୀ ମଦକୁ କୁଟୀର ଶିଳ୍ପଭାବେ ଘରେ ତିଆରି କରୁଥିଲେ । ପୋଲିସ୍ ର ଚଢାଉ ଫଳରେ କେତେକ ପରିବାର ହାତରନ୍ଧା ଦେଶୀ ମଦ ବ୍ୟବସାୟ ବନ୍ଦ କରିଦେଇଥିଲେ । ଏହି ଦେଶୀ ବିଦେଶୀ ସରକାରୀ ମଦ ଦୋକାନ ଗୁଡିକ ସିଲ୍ ହେବା ଦେଖି ପୁଣି ଘରେ ମଦ ରନ୍ଧା ଆରମ୍ଭ ହୋଇଥିଲା ନରସିଂହପୁର ଗ୍ରାମରେ । ରଣପୁର ପୋଲିସ୍ ଏହି ସମ୍ପର୍କରେ ସୁରାଗ ପାଇ ସବ୍ ଇନିସ୍ପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ଓ ବିଦିତା ନାୟକଙ୍କୁ ନେଇ ଏକ ଟିମ୍ ଗଠନ କରି ଗତ ଏପ୍ରିଲ୍ ୧୪ ତାରିଖ ରାତ୍ର ୧୨ ଘଟିକା ସମୟରେ ନରସିଂହପୁର ଆକୁଳି ସାହୁଙ୍କ ଘରେ ଚଢାଉ କରିଥିଲେ ।
ଚଢାଉ ସମୟରେ ଆକୁଳି ସାହୁଙ୍କ ପୁଅ ଚୈତନ୍ୟ ସାହୁ ଓରଫ୍ ପ୍ରଭାତଙ୍କୁ ଗିରଫ କରିବା ସହ ୨୨ ଲିଟର ଦେଶୀ ମଦ ଜବତ କରିଥିବା ଜଣା ପଡିଛି । ଏବଂ ମଦ ରନ୍ଧା ସରଂଜାମକୁ ନଷ୍ଟ କରିଦେଇଥିବା ଜଣା ପଡିଛି । ଦେଶୀ ମଦ ରାନ୍ଧିବା ଅଭିଯୋଗରେ ପ୍ରଭାତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍ ନାମଂଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେହିଭଳି ଭାବରେ ବାସୁଦିଆ ଗ୍ରାମର ସଂଜୟ ବାରିକଙ୍କୁ ମଦ ବିକ୍ରୟ କରିବାକୁ ନେଉଥିବା ଅବସ୍ଥାରେ ରଣପୁର ଉପର ସଡକରେ ଗିରଫ କରାଯାଇଥିଲା । ତାଠାରୁ ୧୫ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଥିବା ଜଣା ପଡିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଜାମିନ୍ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ରଣପୁର ଥାନା ପୋଲିସ୍ ତରଫରୁ ହାତରନ୍ଧା ଦେଶୀ ମଦ ଉପରେ ବ୍ୟାପକ ଚଢାଉ ଆରମ୍ଭ ହୋଇଥିବା ଜଣା ପଡିଛି ।