Home ଜିଲ୍ଲା ପରିକ୍ରମା ରଣଜିତ ଆଶ୍ରମ ସ୍କୁଲ୍‌ରେ ‘ଶହୀଦ ଦିବସ’ ପାଳନ କଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ରଣଜିତ ଆଶ୍ରମ ସ୍କୁଲ୍‌ରେ ‘ଶହୀଦ ଦିବସ’ ପାଳନ କଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

2

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଣଜିତ ଗ୍ରାମ ପଂଚାୟତ ହେଉଛି ପବିତ୍ର ଭୂମି। ଏଇଠି ମଞ୍ଜୁରୀ ଗ୍ରାମରେ ୧୯୩୪ ମସିହାରେ ଜାତିର ଜନକ ମହାତ୍ମା ଗାନ୍ଧୀ ରାତ୍ରୀ ଯାପନ କରିଥିଲେ ଏବଂ ଏଇଠୁ ତାଙ୍କ ନେତୃତ୍ୱରେ ଐତିହାସିକ ହରିଜନ ପଦଯାତ୍ରା ର ଦ୍ୱିତୀୟ ଚରଣ ଆରମ୍ଭ ହୋଇଥିଲା। ଏହି ଘଟଣାର ସ୍ମୃତି ପ୍ରତି ସମ୍ମାନ ଜଣାଇ, ପ୍ରତିବର୍ଷ ଭଳି, ଏବର୍ଷ ଜାନୁଆରୀ ୩୦ ଗୁରୁବାର ଦିନ ଅପରାହ୍ନରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ଭଦ୍ରକ ଶାଖା ରଣଜିତ ଆଶ୍ରମ ସ୍କୁଲ୍ ପରିସରରେ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ କୁ ‘ଶହୀଦ ଦିବସ’ ରୂପେ ପାଳନ କରିଛି। ପ୍ରତିଷ୍ଠାନ ର ସଭାପତି ଇଂ ଅଖିଳ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ଏକ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ଆଇନଜୀବୀ ପବନ କୁମାର ଶର୍ମା ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଫେସର୍ ଝରଣା ପଟ୍ଟନାୟକ, ପ୍ରଫେସର୍ ରାମଚନ୍ଦ୍ର ପଣ୍ଡା, ପ୍ରଫେସର୍ ରାଧାରାଣୀ ମହାପାତ୍ର, ପ୍ରଫେସର୍ ନାସିର ବକ୍ସ, ସ୍ତମ୍ଭକାର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସମାଜସେବୀ ରାଜକୁମାର ସାହୁ ଓ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଶୁକଲାଲ୍ ମାରାଣ୍ଡି ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଗାନ୍ଧୀଙ୍କ ଜୀବନର ବିଭିନ୍ନ ଘଟଣା ଓ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଗାନ୍ଧୀଙ୍କ ଜୀବନରେ ପ୍ରଦର୍ଶିତ ଓ ପ୍ରତିଫଳିତ ସତ୍ୟ, ଶାନ୍ତି, ଅହିଂସା, ଏକାଗ୍ରତା, ସମୟାନୁବର୍ତିତା ଭଳି ଅମୃତମାର୍ଗର ଅନୁସରଣ କରିବା ପାଇଁ ବକ୍ତା ମାନେ ଆଶ୍ରମର ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଇତ୍ୟବସରେ ରଣଜିତ ଅଂଚଳର ବିଶିଷ୍ଟ ସମାଜସେବୀ ଅଜିତ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରତିଷ୍ଠାନର ଯୁଗ୍ମ ସଂପାଦକ ଲକ୍ଷ୍ମୀକାନ୍ତ ବାରିକ ଆଶ୍ରମର ଛାତ୍ରଛାତ୍ରୀ ଓ ଗୁରୁ ମଣ୍ଡଳୀ, ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ଆରମ୍ଭ ବେଳେ ବାପୁଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଇଂ ସୁଶ୍ରୀ ପ୍ରଜ୍ଞା ଦାସ ଙ୍କ ନିର୍ଦ୍ଦେଶନାରେ ଭଦ୍ରକ ସ୍ଥିତ ଗାନ୍ଧୀ ବାଳାଶ୍ରମ ର ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଗାନ୍ଧୀବାଦୀ ଫାରୁଖ୍ ଶେଖ୍‌, ଲଲାଟେନ୍ଦୁ ମହାନ୍ତି, ସାମାଜିକ କର୍ମୀ ବିଦ୍ୟାଧର ବାରିକ, ସରୋଜ ଅଧିକାରୀ, ଆଇନଜୀବୀ ବିଜୟ କୁମାର ଜେନା, ଆଇନଜୀବୀ ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.