Home ଓଡ଼ିଶା ରଣପୁରରେ ଜୀବିକା ମିଶନ୍ ରେ ବଡ ଘୋଟାଲା……… ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ୍‌, ଏମବିକେ ଫେରାର

ରଣପୁରରେ ଜୀବିକା ମିଶନ୍ ରେ ବଡ ଘୋଟାଲା……… ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ୍‌, ଏମବିକେ ଫେରାର

128

ନୟାଗଡ/୧୨/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ କରିଥିଲେ ରାଜ୍ୟ ଜୀବିକା ମିଶନ୍ । ଓଡିଶାର ୩୧୪ ବ୍ଲକ୍ ରେ ଜୀବିକା ମିଶନ୍ ସଫଳ ଭାବରେ କାର୍ଯ୍ୟ କରି ଆସୁଅଛି । ପ୍ରତି ଗ୍ରାମ ପଂଚାୟତରେ ଜଣେ ଜଣେ ମାଷ୍ଟର ବୁକ୍ କିପର୍‌(ଏମ୍ ବି କେ) ଓ ୪ଜଣ ଲେଖାଏଁ କ୍ଲଷ୍ଟର ରିସୋର୍ସ ପର୍ସନ୍‌(ସି.ଆର.ପି) ନିଯୁକ୍ତି ଦେଇଥିଲେ । କେତେକ ପଂଚାୟତ ଦାୟିତ୍ୱରେ ଜଣେ ଜଣେ କର୍ମଚାରୀ ଓ ବ୍ଲକ୍ ରେ ଜଣେ ଜଣେ ବିପିଏମ୍ ନିଯୁକ୍ତି ଦେଇଥିଲେ । କିନ୍ତୁ ରଣପୁର ବ୍ଲକ୍ ରେ ଦର୍ପନାରାୟଣପୁର ଗ୍ରାମ ପଂଚାୟତଠାରୁ ଆରମ୍ଭ କରି ପଟିଆ ଗ୍ରାମ ପଂଚାୟତରେ ଜୀବିକା ମିଶନ୍ ରେ ଘୋଟାଲା ଦେଖିବାକୁ ମିଳିଛି । ଏହି ଘୋଟାଲାରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏମ୍‌.ବି.କେ ଜାନକୀ ନାୟକ ହଡପ୍ କରି ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି । ଏ ସମ୍ପର୍କେ ଫେବୃୟାରୀ ୧୨ ତାରିଖ ଅପରାହ୍ନରେ ଗୋଦାସାହି ମା ଖିଲାମୁଣ୍ଡା ପୀଠରେ ଶତାଧିକ ମହିଳା ଏକ ବୈଠକ କରିଥିବା ଜଣା ପଡିଛି । ପଟିଆ ପଂଚାୟତ ଗୋଦାସାହିର ସି.ଆର.ପି ମମତା ରାଉତ, ଗୋଦାସାହିର ପ୍ରମିଳା ନାହାକ, କୁଶପଲ୍ଲାର ଝରଣା ପ୍ରଧାନ ଓ ସତ୍ୟଭାମା ପ୍ରଧାନ, ରଣ୍ଡା ଗ୍ରାମର କୁନୀ ଜୟସିଂଙ୍କ ଅଭିଯୋଗ ଅନୁଯାୟୀ ପଂଚାୟତ ଫେଡେରେସନ୍ ମାଧ୍ୟମରେ ପ୍ରଥମ କିସ୍ତିରେ ୩୦ ହଜାର  ଦ୍ୱିତୀୟ କିସ୍ତିରେ ୫୦ ହଜାର ଗ୍ରୁପ୍ ପିଛା ଋଣ ନେଇଥିଲେ । ପଟିଆ ଗ୍ରାମ ପଂଚାୟତରେ ୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ହୋଇ ଫେଡେରେସନ୍ ମାଧ୍ୟମରେ ଜୀବିକା ମିଶନ୍ କାର୍ଯ୍ୟ ଚାଲୁ ରଖିଥିଲେ । ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ସେମାନଙ୍କ ଋଣ ଅର୍ଥ ମାସିକ ଏମ୍‌.ବି.କେ ଜାନକୀ ନାୟକଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା ସେମାନଙ୍କ ଗୋଷ୍ଠୀ ନାମରେ ଆସିଥିବା ଋଣ ଏଯାବତ୍ ପରିଶୋଧ ହୋଇନାହିଁ ।

ଏଥିସହ ଉପସ୍ଥିତ ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ୬ଗୋଟି ଘରୋଇ ଋଣ ଲଗାଣକାରୀ ସଂସ୍ଥା ଯଥା ଏଲ୍ ଆଣ୍ଡ୍ ଟି, ଡି.ସି.ବି, ଅନ୍ନପୁର୍ଣ୍ଣା, ଆର୍ଶିବାଦ , ଆରୋହଣ ଓ ସ୍ପନ୍ଦନା ଏହି ଗ୍ରାମ ପଂଚାୟତରେ ସେହି ଏମ୍‌.ବି.କେ ଜାନକୀ ନାୟକଙ୍କ ମାଧ୍ୟମରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରିଛନ୍ତି । ଜାନକୀ ନାୟକ ମହିଳାମାନଙ୍କ ଅଜାଣତରେ ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ଉଠାଇ ହଡପ୍ କରିଛନ୍ତି । ସବୁଟଙ୍କା ହଡପ୍ ପରେ ଏକବର୍ଷ ହେବ ଜୀବିକା ମିଶନ୍ ର ପଟିଆ ଗ୍ରାମ ପଂଚାୟତରେ ଚାଲିଥିବା କର୍ଯ୍ୟାଳୟ ବନ୍ଦ ହୋଇଯାଇଛି । ଜାନକୀ ନାୟକ ପରିବାର ବର୍ଗ ସହ ନିଜ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ଜୀବିକା ମଶନ୍ ର ମହିଳା ଗୋଷ୍ଠୀମାନେ ଏ ସମ୍ପର୍କେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି ପଦକ୍ଷେପ ନେଇନାହିଁ । ନୟାଗଡ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏ ସମ୍ପର୍କେ ରଣପୁର ବ୍ଲକ୍ ବିପି.ଏମ୍ ଶୁଶ୍ରୀ ମ୍ୟାଡାମ୍ ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପଟିଆ ଗ୍ରାମ ପଂଚାୟତର ଏମ୍‌.ବି.କେ ଅର୍ଥ ହଡପ୍ କରି ଫେରାର ହୋଇଯାଇଛନ୍ତି । ଆମ୍ଭେ ଏ ସମ୍ପର୍କେ ବିଡିଓଙ୍କୁ ମୌଖିକ ଭାବେ ଜଣାଇଅଛୁ । କିନ୍ତୁ ୧ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଫୋନ୍ ଯୋଗେ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଅପରପକ୍ଷେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବୈଠକରେ ରଣପୁର ବ୍ଲକ୍ ଘେରାଉ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ଜଣା ପଡିଛି । ବୈଠକରେ କେତେକ ମହିଳା ଋଣ ସୁଝିବାରେ ଅସମର୍ଥ ଯୋଗୁଁ ପରିବାର ତରଫରୁ ତାଡନାରେ ଆତ୍ମହତ୍ୟା କରିଦେବେ ବୋଲି କାନ୍ଦି କାନ୍ଦି କହୁଥିବା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.